ଭୁବନେଶ୍ବର: ୨୪ ବର୍ଷ ହେବ ବିଜୁ ଜନତା ଦଳ କ୍ରମାଗତ ଭାବେ ନିର୍ବାଚନ ଜିତି ରାଜ୍ୟ ରାଜନିତୀରେ ଏକ ଇତିହାସ ସୃଷ୍ଟି କରିଥିଲା । ନେତାଠୁ କର୍ମୀ ସମସ୍ତେ ଶତ ପ୍ରତିଶତ ଆଶା ବାନ୍ଧି ବସିଥିଲେ ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ପୁଣି ବାଜିମାତ କରିବ ଓ ନୂଆ ରେକର୍ଡ ସୃଷ୍ଟି କରିବେ ନବୀନ । ହେଲେ ନିର୍ବାଚନ ଫଳାଫଳ ସବୁ ଆଶାକୁ ଧୂଳିସାତ କରିଦେଲା । ଲୋକସଭାରେ ଗୋଟିଏ ବି ସିଟ୍ରେ ଖାତା ଖୋଲି ପାରିଲାନାହିଁ ସବୁଠୁ ଧନୀ ଆଞ୍ଚଳିକ ଦଳ । ଯେଉଁ ଦଳର ମୁଖିଆ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନ ପାଉଥିଲେ, ସେ ମଧ୍ୟ ନିଜର ସ୍ଥିତି ବଜାୟ ରଖିବାକୁ ସଂଘର୍ଷ କରିଲେ ।
ଦୀର୍ଘ ବର୍ଷ ହେବ ନବୀନଙ୍କ ଉପରେ ରାଜ୍ୟବାସୀଙ୍କ ଯେଉଁ ଭରସା ଥିଲା, ତାହା ଭାଙ୍ଗି ଯାଇଥିବା ପରି ମନେ ହେଲା । ଚିତ୍ପଟାଙ୍ଗ ମାରିଲେ ବହୁ ବଡ଼ ବଡ଼ ନେତା ଏବଂ ମନ୍ତ୍ରୀ । ବିଜେଡି ସରକାର ନିର୍ବାଚନ ହାରିବା ପରେ ନେତା ଓ କର୍ମୀଙ୍କ ମନୋବଳ ଖାଲି ଭାଙ୍ଗିଗଲାନି, ବରଂ ବିଜେଡି ଦଳ ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କଲା । ବିଜେପି ସରକାରକୁ ଆସିବା ପରେ ବିଜେଡିର ଆଗାମୀ ରଣନୀତି କଣ ହେବ, ତାକୁ ନେଇ ମଧ୍ୟ ନେତା ଓ କର୍ମୀଙ୍କ ଭିତରେ ଏକ ଶଙ୍କା ଜାତ ହୋଇଛି । ବିଜେଡିର ଏକ ଆଉ ଅଦ୍ବିତୀୟ ନେତା ନବୀନ ଯେଉଁଭଳି ବିପୁଳ ଭୋଟରେ କଣ୍ଟାବାଞ୍ଜିରେ ହାରିଲେ, ଏହା ନବୀନଙ୍କ ଭାବମୂର୍ତ୍ତିରେ ଲଗାଇଛି ଛିଟା ।
ରାଜନୀତି ସମୀକ୍ଷକ ରବି ଦାସ କହିଛନ୍ତି, "ବିଜେଡି ଭିତରେ ବହୁ ନେତା କ୍ଷମତା ଆଧାରିତ ବ୍ୟବସ୍ଥା ଭିତରେ ରହିଛନ୍ତି । ବିରୋଧୀ ଦଳ ଭୂମିକା କଣ ଜାଣିନାହାଁନ୍ତି । ଦଳକୁ ସଂଗଠିତ ରଖିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଷୟରେ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର । ବିଜେଡି ୨୪ ବର୍ଷ ଶାସନ ପରେ ଗୋଟିଏ ମୁଖ୍ୟ ବିରୋଧୀ ଦଳ ଭୂମିକାରେ ବସିଛି । ସେମାନଙ୍କ ବିପର୍ଯ୍ୟୟ ତାଙ୍କୁ ଅଧିକ ଆଘାତ ଦେଉଛି । କାରଣ ସେମାନେ କେବେ ଭାବିନଥିଲେ ଏଭଳି କ୍ଷମତଚ୍ୟୁତ ହେବେ । ତାର କାରଣ ଅନୁସନ୍ଧାନ ହେଲେ ବି ସାମ୍ନାକୁ ଆସିପାରୁନି । ଦଳର କର୍ମୀ ଏବଂ ସମର୍ଥକ ମାନଙ୍କ ଭିତରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଯେଉଁ ଚିନ୍ତାର ଆବଶ୍ୟକତା ରହିଛି ତାହା ଆସୁନାହିଁ ।"