ଭୁବନେଶ୍ବର: ନବୀନ ନିବାସରେ ଶେଷ ହୋଇଛି ତିନି ଜିଲ୍ଲାର ସମୀକ୍ଷା ବୈଠକ । ସଂଗଠନ ସଜାଡ଼ିବା ସହ ନେତା ଓ କର୍ମୀଙ୍କୁ ସକ୍ରିୟ କରୁଛି ଦଳ । ବିଭିନ୍ନ ସଂସଦୀୟ କ୍ଷେତ୍ରର ନେତାଙ୍କୁ ନବୀନ ନିବାସ ଡାକି ଦଳ ପକ୍ଷରୁ ହେଉଛି ଆଲୋଚନା । ଏହି କ୍ରମରେ ଆଜି ସୁନ୍ଦରଗଡ, ସମ୍ବଲପୁର ଓ ଢେଙ୍କାନାଳ ତିନି ଜିଲ୍ଲାର ସଂସଦୀୟ କ୍ଷେତ୍ରରେ ଦଳର ସ୍ଥିତିକୁ ନେଇ ହୋଇଛି ଆଲୋଚନା । ତେବେ ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଦଳର ସ୍ଥିତିକୁ ସୁଦୃଢ କରିବା ସହ ନିର୍ବାଚନୀ ରଣନୀତିକୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିବା ଜଣାପଡ଼ିଛି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ, ବିଧାୟକ ଓ ବରିଷ୍ଠ ନେତାଙ୍କୁ ନେଇ ଏହି ବୈଠକ କରାଯାଇଛି । ଏହି ବୈଠକରେ ସାଧାରଣ ଲୋକଙ୍କ ସହ ଯୋଡି ହୋଇ ଜଣେ ଶୃଙ୍ଖଳିତ ସାଧାରଣ କର୍ମୀ ହୋଇ ତୃଣମୂଳ ସ୍ତରରେ ଯାଇ କାର୍ଯ୍ୟ କରିବାକୁ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଢେଙ୍କାନାଳ ସଂସଦୀୟ କ୍ଷେତ୍ରର ବୈଠକ ସରିଲା ପରେ ସାଂସଦ ମହେଶ ସାହୁ ପ୍ରତିକ୍ରିୟା ରଖି କହିଛନ୍ତି, "ବୈଠକରେ ସଂଗଠନ କାର୍ଯ୍ୟକୁ ତ୍ବରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଉପରେ ରାଜ୍ୟବାସୀଙ୍କ ବିଶ୍ୱାସ ଆଶୀର୍ବାଦ ରହିଛି । ଏହି ବିଶ୍ୱାସକୁ ନେଇ ବିଜେଡି ଲୋକଙ୍କ ପାଖକୁ ଯାଉଥିବା ବେଳେ ଅପହଞ୍ଚ ଇଲାକରେ ମଧ୍ୟ ପହଞ୍ଚିଛି । ଆମେ ସାଧାରଣ କର୍ମୀ ହୋଇ ଜନସାଧାରଣଙ୍କ ପାଇଁ କାମ କରୁଛି । ତେଣୁ ଲୋକଙ୍କ ପାଖକୁ ଯାଇ ସିଧାସଳଖ ତାଙ୍କ ସମସ୍ୟାକୁ ବୁଝିବା ସହ ବିଜେଡି ବିକାଶର ବାର୍ତ୍ତା ନେଇ ନିର୍ବାଚନୀ ପ୍ରଚାର କରିବ ।" ଏହାସହ ରାଜ୍ୟରେ ମଠ ମନ୍ଦିର ରୂପାନ୍ତରିତ କରଣ କଥା କହିଛନ୍ତି ମହେଶ ସାହୁ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ୧୪୭ ଓ ୨୧ ଆସନରେ ସାଧାରଣ କର୍ମୀ ହିସାବରେ ଲଢେଇ କରିବେ ବୋଲି ମହେଶ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରୀ ପ୍ରାଥୀତ୍ୱକୁ ନେଇ ସେ କହିଲେ ‘‘ଯିଏ ଯେଉଁଛି ଠିଆ ହେଲେ ମଧ୍ୟ କିଛି ଫରକ ପଡ଼ିବନି । ସେ ମହେଶ ସାହୁ ହଉ କିମ୍ବା ବବି ଦାଶ, ମୁଖ୍ୟମନ୍ତ୍ରୀ ଯାହାକୁ ଯେଉଁଠି ନିର୍ଦ୍ଦେଶ ଦେବେ ସେ ସେଠି ଲଢ଼ିବ ଆଉ ବିଜେଡି ବିକାଶର ଧାରାକୁ ନେଇ ଜିତିବ ।’’