ଛେଣ୍ଡିପଦାରୁ କେନ୍ଦ୍ରକୁ ଟାର୍ଗେଟ କଲେ ପ୍ରଣବ, ସାଂସଦ କଣ କରିଛନ୍ତି ବୋଲି କଲେ ପ୍ରଶ୍ନ ଅନୁଗୋଳ: ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଣବ ପ୍ରକାଶ ଦାସ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି ପ୍ରଣବ । ଆଜି ସମ୍ବଲପୁର ସାଂସଦ କ୍ଷେତ୍ରର ଅନୁଗୋଳ ଜିଲା ଛେଣ୍ଡିପଦା ଠାରେ ଆୟୋଜିତ ଏକ ଦଳୀୟ ନିର୍ବାଚନୀ ସଭାରେ ପ୍ରଣବ ଯୋଗ ଦେଇ କହିଛନ୍ତି ଯେ ଏ ଅଞ୍ଚଳରୁ ଜଣକୁ ସାଂସଦ କରିକି ଆପଣମାନେ ପଠେଇ ଥିଲେ । ସେ କଣ କରିଛନ୍ତି, ୫ବର୍ଷ ଦିନକ ପାଇଁ ଏ ଅଞ୍ଚଳକୁ ଆସି ନାହାନ୍ତି କି ସଂସଦରେ ଅଞ୍ଚଳର ଅସୁବିଧା ସମ୍ପକରେ କଥା ଉଠାଇ ନାହାନ୍ତି । ସେ ଅଞ୍ଚଳ ତଥା ଓଡିଶା ବିକାଶ ପାଇଁ କଣ କରିଛନ୍ତି ବୋଲି ପ୍ରଣବ ପ୍ରଶ୍ନ କରିବା ସହ ତାଙ୍କର କେବଳ ନମ୍ବର ଦରକାର ଡେଭଲପମେଣ୍ଟ କଥା ସେମାନେ ଆଦୌ ଚିନ୍ତା କରୁ ନାହାନ୍ତି ବୋଲି କହିଥିଲେ ପ୍ରଣବ ।
ଏହା ମଧ୍ୟ ପଢନ୍ତୁ...ସମ୍ବଲପୁର ଦେଖିବ ବିଗ୍ ଫାଇଟ; ଧର୍ମେନ୍ଦ୍ର ଓ ପ୍ରଣବଙ୍କ ମଧ୍ୟରେ ହେବ କଡା ଟକ୍କର - Sambalpur Lok Sabha Constituency
ପ୍ରଧାନମନ୍ତ୍ରୀ ଆବାସ ବନ୍ଦ କରିଦେଲେ, ଚାଷୀଙ୍କ ୨୦ ହଜାର କୋଟି ଟଙ୍କା ଦେଲେ ନାହିଁ । ଏମିତି ଅନେକ କଥା କହିବା ସହ ଓଡ଼ିଶାର ବିକାଶ କେବଳ ନବୀନ ପଟ୍ଟନାୟକ ହିଁ ଚିନ୍ତା କରୁଛନ୍ତି । ଆଜି ସାରା ରାଜ୍ୟରେ ସବୁ କ୍ଷେତ୍ରରେ ବିକାଶ ହୋଇଛି । ତେଣୁ ଏଥର ଯୋଡି ଶଙ୍ଖରେ ବିପୁଳ ସଂଖ୍ୟରେ ଭୋଟ ଦେବାକୁ ନିବେଦନ କରିଥିଲେ ।
ପ୍ରଣବ କହିଛନ୍ତି ଯେ, ଲୋକଙ୍କ ସେବା କରିବାକୁ ମୁଖ୍ୟମନ୍ତ୍ରୀ ମତେ ଏଠିକି ପଠାଇଛନ୍ତି । ଆପଣଙ୍କ ଆଶୀର୍ବାଦ ରହିଲେ ଦିଲ୍ଲୀ ଦରବାରରେ ଏ ଅଞ୍ଚଳର ସ୍ବର ଶାଣିତ ହେବ । ଛେଣ୍ଡିପଦାର ଅସୁବିଧା ଦିଲ୍ଲୀଦରବାରରେ ଉଠାଯିବ । ଗତ ନିର୍ବାଚନରେ ପଶ୍ଚିମ ଓଡିଶାରୁ ଭାରତୀୟ ଜନତା ପାର୍ଟିର ପାଞ୍ଚ ପାଞ୍ଚ ଜଣ ସାଂସଦକୁ ଲୋକେ ନିର୍ବାଚିତ କରି ପଠାଇଲେ, ହେଲେ ଏ ଅଞ୍ଚଳର ବିକାଶ ପାଇଁ ଆଜି ପର୍ଯ୍ୟନ୍ତ ସେମାନେ ମୁହଁ ଖୋଲି ନାହାନ୍ତି । ବିଜୁ ଜନତା ଦଳ ଉପରେ ଭରସା ରଖି ଏଥର ଯୋଡି ଶଙ୍ଖରୁ ବିକାଶର ସ୍ବର ଶୁଭିବ ବୋଲି କହିଛନ୍ତି ବିଜେଡି ସଂଗଠନ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ।
ପ୍ରଥମେ ତାଳଚେର ଯାଇ ମା ହିଙ୍ଗୁଳାଙ୍କ ଦର୍ଶନ କରିବା ପରେ ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପ୍ରଣବ ପ୍ରକାଶ । ପ୍ରଣବ ଛେଣ୍ଡିପଦାରେ ପହଞ୍ଚିବା ପରେ ତାଙ୍କୁ ତାଙ୍କୁ ଦଳୀୟ ବିଧାୟକ ସୁଶାନ୍ତ ବେହେରା ଓ ଅନ୍ୟ କର୍ମୀ ମାନେ ସ୍ଵାଗତ କରିଥିଲେ । ସେଠାରେ ଥିବା ଜଗନ୍ନାଥ ମନ୍ଦିରରେ ପୂଜା ଅର୍ଚ୍ଚନା ପରେ ତାଙ୍କୁ ସଭା ମଞ୍ଚକୁ ଅଣାଯାଇଥିଲା । ସେଠାରେ ଦଳୀୟ ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ ହୋଇଥିଲେ । ଯେଉଁଥିରେ ସାମିଲ ହୋଇଥିଲେ ହଜାର ହଜାର ଦଳୀୟ କର୍ମୀ ଓ ଭୋଟର । ବିଧାୟକ ପ୍ରାର୍ଥୀ ନବୀନ ସରକାରଙ୍କ ବିକାଶ କଥା କହିଥିବା ବେଳେ ସାଂସଦ ପ୍ରାର୍ଥୀ ପ୍ରଣବ କେନ୍ଦ୍ରକୁ ଆକ୍ରମଣ କରିଥିଲେ ।
ଇଟିଭି ଭାରତ, ଅନୁଗୋଳ