ଓଡିଶା

odisha

ETV Bharat / politics

ସମ୍ପତ୍ତି ତାଲିକା ଦେଉନାହାନ୍ତି ସରକାରୀ ବାବୁ, ମୁଖ୍ୟମନ୍ତ୍ରୀଙ୍କୁ କେହି ମାନୁନଥିବା କହିଲା ବିଜେଡି - GOVT OFFICERS PROPERTY LIST

ତାଗିଦ ପରେ ବି ସମ୍ପତ୍ତି ତାଲିକା ଦେଲେ ନାହିଁ ସରକାରୀ ବାବୁ । ଫେବୃଆରୀ 28 ତାରିଖ ପର୍ଯ୍ୟନ୍ତ ସମୟ ବଢ଼ାଇଛନ୍ତି ସରକାର ।

GOVT OFFICERS PROPERTY LIST
GOVT OFFICERS PROPERTY LIST (ETV BHARAT ODISHA)

By ETV Bharat Odisha Team

Published : Feb 14, 2025, 6:21 PM IST

ଭୁବନେଶ୍ବର:ସରକାର ବଦଳିଲା... କିନ୍ତୁ ବଦଳିଲା ନାହିଁ ସରକାରୀ ଅଧିକାରୀଙ୍କ ସ୍ଵଭାବ । ବାରମ୍ବାର ତାଗିଦ ସତ୍ତ୍ବେ ରାଜ୍ୟର ସରକାରୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁନାହାନ୍ତି । ବାରମ୍ବାର ସରକାର ଅବଧି ବଢ଼ାଉଥିଲେ ମଧ୍ୟ ପ୍ରତିବର୍ଷ ନିଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ ହେଉନାହିଁ ସମ୍ପତ୍ତି ତାଲିକା । ଅନୁରୂପ ଭାବେ ଏଥର ମଧ୍ୟ ପୁଣି ଫେବୃଆରୀ 28 ପର୍ଯ୍ୟନ୍ତ ସମୟ ବଢ଼ାଇଛନ୍ତି ସରକାର । ଏହି ସମୟ ଅବଧି ମଧ୍ୟରେ ସମ୍ପତ୍ତି ତାଲିକା ଦାଖଲ ପାଇଁ ଶେଷ ସୁଯୋଗ ବୋଲି କୁହାଯାଇଛି । ସରକାରୀ ଅଧିକାରୀ ସରକାରଙ୍କ ନିର୍ଦ୍ଦେଶ ମାନୁନଥିବାରୁ ଆରମ୍ଭ ହୋଇଛି ଏହାକୁ ନେଇ ରାଜନୀତି । ବର୍ତ୍ତମାନର ସରକାରକୁ କେହି ମାନୁ ନଥିବା ବିଜେଡି କହିଥିବା ବେଳେ ଏହାର ଉତ୍ତରରେ ଧର୍ଯ୍ୟ ଧରନ୍ତୁ ବୋଲି କହିଛି ବିଜେପି ।

GOVT OFFICERS PROPERTY LIST (ETV BHARAT ODISHA)

'ବର୍ତ୍ତମାନର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କେହି ମାନୁ ନାହାନ୍ତି':

ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି, "ବର୍ତ୍ତମାନର ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କେହି ମାନୁ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ମାନେ ଖାତିର କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ମଞ୍ଚରେ ଛିଡା ହୋଇଥିବାବେଳେ ମନ୍ତ୍ରୀ ମାନେ ତଳେ ଗୋଡ଼ରେ ଗୋଡ଼ ଟେକି ବସୁଛନ୍ତି । ଏହାକୁ ଦେଖି ବାବୁ ମାନେ ମଧ୍ୟ ସରକାରଙ୍କୁ ମାନୁ ନାହାନ୍ତି । ସମ୍ପତ୍ତି ତାଲିକା ଅଫିସର ଦେଉନାହାନ୍ତି । ଆଗକୁ ମଧ୍ୟ ଦେବେ ନାହିଁ । ସରକାର ତାଙ୍କର କିଛି କରିପାରିବେ ନାହିଁ । ଗାଁ'କୁ ଯାଇ ରାତ୍ରୀଯାପନ କରିବା ସହ ଲୋକଙ୍କ ସମସ୍ୟା ବୁଝିବାକୁ ବାବୁଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରିମାଇଣ୍ଡର ପରେ ମଧ୍ୟ ଯାଇନାହାନ୍ତି । ପ୍ରଶାସନ ଉପରେ ସରକାରଙ୍କର ନିୟନ୍ତ୍ରଣ ନାହିଁ । ସରକାର ଦିଗ ଓ ଦିଶା ହୀନ ଭାବେ କାର୍ଯ୍ୟ କରୁଛନ୍ତି । ସରକାର ଅଚାନକ ଆସିଯାଇଥିବାରୁ କେବଳ ନିଜକୁ ବିଜ୍ଞପିତ କରିବାରେ ଲାଗିଛନ୍ତି । ପ୍ରଶାସନକୁ ଚଳେଇବାରେ ଏମାନଙ୍କର ମନ ଧ୍ୟାନ ନାହିଁ ।"

ଏହା ମଧ୍ୟ ପଢନ୍ତୁ-ସମ୍ପତ୍ତି ତାଲିକା ଦାଖଲ ନ କେଲ ଦରମା ବନ୍ଦ, 31 ଜାନୁଆରୀ ଶେଷ ତାରିଖ - ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା
ଏହା ବି ପଢନ୍ତୁ...ଶୁଣୁନାହାନ୍ତି ଅଧିକାରୀ, ପୁଣି ଚିଠି ଲେଖିଲେ ସରକାର
'ସମସ୍ତେ ଧର୍ଯ୍ୟ ଧରନ୍ତୁ, ଏହା ଏକ ଟ୍ରାନ୍ସପ୍ୟାରେଣ୍ଟ ସରକାର':

ଜବାବରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି, "ସରକାରକୁ 8 ମାସ ପୂରିଛି । ସମସ୍ତେ ଧର୍ଯ୍ୟ ଧରନ୍ତୁ । ତାଲିକା ମଗା ଯାଇଛି । ବର୍ଷେ ପୂରିବା ବେଳକୁ ସମସ୍ତେ ତାଲିକା ଦେଇ ଦେଇଥିବେ । ବିଧାୟକ ଓ ବାବୁଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ହୋଇଯିବ । ଏହା ଏକ ଟ୍ରାନ୍ସପ୍ୟାରେଣ୍ଟ ସରକାର ।"

ସମ୍ପତ୍ତି ତାଲିକା ଦେବାର ଶେଷ ତାରିଖ ଫେବୃଆରୀ 28:

ପ୍ରତିବର୍ଷ ଜାନୁଆରୀ 31 ତାରିଖ ପୂର୍ବରୁ ପ୍ରଥମରୁ ଚତୁର୍ଥଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀ ନିଜର ବାର୍ଷିକ ସମ୍ପତ୍ତି ତାଲିକା ଅନଲାଇନ ମାଧ୍ୟମର ଓଡିଶା ସରକାରଙ୍କ ଏଚଆରଏମଏସ ପୋର୍ଟାଲରେ ଅପଲୋଡ କରିବା ପାଇଁ ନିୟମ ରହିଛି । ଏଥ‌ିପାଇଁ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ (ସଂଶୋଧନ) ନିୟମାବଳୀ- 2021କୁ ଅନୁମୋଦନ କରାଯାଇଛି । ଏହା ସହ ପ୍ରତ୍ୟେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ନିମନ୍ତେ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲ କରିବା ବାଧ୍ୟତାମୂଳକ ହୋଇଛି । ହେଲେ ପ୍ରତିବର୍ଷ ସମୟସୀମା ମଧ୍ୟରେ ଅଧିକାଂଶ କର୍ମଚାରୀ ତାଲିକା ଦାଖଲ କରୁନାହାନ୍ତି ।

2024 ମସିହାର ସମ୍ପତ୍ତି ତାଲିକା ଗତ ଜାନୁଆରୀ 31 ସୁଦ୍ଧା ବହୁ କର୍ମଚାରୀ ଦେଇନାହାନ୍ତି । ଏଥ‌ିପାଇଁ ରାଜ୍ୟ ସରକାର ଆସନ୍ତା 28 ତାରିଖ ପର୍ଯ୍ୟନ୍ତ ଏହି ଅବଧି ବୃଦ୍ଧି କରିଛନ୍ତି । ତାଲିକା ଦେଇ ନଥିବା ଖିଲାପି କର୍ମଚାରୀଙ୍କ ପାଇଁ ଏହା ଶେଷ ସୁଯୋଗ ବୋଲି ଚେତାବନୀ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସମସ୍ତ ବିଭାଗ, ଆରଡିସି, ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details