ରାଇରଙ୍ଗପୁର:ରାଜ୍ୟରଚତୁର୍ଥ ପର୍ଯ୍ୟାୟରେ ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ହେବ ମତଦାନ । ଏହି ଲୋକସଭା କ୍ଷେତ୍ର ଅଧୀନରେ ରହିଛି ବହୁ ଚର୍ଚ୍ଚିତ ରାଇରଙ୍ଗପୁର ବିଧାନସଭା ଆସନ । ବିଜେପି, ବିଜେଡ଼ି, କଂଗ୍ରେସ ଏବଂ ଜେଏମଏମ ମଧ୍ୟରେ ହେବାକୁ ଯାଉଛି ମହାସଂଗ୍ରାମ । ବିଜେପିରୁ ଜୋଲେନ ନାଏକ, ବିଜେଡିରୁ ରାଇସେନ ମୁର୍ମୁ, କଂଗ୍ରେସରୁ ଯୋଗେନ୍ଦ୍ର ବାନରା ଓ ଜେଏମଏମ ଦଳରୁ ସୁନାରାମ ଟୁଡୁ ପ୍ରାର୍ଥୀ ହୋଇଛନ୍ତି ।
ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ:
ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ରାଇରଙ୍ଗପୁର, ବହଳଦା, ତିରିଂ ଓ ଯାମଦା ଏବଂ ରାଇରଙ୍ଗପୁର ପୌରପାଳିକାକୁ ନେଇ ଗଠିତ । ଏହି ନିର୍ବାଚନ ମଣ୍ଡଳୀଟି ୧୯୫୧ ମସିହାରେ ଗଠନ ହୋଇଥିବାବେଳେ ପ୍ରଥମ କରି ୧୯୫୨ ମସିହାରେ ଏଠାରେ ନିର୍ବାଚନ ହୋଇଥିଲା । ସେହି ସମୟରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବିଧାୟକ ଭାବେ ହରଦେବ ତିରିୟା ନିର୍ବାଚିତ ହୋଇଥିଲେ ।
ରାଷ୍ଟ୍ରପତିଙ୍କ ପାଇଁ ଚର୍ଚ୍ଚାରେ ରାଇରଙ୍ଗପୁର:
ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଏକ ସଂରକ୍ଷିତ ଆସନ ହୋଇଥିବାବେଳେ ଏଠାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଘର । ଦ୍ରୌପଦୀ ମୁର୍ମୁ ଏହି ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହା ଓ ୨୦୦୪ ମସିହାରେ ଦୁଇ ଦୁଇ ଥର ବିଧାୟକ ହୋଇ ଥରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ ।
କାହାର ପଲ୍ଲା ଭାରି ?
ରାଇସେନ ମୁର୍ମୁ: ଏଠାରେ ଉଭୟ ବିଜେପି ଓ ବିଜେଡିର ବେଶ ଦବଦବା ରହିଛି । ବିଜେଡି ପ୍ରାର୍ଥୀ ରାଇସେନ ମୁର୍ମୁ ଜଣେ ଉଚ୍ଚ ଶିକ୍ଷିତ, ଭଦ୍ର ଓ ନମ୍ର ସ୍ବଭାବର ହୋଇଥିବାବେଳେ ସେ ଏହି ମାଟିର ପୁଅ । ରାଇରଙ୍ଗପୁର ବ୍ଲକ ଗୁହାଳଡାଙ୍ଗରୀ ପଞ୍ଚାୟତ ଅନ୍ତର୍ଗତ ବାଲିଆବାଦି ଗାଁ ରେ ତାଙ୍କ ଜନ୍ମଭୂମି । ୨୦୦୦ ମସିହାରେ ପୋଲିସ ଏସଆଇ ଭାବେ ଗଜପତି ଜିଲ୍ଲାରେ ନିଯୁକ୍ତି ପାଇଥିବାବେଳେ ପରେ ବାଲେଶ୍ଵର ସ୍ପେଶାଲ ବ୍ରାଞ୍ଚ ଡିଏସପି ଭାବେ କାର୍ଯ୍ୟ କରିଛନ୍ତି । ୨୦୨୩ ମସିହା ୧୪ ଅଗଷ୍ଟରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବିଜେଡିରେ ଯୋଗ ଦେଇଥିଲେ । ନିଜ କାର୍ଯ୍ୟକାଳ ସମୟରେ ସେ ଶ୍ରେଷ୍ଠ ପୋଲିସ ଅଧିକାରୀ ଭାବେ ରାଜ୍ୟପାଳ ପଦକ, ମୁଖ୍ୟମନ୍ତ୍ରୀ ପଦକ ଓ ରାଷ୍ଟ୍ରପତି ପଦକ ପ୍ରାପ୍ତ କରିଛନ୍ତି ।"ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ଏଠାକାର ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟାକୁ ପାଥେୟ କରି ଭୋଟ ଭିକ୍ଷା କରୁଛି" ବୋଲି କହିଛନ୍ତି ରାଇସେନ ।
ଜୋଲେନ ବାରଦା: ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ବିଧାନସଭା ପ୍ରାର୍ଥୀ ଜୋଲେନ ବାରଦା ରାଇରଙ୍ଗପୁର ଉପଖଣ୍ଡର ଜଣେ ପରିଚିତ ଚେହେରା । ରାଇରଙ୍ଗପୁର ଉପଖଣ୍ଡର ଜଣେ ଆଦିବାସୀ ସ୍ବାଭିମାନୀ ନେତା ଭାବରେ ସେ ବେଶ ଜଣାଶୁଣା । ତିରିଂ ବ୍ଲକ ଅନ୍ତର୍ଗତ ସାନସାଦମ ଗ୍ରାମରେ ତାଙ୍କ ଘର । ତେବେ ସେ ତିରିଂ ୨୦ ନଂ ଜିଲ୍ଲା ପରିଷଦ ଜୋନରୁ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ । ବିଜେପିରେ ସକ୍ରିୟ ନେତା ଭାବେ କାର୍ଯ୍ୟ କରୁଥିବାବେଳେ ୨୦୦୭-୨୦୧୨ ପର୍ଯ୍ୟନ୍ତ ବିଜେପିରୁ ୨୦ ନଂ ଜିଲ୍ଲା ପରିଷଦ ଜୋନରେ ବିଜୟୀ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଜେଡିରେ ଯୋଗଦାନ କରି ୨୦୧୨-୨୦୧୭ ପର୍ଯ୍ୟନ୍ତ ପୁଣି ତିରିଂ ୨୦ ନଂ ଜିଲ୍ଲା ପରିଷଦ ଜୋନ ନିର୍ବାଚନରେ ବିଜୟୀ ହୋଇଥିଲେ । ଗତ ୬ ମାସ ପୂର୍ବରୁ ସେ ବିଜେପିକୁ ପୁଣି ଫେରି ଆସିଛନ୍ତି । ମୋଦି ଗ୍ୟାରେଣ୍ଟି ସହ ଆଦିବାସୀଙ୍କ ଉନ୍ନତିକୁ ମୁଦ୍ଦା କରି ସେ ପ୍ରଚାର କରିଥିଲେ ।