ରାଉରକେଲା : ନେତାଙ୍କ ପାଇଁ ହଟ୍ଟହଟ୍ଟା ଜନତା । ବିଧାୟକ ପ୍ରାର୍ଥୀଙ୍କ ନାମାଙ୍କନ ଭରିବାକୁ ଯିବାବେଳେ ସମର୍ଥକଙ୍କ ବେପରୁଆ ରାଲି ଯୋଗୁଁ ସୁନ୍ଦରଗଡ ଜିଲ୍ଲା ବଣାଇରେ ଉପୁଜିଲା ଟ୍ରାଫିକ ସମସ୍ୟା । ଘଣ୍ଟାଏ ଧରି ଜାମରେ ଫସିରହିଲା ୩ ଆମ୍ବୁଲାନ୍ସ । ଅନ୍ୟପଟେ ଘରକୁ ଫେରିଲା ବେଳେ ସମର୍ଥକମାନେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ଏହି ଦୁର୍ଘଟଣାରେ ପାଖାପାଖି ୮ ଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୁନ୍ଦରଗଡ ଜିଲ୍ଲା ବଣାଇ ସହରର ମୁଖ୍ୟ ରାସ୍ତାରେ ଗୁରୁବାର ଦିନ ଅପ୍ରୀତିକର ଘଟଣା ଦେଖିବାକୁ ମିଳିଛି । ନେତାଙ୍କ ରାଲି ପାଇଁ ଘଣ୍ଟାଏ ଧରି ଫସି ରହିଲା ଆମ୍ବୁଲାନ୍ସ । ଗୋଟିଏ ନୁହେଁ ବରଂ ତିନି ତିନିଟି ଆମ୍ବୁଲାନ୍ସ ଏଭଳି ଫସି ରହିଥିବା ଦେଖିବାକୁ ମିଳିଛି । ତେବେ ଟ୍ରାଫିକ ଏବଂ ପୋଲିସ ବିଭାଗ ପକ୍ଷରୁ ଟ୍ରାଫିକ ପରିଚାଳନାରେ ଅବହେଳା ସହ ନେତାଙ୍କ ସମର୍ଥକମାନଙ୍କ ବେପରୁଆ ରାଲି ଯୋଗୁଁ ରାସ୍ତା ମଝିରେ ଘଣ୍ଟାଏ ଧରି ଫସି ରହିଲା ତିନୋଟି ଆମ୍ବୁଲାନ୍ସ ।
ବଣାଇରେ ଗୁରୁବାର CPIM ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ନାମାଙ୍କନ ଭରିବାକୁ ଗଲାବେଳେ ଏଭଳି ସ୍ଥିତି ଉପୁଜିଥିଲା । ସମର୍ଥକମାନଙ୍କ ସହ ବିଶାଳ ରାଲିରେ ଯାଉଥିବା ବେଳେ ବଣାଇ ସହରର ମୁଖ୍ୟ ରାସ୍ତାରେ ପ୍ରବଳ ଗାଡି ଜାମ ହୋଇଯାଇଥିଲା । ରାସ୍ତା କଡରେ ଶହ ଶହ ଗାଡି ଅଟକି ରହିଥିଲା । ଏହାମଧ୍ୟରେ ୩ଟି ଆମ୍ବୁଲାନ୍ସ ମଧ୍ୟ ଫସି ରହିଥିଲା । ପାଖାପାଖି ଘଣ୍ଟାଏ ଧରି ୩ଟି ଆମ୍ବୁଲାନ୍ସ ଫସି ରହିଥିବା ବେଳେ ବାରମ୍ବାର ସାଇରନ ମାରିବା ସତ୍ତ୍ବେ ନେତାଙ୍କ ସମର୍ଥକମାନେ ରାସ୍ତାରୁ ହଟୁନଥିବା ଦେଖିବାକୁ ମିଳିଛି । ସେହି ସମୟରେ ୩ଟି ଆମ୍ବୁଲାନ୍ସରେ ଗୁରୁତର ରୋଗୀ ମଧ୍ୟ ରହିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।