ଭୁବନେଶ୍ବର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଆଜି ପୁଣି ଫେରାଦ ହୋଇଛି ବିଜେଡି । ବିଜେପି ବିରୋଧରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡିର ଏକ ପ୍ରତିନିଧି ଦଳ । ମହିଳାଙ୍କୁ ଫୋନ କଲ ମାଧ୍ୟମରେ ବିଜେପି ନେତା ଧମକାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।
ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର କହିଛନ୍ତି, "ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲୁ । ବିଜେପିର ନେତା ଓ କର୍ମୀମାନେ ଓଡିଶାର ନାରୀ ଶକ୍ତିକୁ ଯେଉଁଭଳି ଭାବେ ଅପମାନିତ କରୁଛନ୍ତି, ତା ବିରୋଧରେ ଫେରାଦ ହୋଇଥିଲୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗତକାଲି ପ୍ରଥମ ପର୍ଯ୍ୟାୟର ନିର୍ବାଚନ ସରିଛି । ଓଡିଶାର ମା', ଭଉଣୀମାନେ ବିଜେଡକୁ ସମର୍ଥନ କରୁଥିବା ସ୍ପଷ୍ଟ ହୋଇଛି । ଏଥିରେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ, କର୍ମକର୍ତ୍ତା ଓ ପ୍ରାର୍ଥୀମାନେ ଭୟଭୀତ ହୋଇଯାଇଛନ୍ତି । ସେଥିପାଇଁ ସେମାନେ ଗତକାଲି ରାତିରୁ ନୂଆ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ପୁଣି ସେହି ଫୋନ କଲ କରିବା ସେମାନେ ଆରମ୍ଭ କରି ଦେଇଛନ୍ତି । ଧମକ ଚମକ ଦେବା ଆରମ୍ଭ ହୋଇଯାଇଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ଆଶା ଦିଦି, ଅଙ୍ଗନବାଡି ଦିଦି, ମିଶନ ଶକ୍ତି ମା'ଙ୍କୁ ଧମକ ଦିଆଯାଉଛି । 'ତୁମେ ଆମ କଥାରେ ଚାଲ, ନହେଲେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ', ଏଭଳି କୁହାଯାଉଛି । ଏହି କିଛିଦିନ ହେଲାଣି ଆମେ ଅନେକ ଥର ଏହି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ବାରସ୍ଥ ହୋଇଛୁ । ବାରମ୍ବାର ଅଭିଯୋଗ କରିଆସିଛୁ । 17-18 ଦିନ ପରେ ନିର୍ବାଚନ ସରିଯିବ । 17-18 ଦିନ ପରେ ଏମାନେ ଆଉ ଧମକ ଚମକ ଦେଇପାରିବେ ନାହିଁ । ଧମକେଇବାର ଆବଶ୍ୟକତା ମଧ୍ୟ ପଡିବ ନାହିଁ । କିନ୍ତୁ ଏବେ ସେମାନେ ମା'ମାନଙ୍କୁ ଯେମିତି ଧମକାଉଛନ୍ତି, ଷଡ଼ଯନ୍ତ୍ର କରୁଛନ୍ତି ଓ ଅପମାନିତ କରୁଛନ୍ତି । ଫଳରେ ସେମାନଙ୍କ ଜୀବନ ବ୍ୟତିବ୍ୟସ୍ତ ହୋଇଯାଉଛନ୍ତି । ଆଜି ସେମାନଙ୍କ ମନରେ ଓ ପରିବାର ଲୋକଙ୍କ ମନରେ ଭାଳେଣି ପଡିଲାଣି ।"