ଗଜପତି:ବାଜିଛି ନିର୍ବାଚନୀ ବିଗୁଲ । ନିର୍ବାଚନୀ ପାଇଁ ପ୍ରସ୍ତୁତ ବିଭିନ୍ନ ଦଳର ନେତାଠୁ କର୍ମୀ । ଗାଁ ଗାଁରେ ଶୁଭିଲାଣି ଜିନ୍ଦାବାଦର ନାରା । ଲୋକେ ପାଇଲେଣି ମାଳ ମାଳ ବିକାଶର ପ୍ରତିଶୃତ । ସେପଟେ ମେଣ୍ଟ ଚର୍ଚ୍ଚାରେ ଜବନିକା ପଡ଼ିବା ପରେ ଆହୁରି ସରଗରମ ହୋଇଛି ରାଜନୀତି । ଏହାରି ଭିତରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ଣତା ଦେଖିବାକୁ ମିଳିଛି । କଂଗ୍ରେସର ଗଡ ଭାବେ ପରିଚିତ ଏହି ନିର୍ବାଚନୀ ମଣ୍ଡଳୀରେ କିଏ ମାରିବ ବାଜି,ତାହା ଉପରେ ସମସ୍ତଙ୍କ ନଜର । ଚଳିତ ନିର୍ବାଚନରେ କିପରି ସମସ୍ତ ଦଳ ଭଲ ପ୍ରଦର୍ଶନ କରିବେ ସେ ନେଇ ଚାଲିଛି ଅଙ୍କକଷା । ଗତଥର ଏଠାରୁ ବିଜେପି ବାଜିମାତ କରିଥିବା ବେଳେ ଦଳ ପୁଣି କ୍ଷମତାକୁ ଫେରିବ ବୋଲି ଆଶା ରଖିଛି । ସେହିପରି ବିଜେଡ଼ି ଏବଂ କଂଗ୍ରେସ ମଧ୍ୟ ନିଜର ଦମ୍ ଦେଖାଉଥିବା ବେଳେ କ୍ଷମତାକୁ ଫେରିବା ପାଇଁ ଜୋରଦାର କସରତ କରୁଥିବା ଦେଖିବାକୁ ମିଳିଛି ।
ଗଜପତି ଜିଲ୍ଲାର କାଶୀନଗର, ଗୁମ୍ମା, ଗୋଷାଣୀ ଏବଂ ପାରଳାଖେମୁଣ୍ଡି ପୌରପରିଷଦ ଓ କାଶୀନଗର ଏନଏସିକୁ ନେଇ ଗଠିତ ପାରଳାଖେମୁଣି ନିର୍ବାତନ ମଣ୍ଡଳୀ ।ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ସଂଖ୍ୟା 2,10,650 । ସେଥିମଧ୍ୟରୁ 1,04,007ଜଣ ପୁରୁଷ ଭୋଟ ରହିଥିବା ବେଳେ 1,06,626 ଜଣ ମହିଳା ଏବଂ 17 ଜଣ କିନ୍ନର ଭୋଟର ରହିଛନ୍ତି । ଗତ 2019 ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ 52,415 ଖଣ୍ଡ ଭୋଟ ପାଇ ବିଧାୟକ ହୋଇଥିଲେ । 1951 ଠାରୁ 2019 ମଧ୍ୟରେ ହୋଇଥିବା 16ଟି ବିଧାନସଭା ନିର୍ବାଚନ ମଧ୍ୟରୁ ସର୍ବାଧିକ 6 ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ 4 ଥର ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି ବାମ ଦଳ, ଜନତା ଦଳ, ସ୍ବତନ୍ତ୍ର ପାର୍ଟି, ବିଜେଡି ଏବଂ ବିଜେପି ପ୍ରାର୍ଥୀ ଥରେ ଲେଖାଏଁ ବିଜୟୀ ହୋଇଛନ୍ତି ।
୨୦୧୯ ନିର୍ବାଚନୀ ଫଳାଫଳ: ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ କେ.ନାରାୟଣ ରାଓ 52,415 ଖଣ୍ଡ ଭୋଟ ପାଇ ବିଧାୟକ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀ 37,080ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେଡ଼ି ପ୍ରାର୍ଥୀ କଲ୍ୟାଣୀ ଗଜପତି 26,645 ଏବଂ କଂଗ୍ରେସ ପ୍ରାର୍ଥୀ କେ.ସୂରିଆ ରାଓ 24,040ଖଣ୍ଡ ଭୋଟ ପାଇଥିଲେ ।
୨୦୧୪ ନିର୍ବାଚନୀ ଫଳାଫଳ: ସେହିପରି ୨୦୧୪ ନିର୍ବାଚନୀ ଉପରେ ଯଦି ନଜର ପାକାଇବା ତାହାଲେ ଏଠାରୁ କଂଗ୍ରେସ ବାଜିମାତ କରିଥିଲା । କଂଗ୍ରେସର କେଙ୍ଗମ ନାରାୟଣ ରାଓ 61,014 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡ଼ିର କୋଦୁରୁ ନାରାୟଣ 59,595 ଖଣ୍ଡ ଭୋଟ ପାଇଥିଲେ ।