ଓଡିଶା

odisha

ଜନାଦେଶ 2024: କେମିତି ଥିଲା 2014-2019 ନିର୍ବାଚନ ଫଳାଫଳ, କାହା ଭାଗରେ କେତେ ପଡିଥିଲା ଆସନ ? - 2014 and 2019 election results

By ETV Bharat Odisha Team

Published : Jun 1, 2024, 7:10 PM IST

Lok Sabha Election 2014 and 2019 Result: ଶେଷ ହେଲା ସାଧାରଣ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ । ଭୋଟ ବାକ୍ସରେ ସିଲ ହେଲା ନେତାଙ୍କ ଭାଗ୍ୟ । ଏବେ ଅପେକ୍ଷା ଆସନ୍ତା 4 ତାରିଖ ଜନାଦେଶ ଉପରେ । ନଜର ପକାନ୍ତୁ 2019 ଓ 2014 ସାଧାରଣ ନିର୍ବାଚନରେ ରାଜ୍ୟରେ କି’ଏ ଜିତିଥିଲା କେତେ ସଂସଦୀୟ ଆସନ । ଅଧିକ ପଢନ୍ତୁ

2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ
2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ (ETV Bharat Odisha)

ହାଇଦ୍ରାବାଦ: ଆଜି ଦେଶର ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ସାଧାରଣ ନିର୍ବାଚନ ସହ 4 ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି । ସଂଧ୍ୟାରେ ମତଦାନ ଶେଷ ହେବା ପରେ ପ୍ରାର୍ଥୀଙ୍କ ଭାଗ୍ୟ ‘ଇଭିଏମ’ରେ ସିଲ ହୋଇଛି । ଏହା ସହ ଜୁନ 4ରେ ମତଗଣନା ସହ ଜନାଦେଶ ପ୍ରକାଶ ପାଇବ । ତେବେ ଚଳିତ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ଓ କଂଗ୍ରେସ ନେତୃତ୍ବାଧୀନ ‘ଇଣ୍ଡିଆ’ ମେଣ୍ଟ ମଧ୍ୟରେ ମୁଖ୍ୟ ଲଢେଇ ହେଉଛି । କଂଗ୍ରେସ ନେତୃତ୍ବାଧୀ ‘ୟୁପିଏ’ ଏବେ ‘ଇଣ୍ଡିଆ’ ମେଣ୍ଟର ଅଘୋଷିତ ରୂପ ନେଇଛି । ଆଉ ତିନି ଦିନ ପରେ ଅଷ୍ଟାଦଶ ଲୋକସଭା ନିର୍ବାଚନର ଫଳାଫଳ ଆସିବାକୁ ଯାଉଥିବା ବେଳେ ନଜର ପକାନ୍ତୁ ଗତ ଦୁଇ ସାଧାରଣ ନିର୍ବାଚନ ତଥା 2019 ଓ 2014 ନିର୍ବାଚନ ଫଳାଫଳ ଉପରେ ।

2019 କିଏ ପାଇଥିଲା କେତେ ସିଟ୍‌ ?

2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ (ETV Bharat Odisha)

21 ଲୋକସଭା ଆସନ ମଧ୍ୟରୁ ଗତଥର ଭାରତୀୟ ଜନତା ପାର୍ଟି (ବିଜେପି) ଶାସକ ଦଳ ବିଜେଡି ବିରୋଧରେ ସର୍ବକାଳୀନ ଭଲ ପ୍ରଦର୍ଶନ କରିଥିଲା । ବିଜେଡି ସର୍ବାଧିକ 12 ଆସନରେ ଜିତିଥିବା ବେଳେ ବିଜେପି 8ଟି ଆସନରେ ବିଜୟ ଲାଭ କରିଥିଲା । କଂଗ୍ରେସ ଅବଶିଷ୍ଟ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ବିଜେପି ପଶ୍ଚିମ ଓ ଉତ୍ତର ଓଡିଶାର ଏକାଧିକ ସଂସଦୀୟ ଆସନରେ ଭଲ ପ୍ରଦର୍ଶନ କରିଥିଲା । ବରଗଡ, ସୁନ୍ଦରଗଡ, ବାଲେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗୀର ଓ ଭୁବନେଶ୍ବର ଆସନରେ ବିଜୟୀ ହୋଇଥିଲା ବିଜେପି । କେବଳ ଦକ୍ଷିଣ ଓଡିଶାର କୋରାପୁଟ ଆସନରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଏକମାତ୍ର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଅବଶିଷ୍ଟ 12 ଆସନ ଶାସକ ବିଜେଡି ଦଖଲରେ ରହିଥିଲା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବିଜୁ ଜନତା ଦଳ ପ୍ରାର୍ଥୀମାନେ ବିଜୟୀ ହୋଇଥିଲେ ।

2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ (ETV Bharat Odisha)

ନିର୍ବାଚିତ ହୋଇଥିବା ବିଜେଡି ସାଂସଦ:

କେନ୍ଦୁଝର ଚନ୍ଦ୍ରାଣୀ ମୁର୍ମୁ
ଭଦ୍ରକ ମଞ୍ଜୁଲତା ମଣ୍ଡଳ
ଯାଜପୁର ଶର୍ମିଷ୍ଠା ସେଠୀ
ଢେଙ୍କାନାଳ ମହେଶ ସାହୁ
ନବରଙ୍ଗପୁର ରମେଶ ମାଝୀ
କନ୍ଧମାଳ ଅଚ୍ୟୁତ ସାମନ୍ତ
କଟକ ଭର୍ତ୍ତୃହରି ମହତାବ
କେନ୍ଦ୍ରାପଡା ଅନୁଭବ ମହାନ୍ତି
ଜଗତସିଂହପୁର ରାଜଶ୍ରୀ ମଲ୍ଲିକ
ଆସିକା ପ୍ରମିଳା ବିଷୋୟୀ
ପୁରୀ ପିନାକି ମିଶ୍ର
ବ୍ରହ୍ମପୁର ଚନ୍ଦ୍ରଶେଖର ସାହୁ

ବିଜେପି ସାଂସଦ:-

ଭୁବନେଶ୍ବର ଅପରାଜିତା ଷଡଙ୍ଗୀ
ବରଗଡ ସୁରେଶ ପୁଜାରୀ
ସୁନ୍ଦରଗଡ ଜୁଏଲ ଓରାମ
ସମ୍ବଲପୁର ନିତେଶ ଗଙ୍ଗଦେବ
ମୟୂରଭଞ୍ଜ ବିଶେଶ୍ବର ଟୁଡୁ
ବାଲେଶ୍ବର ପ୍ରତାପ ଷଡଙ୍ଗୀ
ବଲାଙ୍ଗୀର ସଙ୍ଗୀତା ସିଂହଦେଓ
କାଳାହାଣ୍ଡି ବସନ୍ତ ପଣ୍ଡା

କଂଗ୍ରେସ ସାଂସଦ

କୋରାପୁଟ ସପ୍ତଗିରି ଉଲାକା

2014 ନିର୍ବାଚନରେ କିଏ ପାଇଥିଲା କେତେ ?

2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ (ETV Bharat Odisha)

2014 ସାଧାରଣ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ସପକ୍ଷରେ ଏକପାଖିଆ ଜନାଦେଶ ଯାଇଥିଲା । ସେଥର 21 ଆସନ ମଧ୍ୟରୁ ବିଜେଡି 20 ଆସନରେ ବିଜୟ ଲାଭ କରିଥିଲା । ଭାରତୀୟ ଜନତା ପାର୍ଟି ମାତ୍ର ଗୋଟିଏ ଆସନରେ ବିଜୟ ଲାଭ କରିବାରେ ସୀମିତ ରହିଥିଲା । ପଶ୍ଚିମ ଓଡିଶାର ସୁନ୍ଦରଗଡରେ ଭାଜପା ପ୍ରାର୍ଥୀ ଜୁଏଲ ଓରାମ ନିର୍ବାଚନ ଜିତିଥିଲେ । ସେହିପରି ଗ୍ରାଣ୍ଡ ଓଲ୍ଡ ପାର୍ଟି କଂଗ୍ରେସ ରାଜ୍ୟରେ ସଂସଦୀୟ ଖାତା ଖୋଲି ପାରିନଥିଲା । ଏକମାତ୍ର ଆସନ ଜିତିଥିବା ବିଜେପି ଜୁଏଲ ଓରାମଙ୍କୁ କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ କରିଥିଲା ।

2014 ଓ 2019 ରେ କାହାକୁ ମିଳିଥିଲା କେତେ ଆସନ (ETV Bharat Odisha)

ବିଜୟୀ ବିଜେଡି ସାଂସଦ

  • ବରଗଡ- ପ୍ରଭାସ ସିଂ
  • ସମ୍ବଲପୁର- ନାଗେନ୍ଦ୍ର ପ୍ରଧାନ
  • କେନ୍ଦୁଝର- ସକୁନ୍ତଳା ଲାଗୁରୀ
  • ମୟୂରଭଞ୍ଜ - ରାମଚନ୍ଦ୍ର ହାଂସଦା
  • ବାଲେଶ୍ବର - ରବିନ୍ଦ୍ର ଜେନା
  • ଭଦ୍ରକ - ଅର୍ଜୁନ ସେଠୀ
  • ଯାଜପୁର - ରିତା ତରାଇ
  • ଢେଙ୍କାନାଳ - ତଥାଗତ ଶପପଥୀ
  • ବଲାଙ୍ଗୀର - କଳିକେଶ ସିଂହଦେଓ
  • କଳାହାଣ୍ଡି - ଅର୍କ କେଶରୀ ଦେଓ
  • ନବରଙ୍ଗପୁର - ବଳଭଦ୍ର ମାଝୀ
  • କନ୍ଧମାଳ - ହେମେନ୍ଦ୍ର ଚନ୍ଦ୍ର ସିଂ
  • କଟକ - ଭର୍ତ୍ତୃହରି ମହତାବ
  • କେନ୍ଦ୍ରାପଡା - ବୈଜୟନ୍ତ ପଣ୍ଡା
  • ଜଗତସିଂହପୁର - କୁଳମଣି ସାମଲ
  • ପୁରୀ - ପିନାକି ମିଶ୍ର
  • ଭୁବନେଶ୍ବର - ପ୍ରସନ୍ନ ପାଟ୍ଟଶାଣୀ
  • ଆସିକା - ଲଡୁ କିଶୋର ସ୍ବାଇଁ
  • ବ୍ରହ୍ମପୁର - ସିଦ୍ଧାନ୍ତ ମହାପାତ୍ର
  • କୋରାପୁଟ - ଝିନ୍ନ ହିକକା

ବିଜେପି ସାଂସଦ:

ସୁନ୍ଦରଗଡ ଜୁଏଲ ଓରାମ

ଚଳିତ ନିର୍ବାଚନ:

ଚଳିତଥର ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟ କଡା ଟକ୍କର ହେଉଛି । ଏଥର ଦଳବଦଳ କାରଣରୁ ଉଭୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି । ଏହା ସହ ବିଜେପି କ୍ୟାମ୍ପ ପୂର୍ବାପେକ୍ଷା ଅଧିକ ସକ୍ରିୟ ନଜର ଆସୁଛି । ଦଳ ମଧ୍ୟ ଏଥର ପୂର୍ବାପେକ୍ଷା ଅଧିକ ଆକ୍ରାତ୍ମକ ଭାବେ ବିଜେଡି ବିରୋଧରେ ପ୍ରଚାର କରିଛି । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତମାମ ବିଜେପି କେନ୍ଦ୍ରୀୟ ନେତା ଓଡିଆ ଅସ୍ମିତା ଓ ଜଗନ୍ନାଥ ମନ୍ଦିର ଅବ୍ୟବସ୍ଥା ପ୍ରସଙ୍ଗ ଓ ନବୀନଙ୍କ କାର୍ଯ୍ୟଶୈଳୀ ନେଇ କଡା ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି ।

ଦୀର୍ଘ 24 ବର୍ଷ ରାଜ୍ୟରେ କ୍ଷମତା ଦଖଲ କରିଥିବା ବିଜେଡି ମଧ୍ୟ ଏଥର ନିଶ୍ଚିତ ବିଜୟର ଦମ୍ଭୋକ୍ତି ଦେଖାଉଛି । ନିଜେ ନବୀନ ପଟ୍ଟନାୟକ ଓ ରାଜନୀତିରେ ବେଶ ସକ୍ରିୟ ଥିବା ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ବିଜେପି ଉପରେ ମଧ୍ୟ ପାଲଟା ବର୍ଷିଛନ୍ତି । 9 ତାରିଖରେ ନବୀନ ରାଜ୍ୟରେ 6ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଓ ଏହା ନହୋଇ ପାରିଲେ ରାଜନୀତିରୁ ସନ୍ୟାସ ନେବାକୁ ପାଣ୍ଡିଆନ ଘୋଷଣା କରିଛନ୍ତି । ଏସବୁ ଆକ୍ରମଣ ପ୍ରତିଆକ୍ରମଣ ମଧ୍ୟରେ ଆଜି ରାଜ୍ୟ ଓ ଦେଶରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି । ଆଉ ମାତ୍ର 3 ଦିନ ପରେ ଜନାଦେଶ ପ୍ରକାଶ ପାଇବ । ଆଜି ପ୍ରକାଶ ପାଇଥିବା ‘ଏକଜିଟ ପୋଲ’ ‘ଏକଜାକ୍ଟ ପୋଲ’ ହେବ, ନା ଭୁଲ ପ୍ରମାଣିତ ହେବ, ତାହା ଉପରେ ସମସ୍ତଙ୍କ ନଜର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details