ଭୁବନେଶ୍ବର:ରାଜ୍ୟରେ ପାଖେଇ ଆସୁଛି ନିର୍ବାଚନ । ହେଭିୱେଟଙ୍କ ହାଇଭୋଲଟେଜ ପ୍ରଚାରରେ କମ୍ପୁଛି ମଇଦାନ । ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ପ୍ରଚାର ପରେ ଏବେ ଜୋରଦାର ପ୍ରଚାର ପାଇଁ ଆସୁଛନ୍ତି ଅନ୍ୟ କେନ୍ଦ୍ରୀୟ ନେତା ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ । ଆସନ୍ତାକାଲି (ବୁଧବାର) ପ୍ରଚାର ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓଡ଼ିଶା ଆସିବେ । ତାଙ୍କ ସହ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ଆସି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି । ସେହିପରି ବଲିଉଡ ଡ୍ରିମଗାର୍ଲ ତଥା ବିଜେପି ସାଂସଦ ହେମାମାଳିନୀ ମଧ୍ୟ ଓଡ଼ିଶା ଆସିବାର ସୂଚନା ରହିଛି ।
9ରେ ଆସିବେ ଗଡ଼କରୀ:ପ୍ରତିରକ୍ଷା ମନ୍ତ୍ରୀ ରାୟଗଡା ଓ ନବରଙ୍ଗପୁରରେ ସଭା କରିବେ । ଏଣେ ଛତିଶଗଡ ମୁଖ୍ୟମନ୍ତ୍ରୀ ସାଏ କୋରାପୁଟର ତିନୋଟି ସ୍ଥାନରେ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାପରେ ଆସନ୍ତା 9 ତାରିଖରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଆସିବେ । ଉଭୟ ବିଜେପି ପାଇଁ ନିର୍ବାଚନୀ ପ୍ରଚାର କରିବେ । ଗଡକରୀ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦରେ ବିରାଟ ସମାବେଶ କରି ଉଦବୋଧନ ଦେବେ । ସେପଟେ ହିମନ୍ତ ବିଶ୍ବଶର୍ମା ମାଲକାନଗିରି, ଚିତ୍ରକୋଣ୍ଡା ଓ ଖଲ୍ଲିକୋଟ ଆଦି ତିନୋଟି ସ୍ଥାନରେ ସଭା କରିବାର କାର୍ଯ୍ୟକ୍ରମ ରହିଛି ।
ଓଡ଼ିଶାରେ ପ୍ରଚାର କରିବେ ହେମାମାଳିନୀ:ଓଡ଼ିଶା ପାଇଁ ବିଜେପିର 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଅଭିନେତ୍ରୀ ତଥା ମଥୁରା ସାଂସଦ ହେମାମାଳିନୀ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ଓଡ଼ିଶାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ହେମାମାଳିନୀ । ତେବେ ସେ କେବେ ଓଡ଼ିଶା ଆସିବେ ଏବଂ ପ୍ରଚାର କରିବେ ତାହା ସ୍ପଷ୍ଟ ହୋଇନି । ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶାରେ ପ୍ରଚାର କରିଥିଲେ । ପୁଣିଥରେ ମୋଦି 10ରେ ଏବଂ ଶାହା 12ରେ ଆସିବାର କାର୍ଯ୍ୟକ୍ରମ ରହିଛି ।