ବ୍ରହ୍ମପୁର: ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତେଜିଲା ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳର ଗୋଷ୍ଠୀ କନ୍ଦଳ । ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକର ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶାର ପଞ୍ଚାୟତସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଯୋଗଦାନ କରିବାକୁ ଯାଉଥିବା ସମୟରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କଳାପତକା ଧରି ଆସି ବିଧାୟକ ସୁବାସ ବେହେରା ଡାଉନ୍ ଡାଉନ୍ କହିବା ପରେ ସଭାକୁ ଆସୁଥିବା ବିଧାୟକ ଫେରି ପଳାଇବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ସେପଟେ ଏଭଳି କଳାପତକା ଦେଖାଇବା ପରେ ବିଧାୟକଙ୍କ ସମର୍ଥକ ଏବଂ ବିରୋଧି ସମର୍ଥକଙ୍କ ମଧ୍ୟରେ ଏକ ପ୍ରକାର ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିବା ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ହସ୍ତକ୍ଷେପ ପରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ସେପଟେ ବିଧାୟକଙ୍କୁ କଳାପତକା ଦେଖାଇଥିବା ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତର ନାରାୟଣପୁର ଗ୍ରାମର ଯୁବକ ଦେବରାଜ ପ୍ରଧାନଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଥିଲେ ଯେ, ଛତ୍ରପୁରର ବିଧାୟକ ନିର୍ବାଚନ ବିଜୟୀ ହେବା ପର ଠାରୁ ସେ ପଞ୍ଚାୟତର କୌଣସି ଉନ୍ନୟନମୂଳକ କାର୍ଯ୍ୟରେ ଆସି ନ ଥିବା ବେଳେ ଗତ କୋଭିଡ ମହାମାରୀ ସମୟରେ ୱାର୍ଡମେମ୍ବର ମାନେ ଘରକୁ ଘର ବୁଲିଥିବା ବେଳେ ବିଧାୟକଙ୍କ ଦେଖା ମିଳିନଥିବାରୁ କେବଳ ସରକାରୀ କାର୍ଯ୍ୟକ୍ରମରେ ଆସିଥିବାରୁ ଏପରି ବିରୋଧ କରିଛନ୍ତି । ସେହିପରି ଆଗାମୀ ଦିନରେ ଆହୁରି ଘୋର ବିରୋଧ କରାଯିବ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ପ୍ରଦୀପଙ୍କୁ ବିଜେଡିର ଜବାବ, ଏହା ପାଗଳର ପ୍ରଳାପ