ରାଇରଙ୍ଗପୁର: ମୟୂରଭଞ୍ଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୋରଦାର ପ୍ରଚାର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦାରେ ଆୟୋଜିତ ଜନସଭାରେ ବିଜୁ ଜନତା ଦଳର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଜନତାଙ୍କର ସମର୍ଥନ ଲୋଡିଛନ୍ତି । ଉଭୟ ସଭାରେ ମଧ୍ୟ ବିପୁଳ ଜନସମାଗମ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଜୁଲାଇ ମାସରୁ ବିଜୁଳି ବିଲ୍ ଛାଡ଼, ମିଶନ ଶକ୍ତି ମହିଳାଙ୍କୁ ଭତ୍ତା ପ୍ରଦାନ ଓ ସମସ୍ତଙ୍କୁ BSKY ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରତିଶ୍ରୁତି ଦୋହରାଇଥିଲେ । ଜନସାଧାରଣଙ୍କ ଭଲ ପାଇବା ଓ ଆଶୀର୍ବାଦ ଯୋଗୁଁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ନିର୍ବାଚନ ମଣ୍ଡଳୀ ଓ ମୟୂରଭଞ୍ଜ ଲୋକସଭା ଆସନରେ ବିଜେଡି ବିଜୟୀ ହେବ ଓ ପୁଣି ଷଷ୍ଠ ଥର ପାଇଁ ସରକାର ଗଠନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଜୁହାର କରି ଆରମ୍ଭ କଲେ ଭାଷଣ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଇରଙ୍ଗପୁରସ୍ଥିତ ମହୁଲଡିହା କ୍ରିକେଟ ପଡ଼ିଆରେ ଅପରାହ୍ନ ୧୧.୩୫ ସମୟରେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ । ସେଠାରୁ ପ୍ରଥମେ ଦାଣ୍ଡବୋଷ ଗାଁକୁ ଯାଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତିଚାରଣ କରିଥିଲେ । ସେଠାରୁ ତାଙ୍କୁ ମହୁଲଡିହା କ୍ରିକେଟ ପଡିଆଠାରେ ଆୟୋଜିତ ନିର୍ବାଚନୀ ପ୍ରଚାର ସମାବେଶକୁ ପାଛୋଟି ଆଣିଥିଲେ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ତଥା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁଙ୍କ ସମେତ ବରିଷ୍ଠ ବିଜେଡି ନେତା ଓ କର୍ମକର୍ତ୍ତା । ପରେ ନିଜର ଚିରାଚରିତ ଢଙ୍ଗରେ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ଆରମ୍ଭ କରିଥିଲେ । ସର୍ବ ପ୍ରଥମେ ସମସ୍ତଙ୍କୁ ଜୁହାର କରି ପ୍ରଚଣ୍ଡ ଖରାରେ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ନିଜ ସରକାରର ସଫଳତା ସହିତ ଓଡ଼ିଶାର ବିକାଶଧାରାକୁ କିପରି ଆଗେଇ ନିଆଯାଇପାରିବ, ସେଥିପାଇଁ ଉପସ୍ଥିତ ଜନସାଧାରଣଙ୍କ ସମର୍ଥନ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ସମ୍ବୋଧନ କଲେ:ରାଇରଙ୍ଗପୁରରେ ସଭା ମଞ୍ଚରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଥା କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଷ୍ଟ୍ରପତିଙ୍କୁ ଭଉଣୀ ସମ୍ବୋଧନ କରି ଅଭିଭାଷଣ ରଖିଲେ ମୁଖ୍ୟମନ୍ତ୍ରୀ । ଗତ ରାଷ୍ଟ୍ରପତି ନିର୍ବାଚନରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲେ ବି ବିଜେଡି ନିଃସର୍ତ୍ତ ସମର୍ଥନ ଦେଇଥିଲା । ଏହା ପୂର୍ବରୁ ମଧ୍ୟ ଅନେକ ଥର ମୁଖ୍ୟମନ୍ତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ଓ ନିଜେ ରାଷ୍ଟ୍ରପତି ନବୀନଙ୍କୁ ନିଜ ଭାଇ ବୋଲି ସମ୍ବୋଧନ କରିଛନ୍ତି ।