ହାଇଦ୍ରାବାଦ/ଭୁବନେଶ୍ବର:ରାଜ୍ୟରେ ଗତ ଦୁଇଟି ପର୍ଯ୍ୟାୟରେ 9ଟି ଲୋକସଭା ଆସନରେ ଭୋଟିଂ ଶେଷ ହୋଇଛି । ଆସନ୍ତାକାଲି (ଶନିବାର,25 ତାରିଖ)ରେ ତୃତୀୟ ପର୍ଯ୍ୟାୟରେ 6 ଆସନରେ ଭୋଟିଂ ହେବାକୁ ଯାଉଛି । ତେବେ ପୂର୍ବ ଦୁଇ ପର୍ଯ୍ୟାୟ ଠାରୁ ଅଧିକ ଚିତାକର୍ଷକ ଓ ସମ୍ମାନର ଲଢେଇ ଦେଖିବାକୁ ଯାଉଛି ଏହି ପର୍ଯ୍ୟାୟ । କାରଣ ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ ନେଇ ପଶ୍ଚିମ ଓଡିଶାର ଚର୍ଚ୍ଚିତ ଆସନ ସମ୍ବଲପୁର, ପୁରୁଣା ରାଜଧାନୀ କଟକ ଓ ରାଜ୍ୟର ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ର ପୁରୀରେ ଏହି ପର୍ଯ୍ୟାୟରେ ଭୋଟ ହେବାକୁ ଯାଉଛି । ଏହି ସମସ୍ତ ଆସନରେ ବିଜେଡି ଓ ବିଜେପି ମଧ୍ୟରେ ସିଧା ଓ ‘କର ବା ମର’ର ଲଢେଇ ହେଉଛି । ଦୁଇ ଦଳ ଅନେକ ପ୍ରମୁଖ ନେତାଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି । ହାଇପ୍ରୋଫାଇଲ ଆସନକୁ ହେଭିଓ୍ବେଟ ପ୍ରାର୍ଥୀଙ୍କୁ ନେଇ ଏହି ପର୍ଯ୍ୟାୟ ଚଳିତ ନିର୍ବାଚନର ସବୁଠୁ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ହେବାକୁ ଯାଉଛି ।
ଏହି ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ଦାସ ଓରଫ ବବି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ବିଜେଡିରୁ ଇସ୍ତଫା ଦେଇ ପଦ୍ମ ଧରିଥିବା ବରିଷ୍ଠ ରାଜନେତା ତଥା ଦୀର୍ଘ 6 ଥରର ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଅରୂପ ପଟ୍ଟନାୟକ ପ୍ରମୁଖ ଗ୍ରାଉଣ୍ଡରେ ରହିଛନ୍ତି । ଭୁବନେଶ୍ବର, ପୁରୀ, କଟକ ଓ ସମ୍ବଲପୁର ପରି ହାଇ ପ୍ରୋଫାଇଲ ଆସନରେ ବହୁ ବରିଷ୍ଠ ନେତାଙ୍କ ସହ ଏଥର ନବାଗତଙ୍କ ଫାଇଟ ମଧ୍ୟ ହେଉଛି । ତେବେ ଉଭୟ ଦଳ ବିଜେପି ଓ ବିଜେଡି ପାଇଁ ଏହି ସମସ୍ତ 6 ଆସନ ରାଜନୈତିକ ପତିଆରା ଓ ସମ୍ମାନ ଦୃଷ୍ଟିରୁ ବେଶ ଆହ୍ବାନପୂର୍ଣ୍ଣ ରହିଛି ।
ସମ୍ବଲପୁର ଲୋକସଭା ଆସନ:
ପଶ୍ଚିମ ଓଡିଶାର ମୁଖ୍ୟ ସହର ସମ୍ବଲପୁର ସଂସଦୀୟ କ୍ଷେତ୍ର ଚଳିତ ନିର୍ବାଚନରେ ସର୍ବାଧିକ ଚର୍ଚ୍ଚାରେ ରହିଛି । କାରଣ ଗତଥର ବିଜେପି ଦଖଲରେ ଥିବା ଏହି ଆସନରେ ଦଳର ରାଜ୍ୟର ବଡ ଚେହେରା କୁହାଯାଉଥିବା ତଥା କେନ୍ଦ୍ରରେ ମୋଦି କ୍ୟାବିନେଟରେ ଏକାଧିକ ଗୁରୁ ମନ୍ତ୍ରଣାଳୟ ସମ୍ଭାଳିଥିବା ଧର୍ମେନ୍ଦ୍ର ପ୍ରଧାନ ଏଥର ନିର୍ବାଚନ ଲଢୁଛନ୍ତି । ପ୍ରାୟ ଦଶନ୍ଧି ପରେ ଲୋକସଭା ଲଢେଇକୁ ଓହ୍ଲାଇଥିବା ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ମଧ୍ୟ ଟାଣୁଆ ପ୍ରାର୍ଥୀ ଲଢେଇବାର କୌଣସି ଅବସର ଛାଡିନି । ଦଳର ପାଓ୍ବାରଫୁଲ ନେତା କୁହାଯାଉଥିବା ତଥା ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଧର୍ମେନ୍ଦ୍ରଙ୍କ ବିରୋଧରେ ମୁକାବିଲା କରୁଛନ୍ତି । ଏହା ବବିଙ୍କ ପ୍ରଥମ ସଂସଦୀୟ ମୁକାବିଲା ହେବାକୁ ଯାଉଛି । ହେଲେ ଉପକୂଳର ନେତା ବବି ପଶ୍ଚିମରେ ଧରେନ୍ଦ୍ରଙ୍କୁ କିପରି ମାତ ଦେବେ ତାହା ସମୟ କହିବ । ତଥାପି ଏହି ଆସନରେ ଉଭୟ ଦଳର ପ୍ରଭାବ ଓ ସ୍ଥିତି ବେଶ ଭଲ ଥିବାରୁ ଏକ ଚିତାକର୍ଷକ ଲଢେଇ ସ୍ପଷ୍ଟ । ଏହି ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ସାଜିଛି । ଅନ୍ୟପଟେ କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତାରେ ନାହିଁ କହିଲେ ମଧ୍ୟ ଅତୁକ୍ତି ହେବ ନାହିଁ । ଦଳ ଏଥର ନଗେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନୀ ରଣାଙ୍ଗନରେ ଯୋଦ୍ଧା ସଜାଇଛି । ହେଲେ ସିଧା ଟକ୍କର ଧର୍ମେନ୍ଦ୍ର ଓ ବବିଙ୍କ ମଧ୍ୟରେ ହେଉଛି ।
ଭୁବନେଶ୍ବର ଲୋକସଭା ଆସନ:
ଗତଥର ବିଜେପି ଦଖଲରେ ଥିବା ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଏଥର ମଧ୍ୟ କଡା ଫାଇଟ । ସାଂସଦ ଅପରାଜିତାଙ୍କୁ ବିଜେପି ପୁଣି ଥରେ ପ୍ରାର୍ଥୀ କରିଥିବା ବେଳେ ବିଜେଡି ବରିଷ୍ଠ ପୂର୍ବତନ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ପ୍ରାର୍ଥୀ କରିଛି । ଭାରତୀୟ ପ୍ରଶାସନିକ ସେବାରୁ ଆସି ରାଜନୀତିରେ ପ୍ରବେଶ କରି ସାଂସଦ ହୋଇଥିବା ଅପରାଜିତାଙ୍କୁ ଟକ୍କର ଦେଉଛନ୍ତି ପାଇଲଟରୁ ରାଜନୀତିରେ ଲ୍ୟାଣ୍ଡିଂ କରିଥିବା ତରୁଣ ମନ୍ମଥ । ଗତଥର ଏହି ଆସନରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟଙ୍କ ଠାରୁ ମାତ୍ର କିଛି ବ୍ୟବଧାନରେ ବିଜୟୀ ହୋଇଥିଲେ ଅପରାଜିତା । ତେଣୁ ଏଥର ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ବାପା ତଥା କଂଗ୍ରେସର ପୂର୍ବତନ ଟାଣୁଆ ନେତା ସୁର ରାଉତରାୟଙ୍କ ପକେଟ ଭୋଟ ଭୁବନେଶ୍ବର ସଂସଦୀୟ ରାଜନୀତି ଗଣିତକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସୁରଙ୍କ ଭୋଟ ଓ ବିଜେଡିର ଦଳୀୟ ଭୋଟ ମନ୍ମଥଙ୍କୁ ଅପରାଜିତାଙ୍କ ବିରୋଧରେ ବିଜୟୀ କରିବ ବୋଲି ବିଜେଡି ଆଶା ବାନ୍ଧିଥିବା ବେଳେ ଅପରାଜିତା ମଧ୍ୟ ପୂର୍ବ ବିଜୟ ଧାରା ବଜାୟ ରଖିବାକୁ ଆଶାବାଦୀ । ପ୍ରଧାନମନ୍ତ୍ରୀ ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମଧ୍ୟ ରାଜଧାନୀରେ ରୋଡ ସୋ କରି ଅପରାଜିତାଙ୍କ ପାଇଁ ଭୋଟ ମାଗିଛନ୍ତି । ଅନ୍ୟପଟେ କଂଗ୍ରେସ ଏଥର ଯୁବ ଚେହେରା ୟାସିର ନଓ୍ବାଜଙ୍କୁ ନିର୍ବାଚନ ଲଢାଉଛି । ୟାସିର ଏବେ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ରହିଛନ୍ତି ।
ପୁରୀ ଲୋକସଭା ଆସନ:
ରାଜ୍ୟର ଆଧ୍ୟାତ୍ମିକ ରାଜଧାନୀ ପୁରୀ ଏହି ପର୍ଯ୍ୟାୟରେ ଭୋଟ ଦେବାକୁ ଯାଉଛି । ଗତଥର ଏହି ଆସନ ବିଜେଡି ଖାତାରେ ଥିବା ବେଳେ ଦଳ କିନ୍ତୁ ଏଥର ପ୍ରାର୍ଥୀ ପରିବର୍ତ୍ତନ କରିଛି । ଏଥର ଓକିଲଙ୍କ ସ୍ଥାନ ନେଇଛନ୍ତି ପୋଲିସ । ବର୍ତ୍ତମାନର ସାଂସଦ ପିନାକୀ ମିଶ୍ରଙ୍କ ସ୍ଥାନରେ ଗତଥର ଭୁବନେଶ୍ବରର ଆସନରୁ ପରାଜିତ ହୋଇଥିବା ପୂର୍ବ ଆଇପିଏସ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି । ବିଜେପି କିନ୍ତୁ ପ୍ରାର୍ଥୀ ଅପରିବର୍ତ୍ତିତ ରଖିଛି । ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୂର୍ବଥର ପରି ଏଥର ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । ନିଜେ ପ୍ରଧାନମନ୍ତ୍ରୀ ମୋଦି ପୁରୀରେ ରୋଡ ସୋ’ କରିବା ସହ ସମ୍ବିତଙ୍କ ପାଇଁ ଭୋଟ ମାଗିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା, ଚାରିଦ୍ବାର ବନ୍ଦ ପରି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜେଡିକୁ କ୍ରମାଗତ ଟାର୍ଗେଟ କରିବାରେ ଲାଗିଛି ବିଜେପି । ତେବେ କଂଗ୍ରେସ ପ୍ରାର୍ଥୀ ପରିବର୍ତ୍ତନ କରି ଜୟନାରାୟଣ ପଟ୍ଟନାୟକଙ୍କୁ ଟିକେଟ ଦେଇଛି ।