ବଲାଙ୍ଗୀର: କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ନେତା କଳିକେଶ ନାରାୟଣ ସିଂ ଦେଓ ଏହାକୁ ସ୍ୱାଗତ କରିଛନ୍ତି । କଳିକେଶ କହିଛନ୍ତି, "ଦ୍ଵିତୀୟ ଥର ବଲାଙ୍ଗୀରକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇବାର ସୌଭାଗ୍ୟ ମିଳିଛି । ପୂର୍ବରୁ ଲାଗି ରହିଥିବା ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ବିଜେଡି ନେତା ଏହାକୁ ସ୍ୱାଗତ କରିଛନ୍ତି । ବିଜେଡ଼ି ପାଇଁ ବିବାଦୀୟ ବିଧାନସଭା ଆସନ ଥିଲା ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି । ଯାହା ପାଇଁ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନଥିଲା । ଏଠାରେ ଆଶାୟୀ ଅଧିକ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆସନରୁ ପ୍ରାର୍ଥୀ ହେବା ଘୋଷଣା କରିବା ପରେ ଅନେକ ପ୍ରତିକ୍ରିୟା ସାମନାକୁ ଆସିଛି ।
ଜିଲ୍ଲାର ପୂର୍ବତନ ସାଂସଦ ଓ ଏଥର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂ ଦେଓ ଏହାକୁ ସ୍ୱାଗତ କରିଛନ୍ତି । ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଳିକେଶଙ୍କ ଜେଜେ ବାପା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଏହି ଆସନରୁ ପ୍ରାର୍ଥୀ ହୋଇଥିଲେ । ବର୍ତ୍ତମାନ ନବୀନ ପଟ୍ଟନାୟକ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ଯାହାଦ୍ୱାରା ଏଠାକାର ବିଜେଡି ନେତା ଓ କର୍ମୀଙ୍କ ମଧ୍ୟରେ ଖୁବ ଉତ୍ସାହ ଦେଖିବାକୁ ମିଳିଛି । ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ସେ କହିଛନ୍ତି । ବିଜେଡି ସମୟରେ ଜାରି ରହିଥିବା ବିକାଶ କାମ ଏଠାରେ ଆହୁରି ତ୍ୱରାନ୍ୱିତ ହେବ ବୋଲି ସେ ମତ ରଖିଛନ୍ତି । କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେପରି ଆଖି ଦୃଶିଆ ବିକାଶ ହୋଇନାହିଁ । ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୭୬ହଜାର ୭୩ । ଏହା କଂଗ୍ରେସର ଗଡ଼ ଭାବରେ ପରିଚିତ ହୋଇଆସିଛି । ଯେଉଁଥିରେ ଏଯାବତ୍ କଂଗ୍ରେସ ପ୍ରାର୍ଥୀ ୬ ଥର ଜିତି ଆସିଛନ୍ତି । ହେଲେ ବିଜେଡି ଏଠାରୁ ମାତ୍ର ଥରେ ଜିତିବାର ସୁଯୋଗ ପାଇଛି ।