ବଲାଙ୍ଗୀର: ବିଭିନ୍ନ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଭଳି ସ୍ଥଳେ ବରିଷ୍ଠ ବିଜେପି ନେତା ଯଜ୍ଞଶ୍ୱର ବାବୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଭିନ୍ନ ଦାବି ଉତ୍ଥାପନ କରିଛନ୍ତି । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଲୋକେ ସନ୍ଦେହରେ ଅଛନ୍ତି । ତେଣୁ ଯାଞ୍ଚ ପାଇଁ ରାଜ୍ୟପାଳ ପଦକ୍ଷେପ ନିଅନ୍ତୁ । ସ୍ବତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଯାଞ୍ଚ କରି ଲୋକଙ୍କ ସନ୍ଦେହ ଦୂର କରିବା ଦିଗରେ ରାଜ୍ୟପାଳ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବାବୁ କହିଛନ୍ତି ।
ଯଜ୍ଞଶ୍ୱର କହିଛନ୍ତି, ‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ଏଭଳି କିଛି ଅଭିଯୋଗ କରୁଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆଦୌ ଠିକନାହିଁ । ସେ ନିଜେ କିଛି ଆଉ କରିପାରୁନାହାନ୍ତି । ଏପରିକି ଭାଷଣ ଦେବା ପାଇଁ ମାଇକ ମଧ୍ୟ ପାଣ୍ଡିଆନ ଧରିବା ପରେ ହିଁ ସେ ଭାଷଣ ଦେଉଛନ୍ତି । ସେହିପରି ତାଙ୍କର ଚାଲିଚଳନରୁ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବାର ଜଣାପଡୁନାହିଁ । ଓଡିଶାବାସୀଙ୍କ ମନରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଦ୍ଵନ୍ଦ୍ବ ଉପୁଜିଛି । ତେଣୁ ରାଜ୍ୟପାଳ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ଯାଞ୍ଚ କରାନ୍ତୁ ଓ ଲୋକଙ୍କ ସମ୍ମୁଖରେ ସଠିକ ତଥ୍ୟ ରଖନ୍ତୁ ବୋଲି ସେ ଦାବି କରିଛନ୍ତି । ସେହିପରି ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ ଆଉ ଶୃଙ୍ଖଳା ଡୋରି ନାହିଁ । ପ୍ରତିଦିନ ବିଜେଡି ନେତା ଦଳ ଛାଡୁଛନ୍ତି । ଦଳ ଏବେ ବିଶୃଙ୍ଖଳିତ ହୋଇଛି । ଯାହା ପାଇଁ କେବଳ ପାଣ୍ଡିଆନ ଦାୟୀ ।’’