ବାଲେଶ୍ବର: ଗତ ଫେବୃଆରୀରେ ୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ତଥା ଗ୍ରାମୀଣ ଜୀବନଧାରଣର ମାନ ବୃଦ୍ଧି ଏବଂ ଅର୍ଥନୈତିକ ଅଭିବୃଦ୍ଧି ପାଇଁ "ବିକଶିତ ଗାଁ' ବିକଶିତ ଓଡିଶା" ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାକୁ ନେଇ ଆରମ୍ଭ ହୋଇଗଲାଣି ରାଜନୀତି । କଂଗ୍ରେସ ଯୋଜନାକୁ ନେଇ ବିଜେପିକୁ ଟାର୍ଗେଟ କରିଥିବା ବେଳେ ସ୍ବାଗତ କରିଛନ୍ତି ବୁଦ୍ଧିଜୀବୀ ।
ବିକଶିତ ଗାଁ,ବିକଶିତ ଓଡିଶା ଯୋଜନା କଣ ?
ଏହି ଯୋଜନାରେ ଗାଁ'ର ଭିତ୍ତିଭୂମି ବିକାଶ ପାଇଁ ବର୍ଷକୁ ହଜାର କୋଟି ଟଙ୍କା ଲେଖାଏଁ, ପାଞ୍ଚ ବର୍ଷରେ ମୋଟ ପାଞ୍ଚ ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଗାଁ’ର ବିକାଶ ପାଇଁ ଆବଶ୍ୟକ ପ୍ରକଳ୍ପ ଗୁଡିକୁ ଗ୍ରାମ ସଭାରେ ହିଁ ସ୍ଥିର କରାଯିବ । ଉକ୍ତ ଯୋଜନା ଅନ୍ତର୍ଗତ ମୌଳିକ ଭିତ୍ତିଭୂମି ବିକାଶ ସହ ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦିଆଯିବ । ଏହା ସହିତ ବିଶେଷ ଭାବରେ ଅନୁନ୍ନତ ଜନଜାତି ସମୁଦାୟ ବସବାସ କରୁଥିବା ଅଞ୍ଚଳରେ ଆଭ୍ୟନ୍ତରୀଣ ଓ ଆନ୍ତଃ ଗ୍ରାମ୍ୟ ସଡକ ସଂଯୋଗୀକରଣ, କ୍ଷୁଦ୍ର ପର୍ଯ୍ୟଟନସ୍ଥଳୀର ବିକାଶ ଓ ଉନ୍ନତିକରଣ,ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନିକୀକରଣ ତଥା ନୂତନ ଅଭିନବ ଜନମଙ୍ଗଳକାରୀ ବହୁମୁଖୀ ପ୍ରକଳ୍ପର ନିର୍ମାଣ ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦିଆଯିବ । ବାଲେଶ୍ୱର ଜିଲ୍ଲାର ୩୦୪୯ ଟି ଗାଁ ଏହି ଯୋଜନାରେ ଯୋଡ଼ି ହେବ । ଏହି ଯୋଜନାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
'ଜିଡିପି ଆଜି ସର୍ବନିମ୍ନ କାହିଁକି ? '
ଏନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି କହିଛନ୍ତି," ୨୦୧୪ ମସିହାରେ କେନ୍ଦ୍ର ସରକାର ଯେତେବେଳେ କ୍ଷମତାକୁ ଆସିଥିଲା । ସେତେବେଳେ ସେମାନେ ଗୋଟେ ସ୍ଲୋଗାନ ଦେଇଥିଲେ 'ଅଚ୍ଛେ ଦିନ ଆଏଗା '। ଆଜି ଅଛେ ଦିନ ଆସିଛି କି ? ସେସବୁ ଥିଲା ଜୁମଲା । ଓଡ଼ିଶାରେ ପ୍ରଥମ ଥର ପାଇଁ ବିଜେପି ଆସିଥିବାରୁ ସେ ସବୁ ଜୁମଲା ଛାଡ଼ୁଛନ୍ତି । ବିଜେପି ପ୍ରଥମେ ଜବାବ ଦେଉ ବିକଶିତ ଗାଁ କରିବା ପୂର୍ବରୁ ଜିଡିପି ଆଜି ସର୍ବନିମ୍ନ କାହିଁକି ? ଭାରତ ବର୍ଷର ଡଲାର ଅଭିବୃଦ୍ଧି କାହିଁକି ହୋଇଛି ? ପେଟ୍ରୋଲ ଡିଜେଲ ଡର ବୃଦ୍ଧି କାହିଁକି ? ବିକଶିତ ଗାଁ ହେଉ, ବିକଶିତ ସହର ହେଉ, କିଛି ହେବାର ନାହିଁ ? ପ୍ରତ୍ୟେକ ଦିନ ଲୋକଙ୍କ ମୁଣ୍ଡ ଉପରେ ଋଣଭାର ବଢୁଛି । ଯେମିତି ଅଚ୍ଛେ ଦିନ ଜୁମଲା, ଇଏ ବିକଶିତ ଗାଁ ଯୋଜନା ମଧ୍ୟ ଜୁମଲା ।"
ଏପରି କହିଲା ବିଜେଡି:
ଅନ୍ୟପଟେ ଜିଲ୍ଲାର ବିଜେଡି ନେତା ମନୋଜ ରାଉତ ଯୋଜନାର ସଫଳ ରୂପାୟନକୁ ନେଇ ନିଜର ମତ ରଖି କହିଛନ୍ତି । ସେ କହିଛନ୍ତି,"ଯେତେବେଳେ ଗାଁ ବିକଶିତ ହୋଇଯିବ, ଗାଁର ପ୍ରତ୍ୟେକ ଲୋକର ମୌଳିକ ସମସ୍ୟା ସମାଧାନ ହୋଇଯିବ । ଚାଷୀଟିଏ ହେଉ, ସ୍କୁଲ ହେଉ, ସ୍ୱାସ୍ଥ୍ୟ କେନ୍ଦ୍ର ହେଉ । ଯେଉଁ ସମସ୍ୟା ଗାଁ ଲୋକଙ୍କ ପାଇଁ କଷ୍ଟ ଓ ଯନ୍ତ୍ରଣାର କାରଣ ପାଲଟିଛି । ତାହାର ସମାଧାନ ହେଇଯାଏ, ତେବେ ଗାଁର ମୌଳିକ ସମସ୍ୟା ସମାଧାନ ହୋଇପାରିବ । ଆମେ ଯେଉଁ ଯୋଜନା ଆଣୁଛନ୍ତି, ତାକୁ ଯଦି କାର୍ଯ୍ୟକାରୀ କରିବା ଲୋକଙ୍କ ସେବାରେ ଲଗାଇବା । ତେବେ ଜନସାଧାରଣ ଉପକୃତ ହେବେ ଏବଂ ଜାଣିବା ଗାଁ ବିକଶିତ ହେଲା, ଓଡିଶା ବିକଶିତ ହେଲା । ବିରୋଧୀ ଦଳ ହେଲେ ମଧ୍ୟ ଗୋଟିଏ ଲକ୍ଷ୍ୟ ରହିବ ଓଡିଶା ବିକାଶ ହେଉ । ଆମର ଯେତେବେଳେ ସରକାର ଥିଲା ସେତେବେଳେ ଓଡିଶା କେମିତି ବିକାଶ ହେବ, ସେ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏସରକାର ମଧ୍ୟ ବିକାଶ ଓ ଯୋଜନା କାର୍ଯ୍ୟକାରୀ କଲେ ଆମେ ବିରୋଧୀ ହେଲେ ମଧ୍ୟ ସହଯୋଗ କରିବୁ।"
ଏହା ମଧ୍ୟ ପଢନ୍ତୁ... ୯ ବିଭାଗରେ ୬୩୯୦ ଜଣଙ୍କୁ ନିଯୁକ୍ତି, ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ - NIJUKTI MELA |
ବିକଶିତ ଗାଁ, ବିକଶିତ ଓଡ଼ିଶା ସ୍ୱାଗତଯୋଗ୍ୟ ପଦକ୍ଷେପ:
ଏହି ଯୋଜନା ଲଞ୍ଚ ପରେ ବୁଦ୍ଧିଜୀବୀମାନେ ମଧ୍ୟ ନିଜର ମତପୋଷଣ କରିଛନ୍ତି । ବୁଦ୍ଧିଜୀବୀ ରତିକାନ୍ତ ପାତ୍ର କହିଛନ୍ତି," ସବୁ ସ୍ଥାନରେ ମୌଳିକ ସୁବିଧା ପାଉ ନାହାନ୍ତି ଲୋକେ । ପାନୀୟ ଜଳ ହେଉ କି ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟସେବା ଆଜି ବି ବାଲେଶ୍ୱର ଜିଲ୍ଲାରେ ଏମିତି ଗାଁ ଅଛି ଯେଉଁଠି ଅପହଞ୍ଚ । ଅଧିକାଂଶ ସ୍ଥାନରେ ଡଙ୍ଗାରେ ପାରି ହେଉଛନ୍ତି ଲୋକେ । ଯଦିଓ ବିଗତ ସରକାର ସମୟରେ କିଛି ପୋଲ ହୋଇଛି । ତାହାବି ସମ୍ପୂର୍ଣ୍ଣ ଭାବେ ସଫଳ ହୋଇନାହିଁ । ତେଣୁ ନୂଆ ସରକାର ଯେ ଆସିଛନ୍ତି । ବିକଶିତ ଗାଁ, ବିକଶିତ ଓଡ଼ିଶା ସ୍ୱାଗତଯୋଗ୍ୟ ପଦକ୍ଷେପ । କିନ୍ତୁ ଗାଁର ପ୍ରକୃତ ବିକାଶ ଗ୍ରାମସଭା ଜରିଆରେ ହେଲେ ଗାଁର ମୌଳିକ ଆବଶ୍ୟକତା କଣ ଅଛି ? ସେହି ଅନୁସାରେ ଯଦି କାମ କରାଯାଏ ଏବଂ ଅନୁଦାନ ମଧ୍ୟ ସେହି ଅନୁସାରେ ପର୍ଯ୍ୟାପ୍ତ ଆସିବା ଦରକାର । ତାହାଲେ ଗାଁର ବିକାଶ ହୋଇ ପାରିବ । ମୁଖ୍ୟତଃ ଗମନାଗମନ ଏବଂ ବିଦ୍ୟାଳୟର ପାଠ ପଢା, ଭିତ୍ତିଭୂମିର ବିକାଶ, ସ୍ବାସ୍ଥ୍ୟସେବା । ତେଣୁ ଗ୍ରାମ୍ୟ ବିକାଶକୁ ବିଦ୍ଧିବଦ୍ଧ ଭାବେ କେମିତି ପ୍ରାଧାନ୍ୟ ଦିଆଯିବ । ସେଥିପାଇଁ ସ୍ବତନ୍ତ୍ର ରୂପରେଖ ବା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବା ଦରକାର । "
ଇଟିଭି ଭାରତ, ବାଲେଶ୍ବର