ମାଲକାନଗିରି:ଅସହ୍ୟ ଗରମରେ ଅଚେତ ହେଲେ ପୋଲିଂ କର୍ମଚାରୀ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ପୋଲିଂ ପାର୍ଟିମାନେ ବୁଥ ମୁହାଁ ହୋଇଛନ୍ତି । ତେବେ ମାଲକାନଗିରିରେ ୨ ପୋଲିଂ କର୍ମଚାରୀ ଅସହ୍ୟ ଗରମ ଯୋଗୁଁ ଅଚେତ ହୋଇଥିବା ସୂଚନା ରହିଛି । ତେବେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ଠାରୁ ମାଲକାନଗିରି ଜିଲ୍ଲାର ପୋଲିଂ ପାର୍ଟି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥିବା ବେଳେ ସମସ୍ତ ପୋଲିଂ କର୍ମଚାରୀ ମାଲକାନଗିରି ସରକାରୀ ପଲିଟେକ୍ନିକ କଲେଜର ପ୍ରସ୍ତାନ କେନ୍ଦ୍ରରୁ ସେମାନଙ୍କର ଇଭିଏମ, ଭିଭିପାଟ ଓ ସମସ୍ତ ମତଦାନ ସରଞ୍ଜାମ ଧରି ବୁଥ ଅଭିମୁଖେ ବାହାରିଛନ୍ତି ।
ମାଲକାନଗିରି ଜିଲାର ମୋଟ ୪ଲକ୍ଷ ୫୨ହଜାର ୫୪୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୫୪୭ଟି ବୁଥ କରାଯାଇଥିବା ବେଳେ ସେଥିରେ ୪୨ଟି ଆଦର୍ଶ ବୁଥ ରହିଛି । ଆଦର୍ଶ ବୁଥ ମଧ୍ୟରୁ ୩୦ଟି ସଖୀ ବୁଥ, ୧୦ଟି ଭିନ୍ନକ୍ଷମ ବୁଥ ରହିଛି । ଶନିବାର ମୋଟ ମୋଟ ୫୪୭ଟି ବୁଥର ପୋଲିଂ ପାର୍ଟିଙ୍କ ମଧ୍ୟରୁ ୫୧୫ ଟି ବୁଥର କର୍ମଚାରୀମାନେ ନିଜ ନିଜର ବୁଥକୁ ଯାଇଛନ୍ତି ଓ ଅନ୍ୟ ଆଦର୍ଶ ବୁଥର କର୍ମଚାରୀମାନଙ୍କର ଗସ୍ତ ଜାରି ରହିଛି ।