ଝାରସୁଗୁଡା: କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂକୁ ନେଇ ହାଇଡ୍ରାମା ଘଟଣାରେ ଝାରସୁଗୁଡ଼ାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ‘ବିଜେଡ଼ି’ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ଗତକାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏହି ୭ ଜଣିଆ ଟିମ୍ ସଦସ୍ୟମାନେ ପହଞ୍ଚି ସମିତିସଭ୍ୟ ଓ ସରପଞ୍ଚକୁ ନେଇ ବୈଠକ କରିଛନ୍ତି । ତେବେ ପ୍ରେସମିଟ୍ କରି ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛି ବିଜେଡିର ଏହି ପ୍ରତିନିଧି ମଣ୍ଡଳୀ । ଏହା ସହ ଟିମ୍ ଯାହା ଅନୁଧ୍ୟାନ କରିଛି ନବୀନଙ୍କୁ ରିପୋର୍ଟ ଦେବ ବୋଲି କହିଛନ୍ତି ଟିମ୍ ସଦସ୍ୟ ।
- ସରପଞ୍ଚ ଓ ସମିତିସଭ୍ୟଙ୍କ ସହ ଆଲୋଚନା କଲା ବିଜେଡି ଟିମ୍
ଏହି ଟିମରେ ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଦେବେଶ ଆଚାର୍ଯ୍ୟ, ଯୋଗେଶ ସିଂ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ସୁଦର୍ଶନ ହରିପାଲ ଅଛନ୍ତି । ସେହିପରି ଦଳର ପୂର୍ବତନ ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସ ଓ ଅନ୍ୟ ବିଜେଡି ନେତାମାନେ ରହିଥିଲେ । ତେବେ ସେଦିନ କଣ ଘଟିଥିଲା, ଏହି ଟିମ୍ ସେ ସମ୍ପର୍କରେ ପଞ୍ଚାୟତ ପ୍ରତିନିଧିଙ୍କଠୁ ତଥ୍ୟ ସଂଗ୍ରହ କରିଛି । ସ୍ଥାନୀୟ ଜଣେ ସମିତିସଭ୍ୟ ତପିରାମ ମରେଇ, ଉକ୍ତ ଘଟଣାରେ ସ୍ଥାନୀୟ ଲଇକେରା ଥାନାଧିକାରୀ ଦିଲ୍ଲୀପ ବେହେରାଙ୍କ ସମ୍ପୃକ୍ତି ଥିବା କହିଥିଲେ । ତେବେ ଏଭଳି ରାଜନୀତିକୁ ବିଜେଡ଼ିର ବରିଷ୍ଠ ନେତାମାନେ ନିନ୍ଦା କରିଛନ୍ତି ।
- ଟିମକୁ ଧନ୍ୟବାଦ ଦେଲେ ଦୀପାଳି-ବିଶାଳ
ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି କହିଛନ୍ତି, "ବିଜେପି ପକ୍ଷରୁ ଗଣତନ୍ତ୍ରର ହତ୍ୟା ହେବା ପରେ ଆଜି ଆମ ଦଳ ‘ବିଜେଡି’ ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ଆସିଛି । ଏହି ଟିମ୍ ଘଟଣାର ଅନୁଧ୍ୟାନ ରିପୋର୍ଟ ନେଇ ଦଳର ସୁପ୍ରିମୋଙ୍କୁ ପ୍ରଦାନ କରିବ । ଏଠାକୁ ଆସି ସହଯୋଗ କରିଥିବାରୁ ଧନ୍ୟବାଦ ।’’ ସେହିପରି ଦୀପାଳିଙ୍କ ଭାଇ ବିଶାଲ କହିଛନ୍ତି,‘‘ ଆମ ଲୋକମାନଙ୍କୁ ବିନା କାରଣରେ ଅଟକ ରଖିଥିଲେ । ଆମ ହୋଟେଲରେ ପୋଲିସ ରେଡ କରିବା ଦିନର ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯାଉ । ଏହି ସରକାର ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରର ହତ୍ୟା କରିଛନ୍ତି । ନିର୍ବାଚନରେ ହାରିବା ଭୟରେ ଓଡ଼ିଶା ସରକାର ଗଣତନ୍ତ୍ରର ହତ୍ୟା କରିବାକୁ ପଛାଉନାହିଁ ।’’
ଏହା ମଧ୍ୟ ପଢନ୍ତୁ:- ଛତିଶଗଡ଼ ଥାନାରେ ନବ ଦାସଙ୍କ ପୁଅ ବିଶାଳ ଅଟକ, ବର୍ଷିଲେ ଦୀପାଳି ପୋଲିସକୁ ଦେଖିଲେ ଡରୁଛନ୍ତି ନବ ଦାସଙ୍କ ପୁଅ ବିଶାଲ ! IGଙ୍କୁ ମାଗିଲେ ସୁରକ୍ଷା - VISHAL DAS SEEK PROTECTION |
- କଣ କହିଲେ ଅତନୁ- ପ୍ରତାପ
ପୂର୍ବତନ ମନ୍ତ୍ରୀ ତଥା କମିଟିର ସଦସ୍ୟ ଥିବା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି," ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଆମେ ଏଠାକୁ ଆସିଛୁ । ବିଜେପି ସରକାର ଏଭଳି ପଦକ୍ଷେପକୁ ତିବ୍ର ନିନ୍ଦା କରୁଛୁ । ଆମର ଲୋକଙ୍କୁ ବିନା କାରଣରେ ୧୨ ଘଣ୍ଟା କାହିଁକି ଅଟକ ରଖିଲା ପୋଲିସ । ଏହାର ପ୍ରତିବାଦ ନିଶ୍ଚୟ କରାଯିବ । ଆଜି ଏଠାରୁ ନେଇଥିବା ରିପୋର୍ଟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଦେବୁ । ସେ ଯେଉଁ ନିଷ୍ପତ୍ତି ନେବେ ତାକୁ ନେଇ ଦଳ ଆଗେଇବ ।" ସେହିପରି ପୂର୍ବତନ ମନ୍ତ୍ରୀ ତଥା କମିଟିର ସଦସ୍ୟ ଥିବା ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି," କିରିମିରା ଅନାସ୍ଥାରେ ନିର୍ବାଚନରେ ବିଜେପିର ମୁଖା ଲୋକଙ୍କ ସାମ୍ନାକୁ ଆସିଯାଇଛି । ସମିତିସଭ୍ୟମାନଙ୍କ ସହିତ ଆଜି ସ୍ବତନ୍ତ୍ର ଭାବରେ ଆଲୋଚନା କରାଯାଇଛି ।’’
ଇଟିଭି ଭାରତ, ଝାରସୁଗୁଡ଼ା