ଭୁବନେଶ୍ବର:ପୁଣିଥରେ ଆଜି (ବୁଧବାର) ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କରିବେ ହାଇଭୋଲଟେଜ ପ୍ରଚାର । ଆଜି ପ୍ରଧାନମନ୍ତ୍ରୀ ବାରିପଦା, ବାଲେଶ୍ବର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧିତ କରିବେ । ପ୍ରଥମେ ମଧ୍ୟାହ୍ନ ୧୨ଟା ୩୦ ମିନିଟରେ ସେ ବାରିପଦା ସ୍ଥିତ ଛଉ ପଡିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏହାପରେ ବାଲେଶ୍ବର ରେମୁଣାରେ ପହଞ୍ଚି ପ୍ରଚାର କରିବେ ।
ପ୍ରଧାନମନ୍ତ୍ରୀ ରେମୁଣାର ନରହରିପୁର ପଡିଆରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭାରେ ୨ ଲକ୍ଷରୁ ଅଧିକ ଲୋକ ଯୋଗଦେବାର ସମ୍ଭାବନା ରହିଛି । ରେମୁଣାରେ ପ୍ରଚାର କରି ବିଜେପିର ବାଲେଶ୍ବର ଲୋକସଭା ପ୍ରାର୍ଥୀ ପ୍ରତାପ ଷଡଙ୍କୀ ଏବଂ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବେ ମୋଦି । ଏଠାରେ କାର୍ଯ୍ୟକ୍ରମ ସାରି ଶେଷରେ ପ୍ରଚାର ପାଇଁ କେନ୍ଦ୍ରାପଡା ଗସ୍ତ କରିବେ । ସେ ଅପରାହ୍ନ ୪ଟାରେ ବରୁହାଠାରେ ବିଜୟ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେବେ । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ମୋଦିଙ୍କ ଏହା ଚତୁର୍ଥ ଥର ଓଡ଼ିଶା ଗସ୍ତ ।
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପର୍ଯ୍ୟାୟରେ ଓଡ଼ିଶା ଆସି ଶାସକ ବିଜୁ ଜନତା ଦଳକୁ ତୀବ୍ର ଆକ୍ରମଣ କରିଥିଲେ । ରତ୍ନଭଣ୍ଡାର, ଚାରିଦ୍ବାର, ଓଡ଼ିଆ ଅସ୍ମିତାକୁ ମୁଦ୍ଦା କରି ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ଏକ୍ସପାରୀ ତାରିଖ ଦେଇଯାଇଥିଲେ । ଏଥିସହ ଜୁନ ୧୦ ତାରିଖରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣର ତାରିଖ ମଧ୍ୟ ଦେଇଥିଲେ । ଏବେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ଆସୁଥିବାବେଳେ ମୋଦି ଓଡ଼ିଶାବାସୀଙ୍କୁ କ'ଣ କହିବେ, ସେନେଇ ସମସ୍ତଙ୍କ ନଜର ରହିଛି ।