ନୂଆଦିଲ୍ଲୀ:ଚଳିତ ସଧାରଣ ନିର୍ବାଚନରେ 400 ପାର ଲକ୍ଷ୍ୟରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ନିର୍ବାଚନ ଲଢୁଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିରୋଧୀଙ୍କ ମହାମେଳି ‘ଇଣ୍ଡିଆ’ ମେଣ୍ଟର ନେତୃତ୍ବ ନେଉଛି । ତେବେ ଦେଶର ପ୍ରାୟ 6ଦଶନ୍ଧି ଧରି ଶାସନ କ୍ଷମତା ଦଖଲ କରିଥିବା ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଚଳିତଥର ସର୍ବକାଳୀନ କମ ଆସନରେ ସାଧାରଣ ନିର୍ବାଚନ ଲଢୁଛି । ପ୍ରଥମ ଥର କଂଗ୍ରେସ 400ରୁ କମ ଆସନରେ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛି । 2019 ରେ ଦଳ ଲଢିଥିବା ଆସନ ସଂଖ୍ୟାଠାରୁ 93 କମ ଆସନରେ ପ୍ରାର୍ଥୀ ଦେଇଛି । ଗତଥର 421 ଆସନରେ ନିର୍ବାଚନ ଲଢିଥିଲା କଂଗ୍ରେସ ।
2019 ରେ କଂଗ୍ରେସ ଦେଶରେ 421 ଆସନରେ ନିର୍ବାଚନ ଲଢିଥିଲା । ମାତ୍ର ଦଳକୁ ନୈରାଶ୍ୟଜନକ ଫଳାଫଳର ସାମ୍ନା କରିବାକୁ ପଡିଥିଲା । ଦଳ ମାତ୍ର 54 ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲା । ଉତ୍ତର ପ୍ରଦେଶରେ ଦଳର ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଠୀ ଆସନରୁ ପରାଜିତ ହୋଇଥିଲେ । ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକମାତ୍ର କଂଗ୍ରେସ ସାଂସଦ ଭାବେ ରାୟବରେଲୀରୁ ବିଜୟୀ ହୋଇଥିଲେ । ରାହୁଲ ଚଳିତଥର ମା’ଙ୍କ ପାରମ୍ପରିକ ଆସନରୁ ନିର୍ବାଚନ ଲଢୁଛନ୍ତି । ଚଳିତଥର କଂଗ୍ରେସ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଛି । ହେଲେ ସହଯୋଗୀ ଦଳମାନେ କଂଗ୍ରେସକୁ ଅଧିକ ଆସନ ଛାଡିବା ପାଇଁ ରାଜି ନାହାନ୍ତି । ଉତ୍ତର ପ୍ରଦେଶ, ବିହାର ଓ ତାମିଲନାଡୁରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଥିବା ଆରଜେଡି, ସମାଜବାଦୀ ପାର୍ଟି ଓ ଷ୍ଟାଲିନଙ୍କ ‘ଡିଏମକେ’ ଅଧିକ ଆସନରେ ଲଢୁଛନ୍ତି । ତେଣୁ କଂଗ୍ରେସକୁ ଗତଥର ଠାରୁ ପ୍ରାୟ 93 କମ ଆସନରେ ପ୍ରାର୍ଥୀ ଦେବାକୁ ପଡିଛି ।
ଏହା ମଧ୍ୟ ପଢନ୍ତୁ:- ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ