ଚଣ୍ଡିଗଡ଼:ମେୟର ନିର୍ବାଚନ ବିବାଦ । ନିଜ ପଦରୁ ଇସ୍ତଫା ଦେଲେ ନବନିର୍ବାଚିତ ମେୟର ମନୋଜ ସୋନକର । ଆଜି ମେୟର ନିର୍ବାଚନ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି କରାଯିବ । ତେବେ ଶୁଣାଣି ପୂର୍ବରୁ ଇସ୍ତଫା ଦେଇଛନ୍ତି ନବନିର୍ବାଚିତ ବିଜେପି ମେୟର । ଏନେଇ ଚଣ୍ଡିଗଡ଼ ବିଜେପି ଅଧ୍ୟକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କୋର୍ଟରେ ହାଜରେ ହେବେ ପ୍ରିଜାଇଡିଂ ଅଫିସର ଅନିଲ ମାସିହ । ସେପଟେ ମାମଲା ଶୁଣାଣି ହେବା ପୂର୍ବରୁ ଆପ୍କୁ ଲାଗିଛି ଝଟ୍କା । 3 କାଉନସିଲର ଝାଡୁକୁ ବାଏ ବାଏ କହି ପଦ୍ମ ଧରିଛନ୍ତି । ଗତକାଲି ଆମ ଆଦମୀ ପାର୍ଟିର 3 କାଉନସିଲର ବିଜେପିରେ ସାମିଲ ହୋଇଛନ୍ତି । ସେମାନେ ହେଲେ ପୁନମ ଦେବୀ, ନେହା ମୁସାୱତ, ଗୁରୁ ଚରଣ କାଲା ।
ସେପଟେ 3 କାଉନସିଲର ବିଜେପିରେ ସାମିଲ ହେବା ପରେ ଆପ୍ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୩୦ ଜାନୁଆରୀରେ ଚଣ୍ଡିଗଡ଼ ମେୟର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେପି ଖାତାକୁ ୧୬ ଖଣ୍ଡ ଭୋଟ୍ ଯାଇଥିବାବେଳେ ଇଣ୍ଡିଆ ମେଣ୍ଟ (କଂଗ୍ରେସ-ଆପ୍)କୁ ୨୦ଖଣ୍ଡ ଭୋଟ୍ ମିଳିଥିଲା । ହେଲେ ୮ଟି ଭୋଟ୍ ନାକଚ ହେବା ପରେ ଭାଜପା ପ୍ରାର୍ଥୀ ମନୋଜ କୁମାର ଶୋଙ୍କର ମେୟର ଭାବେ ନିର୍ବାଚିତ ହୋଇଥିଲେ ।