ଭୁବନେଶ୍ବର: ଆଜି ଠାରୁ ପ୍ରଥମ 'ବିଶ୍ଵ ଓଡି଼ଆ ଭାଷା ସମ୍ମିଳନୀ' ଅନୁଷ୍ଠିତ ହେବାକୁ ଯାଉଛି । କଳାମଣ୍ଡଳ ପରିସରରେ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମ ଓଡ଼ିଆ ଭାଷା ସଂସ୍କୃତି ଓ କଳାର ଜୟ ଗାନ କରିବ । ସେପଟେ ପ୍ରଥମ 'ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ'କୁ ସମାଲୋଚନା କରିଛି କଂଗ୍ରେସ । ବିଧାୟକ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।
ସେ କହିଛନ୍ତି, "ଭାଷା ସମ୍ମିଳନୀ ଓଡ଼ିଶାକୁ ଭାଗ ଭାଗ କରିପାରେ । ଓଡ଼ିଶାରେ କେବଳ ଓଡ଼ିଆ ଭାଷା ନାହିଁ । ଏଠି କୋଶଳୀ ଭାଷା ମଧ୍ୟ ଅଛି । ସରକାର କୋଶଳୀ ଭାଷାକୁ ସରକାରୀ ମାନ୍ୟତା ଦେଉନାହାନ୍ତି କି କୌଣସି ପଦକ୍ଷେପ ନେଉନାହାନ୍ତି । ତେଣୁ ସେ ଅଞ୍ଚଳରେ ଲୋକଙ୍କର ପ୍ରତିକ୍ରିୟା ଏବେ କଣ ହେବ । ରାଜ୍ୟରେ ଏବେ ଓଡ଼ିଆ ଭାଷା ସମ୍ମିଳନୀ ହେଉଛି । ଯେଉଁଠି ମୁଖ୍ୟମନ୍ତ୍ରୀ ଆଉ ଜଣେ କାମ ଚଳା ମୁଖ୍ୟମନ୍ତ୍ରୀ ଯିଏ ଓଡ଼ିଆ କହି ପାରନ୍ତି ନାହିଁ ସେ ଯେ ଭାଷା ପାଇଁ ପ୍ରଚାର ପ୍ରସାର କରିବେ ଏହାକୁ ଲୋକେ ସହଜରେ ଗ୍ରହଣ କରି ପାରୁନାହାନ୍ତି ।"
ଆଜି ଅର୍ଥାତ୍ ଫେବ୍ରୁଆରୀ ୩ ତାରିଖରୁ ତିନି ଦିନ ଧରି ଭୁବନେଶ୍ଵରର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି । ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥରରେ କଳିଙ୍ଗ ଶୈଳୀରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ଯର ଅପୂର୍ବ ନିଦର୍ଶନ ସ୍ବରୂପ ନିର୍ମିତ ହୋଇଛି ଅକ୍ଷର ଭୂମି । "ଓଡ଼ିଆ ବର୍ଣ୍ଣମାଳାରେ ସୁଶୋଭିତ ଅକ୍ଷର ଭୂମି, ଆମ ଭାଷା ପ୍ରୀତିକୁ ଉଜ୍ଜୀବିତ କରି ରଖିବା ସହ ଆମ ଭାଷା ସଂସ୍କୃତି କଳା ଓ ସ୍ଥାପତ୍ୟର ଜୟ ଗାନ କରି ଚାଲିବ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ୱାର୍ଲଡ ରେକର୍ଡ କଲେ ଛାତ୍ରଛାତ୍ରୀ, ୧ ଘଣ୍ଟାରେ ସର୍ବାଧିକ ଓଡ଼ିଆ ହସ୍ତଲିଖନ ଅନଲାଇନରେ ଅପଲୋଡ
୫-ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ନିୟମିତ କଳାମଣ୍ଡଳ ଯାଇ ଅକ୍ଷର ଭୂମି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିଲେ । ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ IDCO ଜରିଆରେ ସମ୍ପାଦିତ ହୋଇଛି । ଲୋକାର୍ପଣ ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ ପାତ୍ର, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୂଖ୍ୟ ଉପଦେଷ୍ଟା ବାଲାକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ଲୋକସମ୍ପର୍କ ବିଭାଗ ପ୍ରମୁଖ ସଚିବ ସଞ୍ଜୟ ସିଂହ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର