କେବେ ଅନୁଭବ କରିଛନ୍ତି କି, ବେଳେବେଳେ ହଠାତ୍ ଆମକୁ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ । ଏହି ସମୟରେ ଆମେ ଚକୋଲେଟ, କେକ୍, ଆଇସିକ୍ରିମ ଏବଂ ଅନ୍ୟାନ୍ୟ ମିଠାଜାତୀୟ ଖାଦ୍ୟ ଖୋଜିଥାଉ । ଯଦି ମିଠା ନମିଳେ ମନ ଅସ୍ଥିର ଲାଗିବା ସହ ଖୁବ୍ ଚିଡ୍ଚିଡା ଅନୁଭବ କରୁ । ଯଦି ହଁ, ତାହେଲେ କେବେ ଭାବିଛନ୍ତି ଏମିତି କାହିଁକି ହୁଏ ?
ଏନେଇ ବିଶେଷଜ୍ଞ କହିଛନ୍ତି, ''ମିଠା ଖାଇବାର ଏହି ଲାଳସାକୁ ଇଂରାଜୀରେ 'ସୁଗାର କ୍ରେଭିଙ୍ଗ' (Sugar cravings) କୁହାଯାଏ ଯାହାକି ଅତି ସାଧାରଣ କଥା । କିନ୍ତୁ ଯଦି ଏହି କ୍ରେଭିଙ୍ଗ ଲୋକଙ୍କ ମଧ୍ୟରେ ଅସ୍ବାଭାବିକ ଭାବେ ବଢେ ତେବେ ଏହା ସାଧାରଣ ହୋଇନପାରେ । ଶରୀରରେ କିଛି ପୋଷଣର ଅଭାବ କିମ୍ବା କୌଣସି ସ୍ବାସ୍ଥ୍ୟ ସମସ୍ୟାର ସଙ୍କେତ ହୋଇପାରେ । ଯଦି କ୍ରେଭିଙ୍ଗ ଉପରେ ନିୟନ୍ତ୍ରଣ ନ ରଖନ୍ତି ଏବଂ ଇଚ୍ଛା ହେବା ମାତ୍ରେ ସମୟ ଅସମୟରେ ଅତ୍ୟଧିକ ମିଠା ସେବନ କରନ୍ତି ଏହାଦ୍ବାରା ସାମଗ୍ରିକ ସ୍ବାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ ।''
ସୁଗାର କ୍ରେଭିଙ୍ଗ କାରଣ ?
- ଦିଲ୍ଲୀର ନ୍ୟୁଟ୍ରନିଷ୍ଟ ଡଃ ଦିବ୍ୟ ଶର୍ମା କହିଛନ୍ତି, ମିଠା ଶରୀରରେ ଶକ୍ତି ଉତ୍ପାଦନ ତଥା ପରିଚାଳନାରେ ସାହାଯ୍ୟ କରିଥାଏ । କେବେ ଯଦି ଆମେ ମାନସିକ କିମ୍ବା ଶାରିରୀକ ଭାବେ କ୍ଲାନ୍ତ ଓ ଚାପର ସାମ୍ନା କରୁ, ଆମ ଶରୀର ତୁରନ୍ତ ଶକ୍ତି ଆବଶ୍ୟକ କରେ । ବେଳେବେଳେ ଏପରି ସ୍ଥିତିରେ ମିଠା ଖାଇବାକୁ ପ୍ରବଳ ଇଚ୍ଛା ହୁଏ ବା ସୁଗାର କ୍ରେଭିଙ୍ଗ ହୋଇଥାଏ । ମିଠା ଖାଇବା ଦ୍ବାରା ତୁରନ୍ତ ଶରୀରକୁ ଆବଶ୍ୟକ ପରିମାଣର ଶକ୍ତି ମିଳିଥାଏ ।
- ଶରୀରରେ ବ୍ଲଡସୁଗାରରେ ପରିବର୍ତ୍ତନ କିମ୍ବା ସୁଗାର ସ୍ତର କମ୍ ହେବା ଯୋଗୁଁ କ୍ରେଭିଙ୍ଗ ହୋଇପାରେ । ସେହିପରି କିଛି ହରମୋନରେ ପରିବର୍ତ୍ତନ ମଧ୍ୟ ବେଳେବେଳେ ସୁଗାର କ୍ରେଭିଙ୍ଗ କାରଣ ହୋଇଥାଏ । ଖାସ୍ କରି ମହିଳାଙ୍କଠାରେ ଏହା ଅଧିକ ଦେଖାଯାଏ ।
- ଏଥିସହ ନିଦ ଅଭାବ, ଶରୀରରେ କିଛି ପୋଷଣର ଅଭାବ ହେଲେ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ । ନିଦ ପୁରା ନହେଲେ ଆମ ଶରୀର ଶକ୍ତି ପାଇଁ ଉତ୍ସ ଖୋଜିବାକୁ ଚେଷ୍ଟା କରିଥାଏ । ଯେହେତୁ ମିଠା ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ ତେଣୁ ମିଠା ଖାଇବାକୁ ମନ ହୁଏ । ସେହିପରି ଖାଦ୍ୟରେ ପ୍ରୋଟିନ, ଫାଇବର, ମ୍ୟାଗ୍ନେସିୟମ, କ୍ରୋମିୟମ, ଜିଙ୍କ ଓ ହେଲ୍ଦି ଫ୍ୟାଟ ଅଭାବ ହେଲେ ବି ମିଠା ଖାଇବାକୁ ଖୁବ୍ ଇଚ୍ଛା ହୁଏ ।
ଅସ୍ବାଭାବିକ କ୍ରେଭିଙ୍ଗ ହାନିକାରକ:
ଯଦିଓ ମିଠା ଖାଇବାକୁ ଇଚ୍ଛା ହେବା ଏକ ସ୍ବାଭାବିକ କଥା, କିନ୍ତୁ ଅଧିକ ହେଲେ ଏହା ଅସ୍ବାଭାବିକ । ଏହି ଅବସ୍ଥାରେ ଚିକିତ୍ସକଙ୍କ ପରାମର୍ଶ ନେବା ଉଚିତ୍ । ଡଃ ଦିବ୍ୟ ଶର୍ମା କହିଛନ୍ତି, ଅତ୍ୟଧିକ ମିଠା ଖାଇବା ହେତୁ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ଓଜନ ବଢିବା, ଡାଇବେଟିସ୍ ଭଳି ରୋଗ ଆଶଙ୍କା ବଢିଥାଏ । ତେଣୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ । ସୁସ୍ଥ ଅଭ୍ୟାସ, ସନ୍ତୁଳିତ ଖାଦ୍ୟ ଓ ଜୀବନଶୈଳୀରେ ପରିବର୍ତ୍ତନ ଆଣି ଏହି କ୍ରେଭିଙ୍ଗକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ମନେରଖନ୍ତୁ, ମିଠା କେବଳ ସୀମିତ ମାତ୍ରାରେ ଖାଇଲେ ହିଁ ଭଲ ।
ମିଠା କ୍ରେଭିଙ୍ଗ ନିୟନ୍ତ୍ରଣ କରିବାର ଉପାୟ:
ଯଦି ଅସ୍ବାଭାବିକ ଭାବେ ମିଠା ଖାଇବାକୁ ଇଚ୍ଛା ହେଉଛି ତାହେଲେ ନ୍ୟୁଟ୍ରନିଷ୍ଟ କିମ୍ବା ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ଏହାଛଡା ନିଜର ଦିନଚର୍ଯ୍ୟାରେ କିଛି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।
ସନ୍ତୁଳିତ ଖାଦ୍ୟ: ନିଜ ଖାଦ୍ୟରେ ପ୍ରୋଟିନ, ଫାଇବର ଓ ହେଲ୍ଦି ଫ୍ୟାଟ ଜରୁରୀ ପୋଷକ ତତ୍ତ୍ବ ସାମିଲ କରନ୍ତୁ । ଯାହାଦ୍ବାରା ଶରୀରକୁ ପୋଷଣ ମିଳିବ ଓ ମିଠା ଖାଇବାର କ୍ରେଭିଙ୍ଗ କମିପାରିବ ।
ଛୋଟ ମିଲ୍: ଏକାଥରେ ଅଧିକ ମାତ୍ରାରେ ଖାଇବା ବଦଳରେ ଅଳ୍ପ ଅଳ୍ପ କରି ଏକାଧିକ ଥର ଖାଆନ୍ତୁ । ବେଳେବେଳେ ବ୍ଲଡସୁଗାର କମିବା ଯୋଗୁଁ ମିଠା ଖାଇବାକୁ କ୍ରେଭିଙ୍ଗ ହୋଇଥାଏ । ଏଥିପାଇଁ କମ୍ ମାତ୍ରାରେ ଅଧିକ ଥର ଭୋଜନ କରନ୍ତୁ ଏହାଦ୍ବାରା ବ୍ଲଡସୁଗାର ସ୍ତର ସ୍ବାଭାବିକ ରହିବାରେ ସହାୟକ ହୁଏ ।
ପର୍ଯ୍ୟାପ୍ତ ନିଦ: ସୁଖ ନିଦ ହେଲେ ଶରୀରରେ ଶକ୍ତିର ସନ୍ତୁଳନ ବଜାୟ ରହେ ଓ ମିଠା ଖାଇବାର କ୍ରେଭିଙ୍ଗ କମେ ।
ଚାପ ନିୟନ୍ତ୍ରଣ: ମାନସିକ ଚାପ କମାଇବାକୁ ନିୟମିତ ବ୍ୟାୟାମ, ଧ୍ୟାନ, ଓ ଯୋଗ କରନ୍ତୁ । ଏହାଦ୍ବାରା ମିଠା ଖାଇବାର ଅନାବଶ୍ୟକ ଇଚ୍ଛା କମେ ।
ଫଳ ଓ ଡ୍ରାଏଫ୍ରୁଟ୍ସ ସେବନ: ଯଦି ହଠାତ୍ ମିଠା ଖାଇବାକୁ ମନ ହୁଏ ତାହେଲେ ଚକୋଲେଟ ବଦଳରେ ଫଳ କିମ୍ବା ଡ୍ରାଏଫ୍ରୁଟ୍ସ ଖାଆନ୍ତୁ । ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ତୁରନ୍ତ ଶକ୍ତି ସଞ୍ଚାର କରେ ।
ହାଇଡ୍ରେଟ ରୁହନ୍ତୁ: ଶରୀରରେ ଡିହାଇଡ୍ରେସନ ହେଲେ ବି ସୁଗାର କ୍ରେଭିଙ୍ଗ ହୋଇପାରେ । ତେଣୁ ପ୍ରତିଦିନ ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ।
ଏହା ମଧ୍ୟ ପଢନ୍ତୁ: ଆଣ୍ଠୁ-ଗଣ୍ଠିରେ ଯନ୍ତ୍ରଣା ହେଉଛି ? ଆଜିଠୁ ଛାଡନ୍ତୁ ଏସବୁ ଅଭ୍ୟାସ
ଏହା ମଧ୍ୟ ପଢନ୍ତୁ: ଫିସ୍ ସ୍ପା କରୁଛନ୍ତି କି ? ଏହି ଗମ୍ଭୀର ରୋଗ ନେଇ ଚେତାଇଲେ ଡାକ୍ତର