ଭୁବନେଶ୍ବର/ବ୍ରହ୍ମପୁର: ଖୋଲିଛି 2025/26 ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡି । ନିର୍ମଳାଙ୍କ ଆର୍ଥିକ ପେଡିରେ ରହିଛି ମଧ୍ୟବିତ୍ତଙ୍କ ଉପରେ ଫୋକସ । ବଜେଟକୁ ନେଇ ଆସିଛି ମିଶ୍ର ପ୍ରତିକ୍ରିୟା । ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି ଅର୍ଥନୈତିଜ୍ଞ ପ୍ରତିକ୍ରିୟା ରଖିଥିବା ବେଳେ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ସେହିପରି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ ।
ଚତୁରତାର ସହ କରିଛନ୍ତି ବଜେଟ:
କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ରୀୟ ବଜେଟ ଉପରେ ସମସ୍ତଙ୍କର ନଜର ଥାଏ । ବିଭିନ୍ନ ବର୍ଗର ଲୋକଙ୍କ ବିଜେଟରୁ ଆଶା ଥାଏ । 2025/26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ଚତୁରତାର ସହ ବଜେଟ କରିଛନ୍ତି । ମଧ୍ୟବିତ୍ତଙ୍କୁ ସନ୍ତୁଷ୍ଟ କରିବାକୁ ନିର୍ମଳାଙ୍କ ପେଡିରେ ବ୍ୟବସ୍ଥା କରାଯାଇଛି । ଚଳିତ ବଜେଟରେ ମଧ୍ୟବିତ୍ତ ଟିକେ ଅଧିକ ଲାଭବାନ ହୋଇଛନ୍ତି । ଜିଡିପି ଗ୍ରୋଥ ରେଟ 2024/25 ଆର୍ଥିକ ବର୍ଷରେ ହଠାତ କମିଆସିଛି । ଜାତୀୟ ଅଭିବୃଦ୍ଧି 6.03 ପ୍ରତିଶତ ଥିବା ବେଳେ ଏହା ଆହୁରି କମିବାର ସମ୍ଭାବନା ରହିଛି । ଏଥିରୁ ରକ୍ଷା ପାଇବା ଲାଗି 2025/26 ଆର୍ଥିକ ବର୍ଷ ପାଇଁ ଏକ ଭଲ ବଜେଟ ପ୍ରସ୍ତୁତ କରିଛନ୍ତି ।
1 କୋଟି କରଦାତା ସୁବିଧା ପାଇବେ:
ବଜେଟରେ କରଦାତାଙ୍କ ମଧ୍ୟରୁ ପ୍ରାୟ 1 କୋଟି ଲୋକ ସୁବିଧା ପାଇବେ । ମଧ୍ୟବିତ୍ତଙ୍କ ପାଖକୁ ଆସିଲେ ସେମାନେ ବଜାରକୁ ଯିବେ । ବଜାର ଚଳଚଞ୍ଚଳ ହେବ । ଏହା ଦ୍ୱାରା କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଲାଭନ୍ବିତ ହେବେ । ବଜାରରେ କିଛି ଜିନିଷ ଶସ୍ତା ହୋଇଛି । କପଡା, ଜୋତା ଓ ଅନ୍ୟାନ୍ୟ ସାମଗ୍ରୀ ଶସ୍ତା ହୋଇଛି । ଏଥିରେ ଥିବା ଜିଏସଟି ଦ୍ୱାରା ଲୋକଙ୍କ ଟଙ୍କା ବା ପକେଟ ଫାଙ୍କା ହୋଇଯିବ ।
ଔଷଧ ଦାମ ଶସ୍ତା:
ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ଔଷଧ ଦାମ ଶସ୍ତା କରାଯାଇଛି । କ୍ୟାନ୍ସର ପରି ଯନ୍ତ୍ରଣାଦାୟକ ରୋଗ ଲାଗି ଔଷଧ ଶସ୍ତା ହୋଇଛି । ସେହିପରି ପ୍ରତି ଜିଲ୍ଲା ମେଡ଼ିକାଲରେ କ୍ୟାନ୍ସର ୱାର୍ଡ ଖୋଲାଯିବ । ଭାରତରେ କ୍ୟାନ୍ସର ବ୍ୟାପି ଗଲାଣି ବୋଲି କେନ୍ଦ୍ର ସରକାର ସ୍ୱୀକାର କରିଛନ୍ତି । ଏହାର ଔଷଧ ଦର କମାଯାଇଛି । କର୍ପୋରେଟ ହସ୍ପିଟାଲର ବିଭିନ୍ନ ସୁବିଧା ସୁଯୋଗ ବ୍ୟବସ୍ଥା ହୋଇଛି । ଆସବାବପତ୍ର, ଯନ୍ତ୍ରପାତି କିଣାକିଣିରେ ରିହାତି ଦିଆଯାଇଛି । ଆଗାମୀ ଦିନରେ କର୍ପୋରେଟ ହସ୍ପିଟାଲରେ ରୋଗୀ ଚିକିତ୍ସା ଓ ଟେଷ୍ଟରେ ସୁବିଧା ପାଉଛନ୍ତି ନା ନାହିଁ ଦେଖିବାକୁ ପଡିବ । ସେହିପରି ୟୁରିଆ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବୁ ବୋଲି କୁହାଯାଇଛି । ୟୁରିଆ ଉତ୍ପାଦନ କରୁଥିବା ସଂସ୍ଥା ଲାଗି ରିହାତି ବ୍ୟବସ୍ଥା କରାଯିବ । ଏହା ଦ୍ୱାରା ଉତ୍ପାଦନ ବଢିବା ସହ ସଂସ୍ଥା ଲାଭବାନ ହେବ ।
ସେ ଆହୁରି କହିଛନ୍ତି, ‘ବଜେଟକୁ ନେଇ ଦୁଇଟି ସନ୍ଦେହ ଅଛି । ମୁଦ୍ରାସ୍ପିତି ବୃଦ୍ଧି ହେବ ନା ନାହିଁ ଓ ଦରଦାମ ନିୟନ୍ତ୍ରଣ ହେବ ନା ନାହିଁ ? ଯଦି ବଜାରରେ ଦରଦାମ ଓ ମୁଦ୍ରାସ୍ପିତି ବୃଦ୍ଧି ହୁଏ, ତେବେ ସରକାର ଓ ଜନସାଧାରଣ ପ୍ରଭାବିତ ହେବେ । ଏହା ଉପରେ ନଜର ରଖିବାକୁ ପଡିବ । ଟୁରିଜିମରେ ଆର୍ଥିକ ବ୍ୟବସ୍ଥା ରହିଛି । ଓଡିଶା ଏ କ୍ଷେତ୍ରରେ କେତେ ଆଣିପାରିବ ଦେଖିବାକୁ ପଡିବ । ଯଦି ଆଣି ହେବ ତାହାଲେ ଆମେ ଲାଭବାନ ହେବା । ନହେଲେ ଆମେ ଯେମିତି ଥିଲେ, ସେମିତି ରହିବା ।’
ବିହାରକୁ ଖୁସ କରିବାକୁ ସ୍ବତନ୍ତ୍ର ବ୍ୟବସ୍ଥା:
ସେ ଆହୁରି କହିଛନ୍ତି, ‘ଓଡିଶାରେ ନିର୍ବାଚନ ସରିଯାଇଛି । ଆମର ଆର୍ଥିକ ଆବଶ୍ୟକତା କଣ ଆବଶ୍ୟକତା ରହିଛି । ବିହାର ଓ ନୂଆଦିଲ୍ଲୀରେ ନିର୍ବାଚନ ରହିଛି । ତେଣୁ ସେଠାରେ ଆର୍ଥିକ ଆବଶ୍ୟକତା ରହିଛି । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଯୋଜନା ଓ ଅର୍ଥ ବରାଦ ହୋଇଛି । ବଜେଟକୁ ନେଇ ଦିଲ୍ଲୀରେ ଖୁସିର ଲହରୀ ଖେଳିଯାଇଥିବ । ବଜେଟରେ ବ୍ୟବସ୍ଥା ଯୋଗୁଁ ଲୋକେ ମାଡି ଆସିବେ । ବଜାରରେ ଲୋକ ସଂଖ୍ୟା ବଢିଲେ, ଦୋକାନୀ ଖୁସି ହେବ । କେନ୍ଦ୍ରୀୟ ଅଧିକାରୀ ଓ ପେନସନ ଉପଭୋକ୍ତାଙ୍କ ଆଶା ବଢିଛି । ସେହିପରି ବିହାରକୁ ମଧ୍ୟ ଖୁସି କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ନିଯୁକ୍ତି କ୍ଷେତ୍ର ପ୍ରସସ୍ଥ ହେବା ଲାଗି କୌଣସି ବ୍ୟବସ୍ଥା ନାହିଁ ।
ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ:
ବିଭିନ୍ନ କ୍ଷେତ୍ରକୁ ନଜରରେ ରଖି କେନ୍ଦ୍ର ସରକାର 2025/26 ବର୍ଷ ଲାଗି ବଜେଟରେ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଦେଶର ଅଭିବୃଦ୍ଧି ହାର 6.8 ରହିଛି । ଏହା ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ । ଏହା ସହ 5 ଟ୍ରିଲିୟନ ଇକୋନୋମୀ ସମ୍ଭବ ନୁହେଁ ବୋଲି କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି ।
ସୁବିଧା ପାଇବେ ମଧ୍ୟବିତ୍ତ:
ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ କହିଛନ୍ତି, "ପ୍ରତିବର୍ଷ କେନ୍ଦ୍ର ଓ ରାଜ୍ୟ ସରକାର ବଜେଟ ଆଗତ କରନ୍ତି । ଆୟ ଓ ବ୍ୟୟର ହିସାବ ଉପସ୍ଥାପନ କରନ୍ତି । ଆର୍ଥିକ ବର୍ଷ 2025/26ରେ ବିଭିନ୍ନ ବିଭାଗ ପାଇଁ ଅର୍ଥର ବ୍ୟବସ୍ଥା କରାଯାଇଛି । ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । କୃଷି ଉତ୍ପାଦନ ବୃଦ୍ଧି ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । କିଷାନ କ୍ରେଡିଟ କାର୍ଡର ପରିମାଣ ବୃଦ୍ଧି ହୋଇଛି । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ପରିମାଣ ମଧ୍ୟ ବୃଦ୍ଧି ହୋଇଛି । ଖାଇବା ତେଲ, ମତ୍ସ୍ୟ ଉତ୍ପାଦନ, ପନିପରିବା ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି । ମଧ୍ୟବିତ୍ତ ପରିବାର ଓ ଆୟକର ଗୋଷ୍ଠୀ ଯାହା ଆଶା କରୁଥିଲେ, ତାହା ହୋଇଛି । ମଧ୍ୟବିତ୍ତ ପରିବାର ଓ କର୍ମଜୀବୀ ନିଶ୍ଚୟ ସୁବିଧା ପାଇବେ ।
ସେ ଆହୁରି କହିଛନ୍ତି, ‘କେନ୍ଦ୍ର ସରକାର ବିକଶିତ ଭାରତ କଥା କହୁଛନ୍ତି । ବିକାଶ ସବୁ ସ୍ତରରେ ହେବା ଆବଶ୍ୟକ । ଅଳ୍ପ ପରିମାଣ ଲୋକଙ୍କ ହାତରେ ଦେଶର ପୁଞ୍ଜି ଠୁଳ ହେଉଛି । ପ୍ରାୟ 10 ପ୍ରତିଶତ ଲୋକଙ୍କ ପାଖରେ ପ୍ରାୟ 77 ଭାଗ ସମ୍ପତ୍ତି ରହିଛି । 1 ପ୍ରତିଶତ ଲୋକଙ୍କ ପାଖରେ 33 ଭାଗ ସମ୍ପତ୍ତି ରହିଛି । ଅନ୍ୟ ମାନେ ଦାରିଦ୍ର୍ୟ ଅବସ୍ଥାରେ ରହୁଛନ୍ତି । ମଧ୍ୟବିତ୍ତ ପରିବାରର ଉଲ୍ଲେଖନୀୟ ଉନ୍ନତି ହୋଇପାରୁ ନାହିଁ । ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ ସେମାନେ ଉପକୃତ ହେବେ । କେନ୍ଦ୍ର ସରକାର ଚଳିତ ବଜେଟ କେତେକ ଦିଗ ଉପରେ ଧ୍ୟାନ ଦେଇଛନ୍ତି ।
8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ:
ସେ ଆହୁରି କହିଛନ୍ତି, ‘ଦେଶର ଅଭିବୃଦ୍ଧି ହାର 6.8 ରହିଛି । ଏହା ବିକଶିତ ଭାରତ ପାଇଁ ଏହା ଯଥେଷ୍ଟ ନୁହେଁ । କିନ୍ତୁ 8 ପ୍ରତିଶତ ଅଭିବୃଦ୍ଧି ହାର ନହେଲେ ବିକଶିତ ଭାରତ ଚିନ୍ତା ଅସମ୍ପୂର୍ଣ୍ଣ ରହିବ । 5 ଟ୍ରିଲିୟନ ଇକୋନୋମୀ ସମ୍ଭବ ନୁହେଁ । ଦେଶର ଅଭିବୃଦ୍ଧି ହାର ବଢେଇବାକୁ ପଡିବ । ଦେଶରେ ପୁଞ୍ଜି ଖଟେଇବା ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । କିନ୍ତୁ ଭିତ୍ତିଭୂମି ବିକାଶ ପାଇଁ କିଛି ବ୍ୟବସ୍ଥା ନାହିଁ । ବଜେଟରେ ବ୍ୟୟ ବରାଦ ହୋଇନାହିଁ । ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅର୍ଥ ନାହିଁ । ଭିର୍ତ୍ତିଭୂମି ବିକାଶ ନହେଲେ ବଡ଼ ଶିଳ୍ପ, ପୁଞ୍ଜି ନିବେଶ ସମ୍ଭବ ହେବନାହିଁ ।’
ଓଡ଼ିଶା ଏହି ବଜେଟରେ ସନ୍ତୁଷ୍ଟ ହୋଇପାରିବ ନାହିଁ:
ଅନେକ ପ୍ରକଳ୍ପ ବିହାରକୁ ମିଳିଛି । ଓଡିଶା ପାଇଁ ବିଶେଷ ବ୍ୟବସ୍ଥା ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଓଡିଶା ପାଇଁ ଓଡିଶା ପାଇଁ ସ୍ୱତନ୍ତ୍ର ଅର୍ଥ ପ୍ରବଧାନ ନାହିଁ । ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଭିର୍ତ୍ତିଭୂମି ବିକାଶ ପାଇଁ ଦାବି ରଖିଥିଲେ । ସେ ପ୍ରତି କେନ୍ଦ୍ର ବିଶେଷ ଧ୍ୟାନ ଦେଇନାହିଁ । ଡବଲ ଇଞ୍ଜିନ ସରକାର ଆସିବା ପରେ ଡବଲ ଅର୍ଥ ଆସିବା କଥା । ଏହାର ସୂଚନା ଏଥିରେ କିଛି ନାହିଁ । ତେଣୁ ଓଡିଶା ଏହି ବଜେଟରେ ସନ୍ତୁଷ୍ଟ ହୋଇପାରିବ ନାହିଁ । ପେଟ୍ରୋଲ, ଡିଜେଲ ଦର କମିଲେ ଦରଦାମ କମିବ ନାହିଁ । ଏଥିରେ ଟିକସ ବଢ଼ିଲେ ଲାଭ କେନ୍ଦ୍ର ଓ ରାଜ୍ୟ ପାଇବେ ।
ଡ୍ରିମ୍ ବଜେଟ କୁହାଯାଇପାରେ:
ସେହିପରି ଆଇସିଏମଏଆଇ ଭୁବନେଶ୍ଵରର ଏକ୍ସ ଚେୟାର ମ୍ୟାନ ଆଶୁତୋଷ ଦେବାତ୍ତା ବଜେଟକୁ ନେଇ କହିଛନ୍ତି, ଏହି ବଜେଟ ବିଶେଷ ଭାବରେ ମାଧ୍ୟମ ଶ୍ରେଣୀଙ୍କ ପାଇଁ ବଜେଟ ଅଟେ । ଯାହା ଏହାକୁ ଆମେ ଡ୍ରିମ୍ ବଜେଟ କୁହାଯାଇପାରେ। ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଲାଗୁ ହେବ ନାହିଁ ଯାହାକୁ ସ୍ଵାଗତ କରିଛନ୍ତି । ୨୦୨୫-୨୬ ପାଇଁ କେନ୍ଦ୍ରୀୟ ବଜେଟରେ ଆୟକର ସ୍ଲାବ ଏବଂ ହାରରେ ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି । ଯାହା ଦ୍ବାରା ସମସ୍ତ ଟିକସଦାତା ଉପକୃତ ହେବେ । ସ୍ଲାବ୍ ହାର ଏବଂ ରିହାତି ହ୍ରାସ ଦ୍ବାରା ମଧ୍ୟବିତ୍ତ ବର୍ଗଙ୍କୁ ଯଥେଷ୍ଟ ଟିକସ ଆଶ୍ବସ୍ତି ମିଳିବ ଏବଂ ଘରୋଇ ଉପଭୋକ୍ତାଙ୍କ ଖର୍ଚ୍ଚ ଏବଂ ପୁଞ୍ଜିନିବେଶ ସୁଦୃଢ଼ ହେବ । ଏହା ସହ କୃଷି ଉପରେ ମଧ୍ୟ ଫୋକସ ଦିଆଯାଇଛି । ଯାହାକୁ ମଧ୍ୟ ସ୍ଵାଗତ କରିବା ସହ ଏହା କିଭଳି ଭାବରେ କାର୍ଯ୍ୟରେ ଆସିବ ସେନେଇ ମଧ୍ୟ କହିଛନ୍ତି ।
ବଜେଟ ସନ୍ତୋଷ ଜନକ:
ଚଳିତ ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ କରିଥିବା ବେଳେ ଏହା ମଧ୍ୟବିତ୍ତ ନୁହେଁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ବର୍ଗର ପାଇଁ ଅନେକ ସହାୟକ ହେବ ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ପ୍ରଫେସର ଭାଗବତ ପାତ୍ର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ତଥା ବରିଷ୍ଠ ଅର୍ଥନୈତିଜ୍ଞ ଭାଗବତ ପାତ୍ର ଚଳିତବର୍ଷର ବଜେଟକୁ ଅନୁଧ୍ୟାନ କଲେ ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତକୁ ଦେଖିଲେ ବଜେଟ ସନ୍ତୋଷଜନକ ବୋଲି କୁହାଯିବା ସହିତ ଜନସାଧାରଣଙ୍କ ଦ୍ୱାରା ଏହା ଆଦୃତ ହେବ ବୋଲି କହିଛନ୍ତି ।
୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ:
ବଜେଟରେ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ କରାଯାଇଛି । ଏଣୁ ଏହା ମଧ୍ୟବିତ୍ତ ନୁହେଁ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀ ବର୍ଗର ପାଇଁ ଅନେକ ସହାୟକ ହେବ ବୋଲି କୁହାଯାଇଛି । ୭ ଲକ୍ଷରୁ ଉର୍ଦ୍ଧ୍ବ ବା ସାତ ଲକ୍ଷ କହିଲେ ମାସିକ ୫୦ ହଜାର ଟଙ୍କା ଆୟ । ଏଣୁ ମଧ୍ୟବିତ୍ତ ନୁହେଁ ମୁଖ୍ୟତଃ ଏହା ଉଚ୍ଚ ମଧ୍ୟବିତ୍ତ ବୋଲି କୁହାଯାଇପାରେ । ଯେପରି କରର ପ୍ରଭାବ କମିବା ପାଇଁ ସରକାର ଉଦ୍ୟମ କରିଛନ୍ତି । ଭଲ ସଙ୍କେତ । ଉଚ୍ଚ ମଧ୍ୟବିତ ଯେମିତି ଜିନିଷ କ୍ରୟ କରିବେ । ଇନକମ୍ ଟେକ୍ସ କମିବ । ମୁଖ୍ୟତଃ ଗୋଟିଏ ହେଉଛି ଅର୍ଥନୈତିକ ଅଭିବୃଦ୍ଦି ଏବଂ ମୁଦ୍ରାସ୍ପୀତି । ଉଭୟ କେନ୍ଦ୍ର ସରକାରଙ୍କ ପ୍ରମୁଖ ଦାୟିତ୍ୱ ରହିଛି । ଅର୍ଥନୈତିକ ସର୍ଭେ ୬.୩ ରୁ ୬.୭ ବୋଲି କୁହାଯାଉଥିବା ବେଳେ ଏହା ଯେପରି ୭.୫ ରୁ ୭.୮ ପହଞ୍ଚିବ ତାହାକୁ ନେଇ ଉଦ୍ୟମ ରହିବା ଆବଶ୍ୟକ । ଗତ ବର୍ଷ ମାନଙ୍କରେ ଏହା ୮ ପ୍ରତିଶତ ପର୍ଯ୍ୟନ୍ତ ଯାଇଥିଲା ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ପ୍ରଫେସର ଭାଗବତ ପାତ୍ର ।ଏଣୁ ଏହା କମିବାର କାରଣ କଣ ତାହାର ସମାଧାନ ପାଇଁ ଉଦ୍ୟମ ଆବଶ୍ୟକତା ରହିଛି ।
ବାହାର ପୁଞ୍ଜି ନିବେଶକାରୀଙ୍କ ଅଧିକ ଆବଶ୍ୟକତା ରହିଛି:
ଆମେରିକାରେ ଟ୍ରମ୍ପ ଶାସନ ଯେପରି ବାହାର ଲୋକଙ୍କୁ ଆମେରିକାକୁ ଇନଭେଷ୍ଟମମେଣ୍ଟ ପାଇଁ ଡକାଯାଉଛି ଏହା ଫଳରେ ଆମର ଯେଉଁ ଏଫ୍.ଆଇ.ଏ ଅଛନ୍ତି ଯେଉଁମାନେ ବାହାର ପୁଞ୍ଜି ନିବେଶକାରୀ ଆମ ଦେଶରେ ରହିଛନ୍ତି ଆସ୍ତେ ଆସ୍ତେ ସେମାନେ ଆମ ଦେଶରୁ ପୁଞ୍ଜି ହଟାଉଛନ୍ତି । ପୁଞ୍ଜି ହଟାଇବା ଯୋଗୁଁ ଧିରେ ଧିରେ ଆମର ଷ୍ଟକ୍ ମାର୍କେଟ ଦୁର୍ବଳ ହୋଇଯାଉଛି ଏବଂ ଅଭିବୃଦ୍ଧି ସେହି ପରିମାଣରେ କମିଯାଉଛି ବୋଲି କହିଛନ୍ତି । ଯାହାକି ଏହାକୁ ଆମେ ବିଶେଷ କିଛି କରିପାରିବା ନାହିଁ ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ । ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ହେବା ପରେ ସେ ନିଶ୍ଚିତ ରୂପେ ତାଙ୍କ ଦେଶର କଥାକୁ ଚିନ୍ତା କରିବେ । ଏଭଳି ପରିସ୍ଥିତିରେ ଆମେ ତାଙ୍କ ସହିତ ବ୍ୟବସ୍ଥା କରି ତାହାକୁ ନେଇ କାର୍ଯ୍ୟ କରିବାର ଅଛି । ଏଫ୍.ଆଇ.ଏ ମାନଙ୍କର ନିବେଶ କମିଲେ ତାହାକୁ ନେଇ ଆମେ କିପରି କ୍ଷତି ପୂରଣ କରିପାରିବା ଆମର ନିବେଶ ଅନ୍ୟଠୁ ଆସିପାରିବ କି, ଏଭଳି ପରିସ୍ଥିତିରେ ଚାଇନାର ସ୍ଥିତି କଣ, ଚାଇନାରେ ଯେଉଁମାନେ ନିବେଶକାରୀ ସେମାନେ ଆମ ଦେଶକୁ ଆସିପାରିବେ କି । ଏପରିକି ଗତ କୋଭିଡ ସମୟରେ କୁହାଯାଉଥିଲା ଚାଇନାର ନିବେଶକାରୀ ସେଠାରୁ ମୁହଁ ଫେରାଇ ଭାରତକୁ ଆସିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ସେଭଳି କୌଣସି ବିଶେଷ ଭାବରେ ନିବେଶକାରୀ ଆସିବା ଭଳି ଦେଖିବାକୁ ମିଳୁନଥିବା କୁହାଯାଇଛି । ଏଣୁ ଯେତେ ଏଫ୍.ଆଇ.ଏ ଆସିବେ ପୁଞ୍ଜି ନିବେଶ କରିବେ ବୋଲି କୁହାଯାଇଛି ।
ଅଭିବୃଦ୍ଧି କ୍ଷେତ୍ରରେ ଯେଉଁ ସ୍ଥିରତା କ୍ରୟ ଶକ୍ତିର ଅଭାବ:
ସେ ଆହୁରି କହିଛନ୍ତି, ଆମର ଅଭିବୃଦ୍ଧି କ୍ଷେତ୍ରରେ ଯେଉଁ ସ୍ଥିରତା ଦେଖିବା ମିଳିଛି ଏହାର ମୁଖ୍ୟକାରଣ ହେଉଛି ଲୋକଙ୍କ ପାଖରେ କ୍ରୟ ଶକ୍ତିର ଅଭାବ ବୋଲି କୁହାଯାଇଛି । ଏଣୁ ବର୍ତ୍ତମାନ ଯେଉଁ କେନ୍ଦ୍ର ସରକାର ୧୨ ଲକ୍ଷ ଆୟ ଉପରେ ଟିକସ ଛାଡ ଦେଲେ ସେଥିରେ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର କ୍ରୟ ଶକ୍ତି ନିଶ୍ଚିତ ରୂପେ ବୃଦ୍ଧି ପାଇବ ବୋଲି କୁହାଯିବା ସହିତ ଏହି ବର୍ଗର ବ୍ୟକ୍ତିବିଶେଷ ମୁଖ୍ୟତଃ ଇଲୋଟ୍ରୋନିକସ, ଯାନବାହାନ ଠାରୁ ଆରମ୍ଭ କରି ବିଭିନ୍ନ ସାମଗ୍ରୀ ଏବଂ ଘରୋଇ ଉପକରଣ କ୍ରୟ କରୁନଥିବାର ନଜର ରହିଥିବାରୁ ଏହାକୁ କ୍ରୟ କଲେ ଉତ୍ପାଦନ ବୃଦ୍ଧି ପାଇବ ବୋଲି କୁହାଯାଇଛି । ଯାହାକୁ ଉତ୍ପାଦନ ବୃଦ୍ଧି ପାଇଲେ ଲୋକଙ୍କ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି କହିଛନ୍ତି ପ୍ରଫେସର । ଏଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଅନୁମାନ କରିଥିବା କୁହାଯାଇଛି ।
ତଳଶ୍ରେଣୀର ବ୍ୟକ୍ତିବିଶେଷଙ୍କ ପାଇଁ ସେଭଳି କିଛି ବଜେଟରେ କିଛି କରିନଥିବା କହିଛନ୍ତି । ମୁଖ୍ୟତଃ ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ଜି.ଏସ୍.ଟିରେ କିଛି କମିବା କଥା । ଏପରିକି ଦରଦାମ୍ ବୃଦ୍ଧିକୁ ବହୁତ ମାତ୍ରାରେ ଗୁରୁତ୍ୱ ଦେଉଥିବା ବେଳେ ଖାଇବା ତେଲ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବିଶେଷ ଭାବରେ ସରକାର ବଦଳି ନାହାନ୍ତି । କେବଳ ଜୀବନ ରକ୍ଷାକାରୀ କେତେକ ଔଷଧ ଏବଂ ଇଲୋଟ୍ରୋନିକ ଦର ସମେତ ହାତ ଗଣତି କେତେକ ଦର ଉପରେ ଶସ୍ତା କରାଯାଇଛି । ଏହା ଅବିବୃଦ୍ଧି ହାରରେ ବୃଦ୍ଧି ଘଟିବ ଏବଂ ଦରବୃଦ୍ଧିରେ ଯଦି ସରକାର ସଠିକ୍ ଭାବରେ ପରିଚାଳନା କରିପାରିବେ ଏବଂ ଜଳବାୟୁ ସହଯୋଗ କରିବ ଏବଂ ବିଭିନ୍ନ ସମୟରେ ଦେଖାଦେଉଥିବା ଆଳୁ ସଙ୍କଟ ଭଳି ସ୍ଥିତିକୁ ଉତ୍ପାଦନ ବୃଦ୍ଧି ପାଇଲେ ତାହାର ସମାଧାନ ହୋଇପାରିବ ବୋଲି କହିଛନ୍ତି ଅର୍ଥନୈତିକ ବିଶେଷଜ୍ଞ ପ୍ରଫେସର ଭାଗବତ ପାତ୍ର ।
ଡିଜିଟାଲ ସଂଶିଷ୍ଟ ସାମଗ୍ରୀ ପ୍ରୋତ୍ସାହନ ଦେବା ଉପରେ ସରକାର ଚାହୁଁଥିବା:
ବଜେଟରେ ମୁଖ୍ୟତଃ ସମସ୍ତ ଡିଜିଟାଲ ସଂଶିଷ୍ଟ ସାମଗ୍ରୀ ଉପରେ କେନ୍ଦ୍ର ସରକାର ପ୍ରୋତ୍ସାହନ ଦେବା ଉପରେ ସରକାର ଚାହୁଁଥିବା କହିଛନ୍ତି । ମୁଖ୍ୟତଃ ଜି.ଏସ୍.ଟି ସ୍ଲାବରେ କିଛି ପରିବର୍ତ୍ତନ ହେବା ପାଇଁ ଯେଉଁ ଅନୁମେୟ କରାଯାଉଥିଲା ତାହା କରାଯାଇନାହିଁ । ଯାହା ୧୨ ରୁ ୧୮ ପ୍ରତିଶତ ରହିଛି । ଯାହା ଅନୁମେୟ ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷଙ୍କର ପୂର୍ବ ସ୍ଥିତି ରହିବ । ଯାହା ଖର୍ଚ୍ଚ ବା ବ୍ୟୟରୁ କିଛି ସୁଫଳ ପାଇବା କଥା ବୋଲି କୁହାଯାଇଛି । ଏପରିକି ବଜେଟରେ ସେଭଳି କୌଣସି ନୂତନ ଯୋଜନା ଦେଇନଥିବା ବେଳେ ବିହାରକୁ ଅତ୍ୟଧିକ ଗୁରୁତ୍ୱ ଦିଆଯାଇଛି । ଯାହାକି ସେଠାରେ ଆଗାମୀ ନିର୍ବାଚନ ରହିଛି । ଏଣୁ ପ୍ରତେକ ସରକାର ନିର୍ବାଚନ ପୂର୍ବରୁ ଏହାକୁ ଗୁରୁତ୍ୱ ଦେଇଥାନ୍ତି ଏଥିରେ କୌଣସି ନୂତନତ୍ୱ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁରର ଅର୍ଥନୈତିକ ବିଶେଷଜ୍ଞ ପ୍ରଫେସର ଭାଗବତ ପାତ୍ର ।
ଇଟିଭି ଭାରତ, ଭୁବନେଶ୍ବର ଓ ବ୍ରହ୍ମପୁର