ଭୁବନେଶ୍ବର:କେଜ୍ରିୱାଲଙ୍କ ଗିରଫ ନେଇ ତେଜିଲା ରାଜନୀତି । ଗତକାଲି (ଗୁରୁବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାତି ଅଧିଆ ଇଡି ଗିରଫ କରିଛି। ଦୀର୍ଘଦିନ ଧରି ଅରବିନ୍ଦଙ୍କୁ କୋର୍ଟ ହାଜର ହେବା ପାଇଁ ନିର୍ଦ୍ଦେଶ ଥିଲା, ହେଲେ ସେ ନିଜେ ନଯାଇ ତାଙ୍କ ଓକିଲଙ୍କୁ ପକ୍ଷ ରଖିବାକୁ ପଠାଉଥିଲେ । କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ କେଜ୍ରିୱାଲଙ୍କ ଗିରଫର ପ୍ରଭାବ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି ।
ଏନେଇ ଆପର କହିବା କଥା, "ନିର୍ବାଚନୀ ବଣ୍ଡ୍ କଥା ସାମ୍ନାକୁ ଆସିବା ପରେ ନରେନ୍ଦ୍ର ମୋଦି ଘାବରେଇ ଯାଇଛନ୍ତି । କାରଣ ED, CBI ରେଡ୍ କରିବା ପରେ ପରେ ବିଭିନ୍ନ ସଂସ୍ଥାଠାରୁ ବିଜେପି ନିର୍ବାଚନୀ ଚାନ୍ଦା ପାଇଥିବା ସ୍ପଷ୍ଟ ହୋଇଛି । ଏଣୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ନିର୍ବାଚନୀ ବଣ୍ଡ ଉପରୁ ଧ୍ୟାନ ହଟାଇବାକୁ ଚାହୁଁଛି ବିଜେପି । ସାଧାରଣ ଜନତା ସବୁ ଦେଖୁଛନ୍ତି, ଉଚିତ୍ ଜବାବ ଦେବେ । ଏବେ ଅରବିନ୍ଦ କେଜ୍ରିୱାଲ ଗିରଫ ହେବା ପରେ ଦିଲ୍ଲୀରେ ଆମ ଆଦମୀ ପାର୍ଟିର ସରକାର ଜେଲ ଭିତରୁ ଚାଲିବ । ଅରବିନ୍ଦ କେଜରିୱାଲ ଜଣେ ବ୍ୟକ୍ତି ନୁହେଁ, ଏକ ବିଚାର। କେଜ୍ରିୱାଲଙ୍କୁ ଜେଲରେ ପୁରାଇବା ପରେ ଏବେ ଲକ୍ଷ ଲକ୍ଷ କେଜରିୱାଲ ରାସ୍ତା ଉପରେ ବୁଲିବେ । ତାଙ୍କୁ ତୁମେ ବନ୍ଦ କରିପାରିବନି । ଅରବିନ୍ଦ କେଜ୍ରିୱାଲ ବାହାରେ ଥିଲେ ମୋଦି ପାଇଁ ଯେତେ ଭୟଙ୍କର ହୋଇଥାନ୍ତେ, ଜେଲ ଭିତରେ ତାହାଠୁ ଅଧିକ ଭୟଙ୍କର ହେବେ । ନରେନ୍ଦ୍ର ମୋଦି ସରକାର ମସ୍ତବଡ ଭୁଲ କରିଛନ୍ତି, ନିଶ୍ଚୟ ପସ୍ତେଇବେ ।"