ଭୁବନେଶ୍ୱର: ରାଜଧାନୀରେ ବଢୁଛି ବୁଲା କୁକୁରଙ୍କ ଆତଙ୍କ । ଗୋଟିଏ ଦିନରେ ପାଖାପାଖି ୫୦ ରୁ ୬୦ ଜଣ କୁକୁର କାମୁଡାରେ ଆକ୍ରାନ୍ତ ରୋଗୀ କ୍ୟାପିଟାଲ ହସ୍ପିଟାଲ ଯାଉଛନ୍ତି । ବିଶେଷକରି ଶୀତ ଦିନରେ ଅଧିକ କୁକୁର କାମୁଡା ରୋଗୀ ହସ୍ପିଟାଲ ଆସୁଛନ୍ତି ।
ଲୋକଙ୍କୁ ଘାରିଛି ବୁଲା କୁକୁର ଭୟ:
ଏନେଇ କ୍ୟାପିଟାଲ ହସ୍ପିଟାଲ ଉପଅଧିକ୍ଷକ ଧନଞ୍ଜୟ ଦାସ କହିଛନ୍ତି," ଲୋକଙ୍କୁ ବୁଲା କୁକୁର ଭୟ ଘାରିଛି । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ଵରଠୁ ଆରମ୍ଭ କରି ପଟିଆ ଆଦି ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରଙ୍କୁ ନେଇ ଅତିଷ୍ଠ ହେଉଛନ୍ତି । କେବଳ ଭୁବନେଶ୍ଵର ନୁହେଁ ଏପରିକି ନୟାଗଡ ଖୋର୍ଦ୍ଧା ଜିଲ୍ଲାମାନଙ୍କରେ ମଧ୍ୟ କୁକୁର କାମୁଡା ରୋଗୀ କ୍ୟାପିଟାଲ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି ।"
କ୍ୟାପିଟାଲ ହସ୍ପିଟାଲକୁ ଦିନକୁ ପ୍ରାୟ ୫୦ ରୁ ୬୦ ଜଣ ରୋଗୀ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଛନ୍ତି । ଯାହାକୁ ନେଇ ହସ୍ପିଟାଲ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ରୋଗୀଙ୍କୁ କିଭଳି ଭାବରେ ଭଲ ଭାବରେ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପ୍ରସ୍ତୁତ ରହିଛି ହସ୍ପିଟାଲ ବୋଲି କହିଛନ୍ତି ଧନଞ୍ଜୟ ଦାସ ।
କୁକୁର କାମୁଡ଼ିଲେ ହୁଏ କ'ଣ:
ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶ ଅନୁଯାୟୀ, ପାଗଳ କୁକୁର ବା ଜଳାନ୍ତକ ରୋଗ ହୋଇଥିବା କୁକୁର ମନୁଷ୍ୟକୁ କାମୁଡିବା ଦ୍ବାରା ବିଭିନ୍ନ ରୋଗ ହୋଇଥାଏ । କୁକୁର କାମୁଡିଲେ ତାକୁ ନମାରି, ବାନ୍ଧିରଖିବା ଆବଶ୍ୟକ । କୁକୁରଟିର ଗତିବିଧି ଓ ସ୍ବାସ୍ଥ୍ୟ ଅବସ୍ଥା ପ୍ରତି ଲକ୍ଷ୍ୟ ରଖିବା ଆବଶ୍ୟକ । କୁକୁରକୁ ଜଳାନ୍ତକ ରୋଗ ହୋଇଥିଲେ ୧୦ ଦିନ ମଧ୍ୟରେ ତାର ମୃତ୍ୟୁ ହୋଇଥାଏ । ଏହି ରୋଗର କୌଣସି ଚିକିତ୍ସା ହୋଇପାରେ ନାହିଁ । କେବଳ ଜଳାନ୍ତକ ପ୍ରତିଷେଧକ ଟିକା ଦ୍ବାରା ଏହାକୁ ପ୍ରତିରୋଧ କରାଯାଇପାରେ । ତେଣୁ କୁକୁର କାମୁଡିଲେ ଏହାକୁ ଅବହେଳା ନକରି ରୋଗ ଦେଖାଯିବା ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଆହତ ବ୍ୟକ୍ତିକୁ ଶୀଘ୍ର ଡାକ୍ତରଙ୍କ ପାଖକୁ ଯିବା ଆବଶ୍ୟକ ।
କୁକୁର କାମୁଡାକୁ ନେଇ ୩ ଶ୍ରେଣୀରେ ବିଭାଗ କରାଯାଇଛି:
କୁକୁର କାମୁଡାକୁ ନେଇ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି । ପ୍ରଥମରେ ଯଦି କେବଳ କୁକୁର ଆମ୍ପୁଡି ଦେଇଛି କିନ୍ତୁ ରକ୍ତ ବାହାରି ନାହିଁ । ଦ୍ଵିତୀୟରେ ଯଦି କୁକୁରଟି ଆମ୍ପୁଡିବା ପରେ ରକ୍ତ ବାହାରିଲା ଏବଂ ତୃତୀୟରେ କୁକୁର କାମୁଡିବା ପରେ ରକ୍ତ ବାହାରୁଥିବ, କାମୁଡ଼ିଥିବା ଚାରିପାଖରେ ଲାଲ ହୋଇଯିବା । ସେହି ସ୍ଥାନ ଅତ୍ୟଧିକ ଭାବରେ ପୀଡା ମଧ୍ୟ ହେଉଥିବ । ତେବେ ତୁରନ୍ତ ହସ୍ପିଟାଲ ଆସି ମାଗଣାରେ ଟିକା ନେବା ଆବଶ୍ୟକ ।
ଏହାମଧ୍ୟ ପଢନ୍ତୁ... ବଲାଙ୍ଗୀରରେ ବୁଲା କୁକୁର ଆତଙ୍କ, କାମୁଡାରେ 17 ଆହତ ବୁଲା କୁକୁର ଆକ୍ରମଣରେ ବୃଦ୍ଧା ମୃତ, ବାଲେଶ୍ବରରେ ଅଭାବନୀୟ ଘଟଣା କୁକୁର କାମୁଡ଼ିଲେ କରନ୍ତୁନି ହେୟଜ୍ଞାନ, ନଚେତ ଆସିପାରେ ବଡ଼ ବିପଦ - Rabies Disease Dog Bites |
କୁକୁର କାମୁଡ଼ିଲେ ଉପଚାର:
ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ, କୁକୁର କାମୁଡ଼ିଲେ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଆବଶ୍ୟକ । ସେଠାରେ କୁକୁର କାମୁଡା ଟିକା ନେବା ଜରୁରୀ । ଏହି ଟିକା ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଏ । ଏହାସହ କୁକୁର କାମୁଡ଼ିଥିବା ସ୍ଥାନକୁ ଯଥା ଶୀଘ୍ର ସାବୁନ ପାଣିରେ ଧୋଇଦେବା ଆବଶ୍ୟକ । ପ୍ରାୟ ୨୦ ସେକେଣ୍ଡ ଧରି ସାବୁନ ପାଣିରେ ଧୋଇବା ପରେ କୁକୁର ବିଷ ପ୍ରକ୍ରିୟା କମିଯିବାର ସମ୍ଭାବନା ଅଧିକ ରହିଥାଏ । କୁକୁର କାମୁଡ଼ା ନେଇ ଅତିବେଶୀରେ 4ଟି ଡୋଜ ଟିକା ଦିଆଯାଏ । ରୋଗୀଙ୍କ ପାଇଁ ଆଣ୍ଟି ରାବିଜ ଭ୍ୟାକ୍ସିନ (ଏଆରଭି) ଏବଂ ଆଣ୍ଟି ରାବିଜ୍ ସିରମ୍ (ଏଆରଏସ୍) ଟିକା ପ୍ରତ୍ୟେକ ହସ୍ପିଟାଲରେ ଉପଲବ୍ଧ ରହିଛି । ଅପରପକ୍ଷେ ଜଳାନ୍ତକ ରୋଗର ଭୟାବହତା ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।
ଇଟିଭି ଭାରତ, ଭୁବନେଶ୍ୱର