ଭୁବନେଶ୍ବର: ବିଜେଡିର ପରାଜୟକୁ ନେଇ ପୂର୍ବତନ ବିଧାୟକ ସମ୍ବିତ ରାଉତରାୟଙ୍କ ବିସ୍ଫୋରକ ବୟାନ । ଦଳ ହାରିବା ପଛରେ ଦଳୀୟ ମୂଷା ଥିବା କହିଲେ ସମ୍ବିତ । ସମ୍ବିତ ରାଉତରାୟ କହିଛନ୍ତି, "ନବୀନ ପଟ୍ଟନାୟକ ହାରିନାହାନ୍ତି ତାଙ୍କୁ ହରାଯାଇଛି । ସୁଚିନ୍ତିତ ଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଲେ ସେଥିପାଇଁ ଆମେ ହାରିଲୁ ।" ବିଜେଡି ନେତା ସମ୍ବିତ ରାଉତରାୟଙ୍କ ମୂଷା ଉପାଖ୍ୟାନକୁ ନେଇ ଜୋର ଧରିଛି ଚର୍ଚ୍ଚା ।
ସେ ଆହୁରି କହିଛନ୍ତି, " ମୂଷା କିଏ ଆପଣ ଜାଣିଥିବେ । ଆଜି ନହେଲେ କାଲି ସେ ମୂଷା କଢ଼ା ହେବେ । ବରିଷ୍ଠ ନେତାମାନେ ଆଲୋଚନା କରୁଛନ୍ତି । ମୂଷା ରହିଲେ ଆପଣଙ୍କ ଧନ, ସମ୍ପତ୍ତି ଲୁଟ ହେବାର ଆଶଙ୍କା ରହିଛି । ସରକାର ଆଉ ପ୍ରଶାସନ ବହୁତ କାମ କରିଛନ୍ତି । ପଞ୍ଚାୟତ ପିଛା 50 ଲକ୍ଷ ଲେଖାଏଁ ଦେଲେ ନବୀନ । ପୁରା ଭଣ୍ଡାର ଖୋଲିଦେଲେ । ତଥାପି ଲୋକ ଆମକୁ ହରାଇଲେ । ଏହାର ଅନେକ କାରଣ ଅଛି ।" 'ଅନ୍ୟପଟେ ହାରିବାର କାରଣ ପାଣ୍ଡିଆନ କି ?' ବୋଲି ପ୍ରଶ୍ନରେ ସମ୍ବିତ କହିଛନ୍ତି ଯେ, ଅନେକ କାରଣ ଅଛି ହୁଏ ତ ଏଇଟା ବି ଥାଇପାରେ । ଏବେ ବିଜେପି ସରକାର ରାଜ୍ୟରେ ଅଛି ଲୋକମାନଙ୍କ ପାଇଁ କିପରି ଭଲ କାମ କରିବେ ତାହା ଦେଖିବାକୁ ହେବ।