ଜଗତସିଂହପୁର: ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତ ସାରି ଫେରିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଓଡ଼ିଶାରେ ସରକାର ଗଢିବାକୁ ଦମ୍ଭୋକ୍ତି ଦେଖାଇଲେ ଶିବରାଜ । ନିର୍ଦ୍ଧାରିତ ସମୟ ମଙ୍ଗଳବାର ଦିନ 2ଟା ଥିବାବେଳେ 1 ଘଣ୍ଟା ବିଳମ୍ବରେ ସେ ଭୁବନେଶ୍ୱରରୁ ଜଗତସିଂହପୁର ଅଭିମୁଖେ ଆସିଥିଲେ । ବିରିଡି ବ୍ଲକ ଜଇସୋଳ ନିକଟରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଠାରେ ଏକ ଅନୁସୂଚିତ ଜାତିର ବ୍ୟକ୍ତିଙ୍କ ଘରେ ଶିବରାଜ ମଧ୍ୟାହ୍ନ ଭୋଜନ କରିଥିଲେ । ଭୋଜନ ସମୟରେ ଶିବରାଜ ସିଂଙ୍କୁ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା । ଓଡ଼ିଆ ଖାଦ୍ୟ ଭାବରେ ତାଙ୍କୁ ଅରୁଆ ଭାତ, ଡାଲମା, ଭଜା, ଶାଗ, ଦହି ବାଇଗଣ, ଖଟା ଆଦି ପରଷା ଯାଇଥିଲା । ସେଠାରୁ ଖାଦ୍ୟ ଗ୍ରହଣ କରିବା ପରେ ଶିବରାଜଙ୍କୁ ବିଜେପିର କର୍ମକର୍ତ୍ତାମାନେ ବିରାଟ ବାଇକ ଶୋଭାଯାତ୍ରାରେ ଜଗତସିଂହପୁର ସହର ପର୍ଯ୍ୟନ୍ତ ଆଣିଥିଲେ ।
7ଟି ନିର୍ବାଚନ ମଣ୍ଡଳୀରୁ ଆସିଥିବା ହଜାର ହଜାର ଯୁବକ ଶୋଭାଯାତ୍ରାରେ ବାହାରି ଜଗତସିଂହପୁରର ଗଣତନ୍ତ୍ର ଛକ ପଡ଼ିଆରେ ପହଞ୍ଚିଥିଲେ । ସେହି ସ୍ଥାନରେ ବିଜେପି ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା । ସେଠାରୁ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବା ପରେ ସନ୍ଧ୍ୟା 5ଟା ସମୟରେ ସେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଶାରଳାଙ୍କ ଦର୍ଶନ ପାଇଁ ଝଙ୍କଡ଼ରେ ପହଞ୍ଚିଥିଲେ । ସନ୍ଧ୍ୟା 6ଟା ସମୟରେ ଶିବରାଜ ମା' ଶାରଳାଙ୍କ ଦର୍ଶନ କରିବା ସହିତ ଦୀପଦାନ କରିଥିଲେ । ପରେ ମନ୍ଦିର ଭିତରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।
ଏହା ମଧ୍ୟ ପଢନ୍ତୁ...ଓଡିଶାରେ ଜଙ୍ଗଲରାଜ ଚାଲିଛି, ହଟାଇବାକୁ ପଡିବ: ଶିବରାଜ ସିଂ ଚୌହ୍ବାନ