ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ପରେ ଏବେ କଣ ଜେଲରୁ ଚାଲିପାରିବ କି ସରକାର ? ଇଡି ଦ୍ବାରା ଏକାଧିକ ଥର କେଜ୍ରିୱାଲଙ୍କୁ ସମନ ଜାରି କରାଯିବା ପରେ ଦଳର ଶୀର୍ଷ ନେତୃତ୍ବଙ୍କ ମଧ୍ୟରେ ଏହି ପ୍ରଶ୍ନ ଉଠିଥିଲା । ଜେଲରୁ ରହି ଆପ୍ ସରକାର ଚାଲିବ ବୋଲି ଦଳୀୟ ନେତା କହିଥିଲେ । ଗୁରୁବାର ଯେତେବେଳେ କେଜ୍ରିୱାଲଙ୍କୁ ଇଡି ଗିରଫ କଲା ସେତେବେଳେ ମଧ୍ୟ ଦଳୀୟ ନେତା ସମାନ କଥାକୁ ଦୋହରାଇଥିଲେ । ହେଲେ ବାସ୍ତବରେ କଣ ଜେଲରୁ ସରକାର ସମ୍ଭାଳିବା ସମ୍ଭବ ହେବ ? ଏହା ଏବେ ବଡ଼ ପ୍ରଶ୍ନ । ଯଦି ଏପରି ନ ହୁଏ, ତେବେ ଆପ ନେତା ଆତିଶି, ସୌରଭ, ଗୋପାଳ ରାୟ ନା କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ସମ୍ଭାଳିବେ କମାଣ । ଏ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।
ଆପ୍ ସରକାରରେ ନେତୃତ୍ବ ସଙ୍କଟରେ !:- ସମ୍ବିଧାନ ବିଶେଷଜ୍ଞ ଏସ.କେ ଶର୍ମାଙ୍କ କହିବାନୁଯାୟୀ ଯେତେବେଳ ପର୍ଯ୍ୟନ୍ତ କେଜ୍ରିୱାଲ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି, ସେତେବେଳ ପର୍ଯ୍ୟନ୍ତ ତାଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପଦ ରହିପାରିବ । କିନ୍ତୁ ପ୍ରାକ୍ଟିକାଲି ଦେଖିଲେ, ଜେଲରୁ ରହି ସରକାରୀ କାର୍ଯ୍ୟ ଚଲାଇବା ସହଜ ନୁହେଁ । ସରକାରୀ ଯୋଜନା, ନିଷ୍ପତ୍ତି ଓ ସହମତି ନେବା ଲାଗି ପ୍ରଥମେ କୋର୍ଟଙ୍କ ଅନୁମତି ଆଣିବାକୁ ପଡିବ । ଏହାପରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ମତ ନେବା ଲାଗି ଜେଲକୁ ଯିବାକୁ ଅନୁମତି ମିଳିବ । ଏଭଳି ସ୍ଥିତିରେ ଏବେ ଚର୍ଚ୍ଚା ହେଉଛି ଯେ 'ଆପ୍ ସରକାରରେ ନେତୃତ୍ବ ସଙ୍କଟ ଉତ୍ପନ୍ନ ହୋଇନି ତ ?' କାରଣ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର ଶୀର୍ଷ ନେତା ଏବେ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଯେଉଁମାନେ ପୁରୁଣା ସହଯୋଗୀ ଥିଲେ, ସେମାନଙ୍କଠାରୁ କେଜ୍ରିୱାଲ ସମ୍ପର୍କ ଛିନ୍ନ କରିସାରିଛନ୍ତି ।
ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ? :-ଅରବିନ୍ଦ କେଜ୍ରିୱାଲଙ୍କ ପୁରୁଣା ସହଯୋଗୀ ତଥା ସୁପ୍ରିମକୋର୍ଟଙ୍କ ପୂର୍ବତନ ଜଷ୍ଟିସ ସନ୍ତୋଷ ହେଗଡେ କେଜ୍ରିୱାଲଙ୍କ ଗିରଫଦାରୀ ପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, " କ୍ଷମତାକୁ ଆସିଲେ ଲୋଭ ମଣିଷ ଉପରେ ଭାରି ପଡେ । ଯାହାକି ସ୍ପଷ୍ଟ ଭାବେ ଦେଖିବାକୁ ମିଳେ । ଲାଗୁଥିଲା ଆପ୍ ସରକାର ଏହାଠୁ ଦୂରେଇ ରହିବ । ହେଲେ ତାହା ବାସ୍ତବରେ ଘଟିନଥିଲା ।" ସନ୍ତୋଷ ହେଗଡ଼େଙ୍କ ଏପରି ପ୍ରତିକ୍ରିୟାରୁ ସ୍ପଷ୍ଟ ସେ କେଜ୍ରିୱାଲଙ୍କ ବିରୋଧରେ ଅଛନ୍ତି । ତେବେ ଏଠାରେ ପ୍ରଶ୍ନ ଯଦି କେଜ୍ରିୱାଲ ନିଜେ ଆଗକୁ ଆସି ଇସ୍ତଫା ଦିଅନ୍ତି, ତେବେ ଆପ୍ ସରକାରରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ?
ଏହା ବି ପଢନ୍ତୁ- ଦିଲ୍ଲୀ ଅବକାରୀ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ କେଜ୍ରିୱାଲ: ଇଡି