ଭୁବନେଶ୍ବର:ସତ ହେଲା ଆଶଙ୍କା । ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା । ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ଏବଂ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ବିଦ୍ଧିବଧ ଭାବେ ଯୋଗ ଦେଇଛନ୍ତି । ସେ ଦଳରେ ଯୋଗ ଦେବା ସମୟରେ ଅନେକ ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଥିଲା । ତେବେ ଦଳରେ ଯୋଗଦେବା ପରେ ସାଲେପୁରରୁ ଟିକେଟ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତ ମାର୍ଚ୍ଚ 29 ତାରିଖରେ ବିଜେପି ଛାଡିଥିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଇସ୍ତଫା ପତ୍ର ପଠାଇ ଦଳର ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।
2014 ନିର୍ବାଚନରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ଲଢ଼ି ବିଜୟୀ ହୋଇଥିଲେ । ଏହାପରେ 2019 ନିର୍ବାଚନରେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । କିନ୍ତୁ ବିଜେପି ପକ୍ଷରୁ ସାଲେପୁର ବିଧାନସଭା ପାଇଁ ଲଢି ପରାଜିତ ହୋଇଥିଲେ । 2019ରେ ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରିଥିଲେ । ତେବେ ପୁଣିଥରେ ସେ ଚଳିତ ନିର୍ବାଚନରେ ବିଜେଡି ପକ୍ଷରୁ ଲଢିପାରନ୍ତି । ପ୍ରକାଶଥାଉକି, ବିଜେଡି ଦୁଇଟି ପର୍ଯ୍ୟାୟରେ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଲେପୁର ବିଧାନସଭା ସିଟ୍ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ସେ ସାଲେପୁରରୁ ବିଜେଡି ଟିକେଟରେ ଲଢିବା ନେଇ ଚର୍ଚ୍ଚା ହେଉଛି ।