ବ୍ରହ୍ମପୁର: ଋଷିକୁଲ୍ୟା ନଦୀର ପିପଳପଙ୍କା ଡ୍ୟାମ୍ ନିର୍ମାଣ ପ୍ରସ୍ତାବକୁ ବିରୋଧ । ଗତ କିଛି ମାସ ଧରି ରଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ପ୍ରସ୍ତାବକୁ ବିରୋଧ କରାଯାଉଛି । ଏନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯିବା ସହିତ ଧାରଣା ଦିଆଯାଇଛି । ଏପରିକି ପିପଳପଙ୍କାରେ ଡ୍ୟାମ୍ ନିର୍ମାଣ କଲେ ଋଷିକୂଲ୍ୟା ନଦୀକୁ ମାରିଦେବ ବୋଲି ଦାବି କରିଛନ୍ତି ଆନ୍ଦେଳନକାରୀ । ଏହାସହ ଆଗାମୀ ଦିନରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ତଥା ଜିଲ୍ଲାର କୃଷି, କୃଷକ ଓ ସାଧାରଣ ଜନତାଙ୍କ ସ୍ୱାର୍ଥ ଦୃଷ୍ଟିରୁ ରଖି ପିପଳପଙ୍କାରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା ଦାବି ନେଇ ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଏକ ପଦଯାତ୍ରାର ଆୟୋଜନ କରାଯିବ କହିଛନ୍ତି ଆନ୍ଦୋଳନକାରୀ ।
ସରକାରୀ ଅର୍ଥରେ ଘରୋଇ କମ୍ପାନୀମାନଙ୍କୁ ପାଣି ଯୋଗାଇବାକୁ ନିଷ୍ପତ୍ତିକୁ ବିରୋଧ:
ଗଞ୍ଜାମ ଜିଲ୍ଲା ବାସିନ୍ଦା ଜଳସେଚନ ଠାରୁ ଆରମ୍ଭ କରି ପାନୀୟ ଜଳ ପାଇଁ ମୁଖ୍ୟତଃ ଋଷିକୂଲ୍ୟା ନଦୀ ଉପରେ ନିର୍ଭର କରନ୍ତି । ସେପଟେ ସରକାରୀ ଅର୍ଥରେ ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣ କରାଯିବା ପାଇଁ ଯୋଜନା କରାଯାଇଛି । ଋଷିକୂଲ୍ୟା ନଦୀର ପାଣିକୁ ଉପର ମୁଣ୍ଡରୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ ଯୋଗେ ନେଇ ଗୋପାଳପୁର ଓ ଛତ୍ରପୁର ଅଞ୍ଚଳରେ ରହିଥିବା କମ୍ପାନୀଙ୍କୁ ଯୋଗାଇ ଦେବାକୁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ ଏହାକୁ ବିରୋଦ୍ଧ କରିଛି ରଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ।
'ଡ୍ୟାମ ହେଲେ ୨୩ ଖଣ୍ଡ ଗାଁ ପ୍ରଭାବିତ ହେବ':
ଏନେଇ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, "୧୯୯୫-୯୮ ମସିହାରେ ତତ୍କାଳୀନ ସରକାର ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତାହାକୁ ବିରୋଦ୍ଧ କରି ଅନେକ ଜନ ଆନ୍ଦୋଳନ କରାଯାଇଥିଲା । ଶେଷରେ ସରକାର ସେହି ନିଷ୍ପତ୍ତିରୁ ଓହରିଥିଲେ । ଏପରିକି ଜଳସେଚନ ବିଭାଗ ତାର ରିପୋର୍ଟରେ ଅକ୍ଟୋବର ମାସରୁ ଜୁନ୍ ପର୍ଯ୍ୟନ୍ତ ନଦୀରେ ପାଣି ଆସିବ ନାହିଁ ବୋଲି କହିଛି । ଏପରି ନିଷ୍ପତ୍ତି ଋଷିକୁଲ୍ୟା ନଦୀରେ ଯେଉଁ ଧାରଟି ଆସୁଛି ତାହା ମରିଯିବ । ଏହି ଡ୍ୟାମ୍ ହେଲେ ଏହାର ପ୍ରଭାବ ୨୩ ଖଣ୍ଡ ଗ୍ରାମକୁ ପଡିବା ସହିତ ଗଞ୍ଜାମ ଏବଂ ଛତ୍ରପୁର ବ୍ଲକର ଲୋକେ ଲୁଣି ପାଣି ପିଇବାକୁ ପଡିବ । ଏହାର ପ୍ରଭାବରେ ନଦୀର ବେକ୍ ୱାର୍ଟର ନଥିଲେ ମାଛମାନଙ୍କ ପାଇଁ ଅନେକ ସମସ୍ୟା ଦେଖାଦେବ । ତେଣୁ ଏହି ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ସରକାର କେଉଁ କାରଣ ପାଇଁ ଏହି ପିପଳପଙ୍କା ଡ୍ୟାମ୍ କରୁଛନ୍ତି ? ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜେ ଖୋଦ୍ ଜଳସମ୍ପଦ ମନ୍ତ୍ରୀ ରହିଥିବା କାରଣରୁ ଏହି କମିଟି ସହିତ ଆଲୋଚନା କରିବା ସହିତ ଏକ୍ସପର୍ଟ ଟିମ୍ ଏନେଇ ଆଲୋଚନା କରିବାର ଆବଶ୍ୟକତା ରହିଛି ।"
'ଋଷିକୁଲ୍ୟା ନଦୀ ସ୍ରୋତ ସଂପୂର୍ଣ୍ଣ ଶୁଖିଲା ହୋଇପଡିବ':
ସେପଟେ ଋଷିକୂଲ୍ୟା ନଦୀ କ୍ରିୟାନୁଷ୍ଠାନ କମିଟିର ଅନ୍ୟତମ ଆବାହକ ତଥା ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ କହିଛନ୍ତି, "ଚାଷୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଋଷିକୁଲ୍ୟା ନଦୀର ପିପଳପଙ୍କାରେ ଜଳଭଣ୍ଡାର କରିବା ପାଇଁ ବହୁ ଆଗରୁ ଦାବି ରହିଥିଲା । ହେଲେ ସେହି ସମୟରେ ଋଷିକୁଲ୍ୟାକୁ ମିଶିଥିବା ଅନ୍ୟ ନଦୀମାନଙ୍କରେ ଡ୍ୟାମ୍ ନଥିଲା । ହେଲେ ବର୍ତ୍ତମାନ ରଷିକୁଲ୍ୟା ସହିତ ସଂଯୋଗ ହୋଇଥିବା ସମସ୍ତ ନଦୀରେ ଡ୍ୟାମ୍ ହୋଇଯାଇଛି । ଘୋଡାହାଡ ଠାରୁ ଆରମ୍ଭ କରି ବଡନଦୀ, ବାଘୁଆ, ଧନେଇ, ବଡନଦୀ ସହିତ ସଂଯୋଗ ହୋଇଥିବା ଡହ ନଦୀରେ ମଧ୍ୟ ଡ୍ୟାମ୍ ରହିଛି । ଏପରିକି ପଦ୍ମା ନଦୀରେ ବ୍ୟାରେଜ ରହିଥିବା ବେଳେ ଗତ ୫୦ ବର୍ଷ ମଧ୍ୟରେ ଋଷିକୁଲ୍ୟା ସହିତ ସଂଯୋଗ ହୋଇଥିବା ସମସ୍ତ ନଦୀରେ ଡ୍ୟାମ୍ ହେବା ସହ ଜଳସେଚନର ସୁବିଧା ହୋଇସାରିଛି ।"
ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଋଷିକୁଲ୍ୟା ନଦୀ କହିଲେ କେବଳ ମୂଳ ଧାରଟା ହିଁ ରହିଛି । ଋଷିକୁଲ୍ୟା ନଦୀ ଋଷିମାଳ ପର୍ବତରୁ ବାହାରି ଓଡଙ୍ଗୀ ନଦୀ ସହିତ ସାମିଲ ହୋଇ ଜାନବିଲିରେ ବ୍ୟାରେଜ୍ ହୋଇଥିବା ବେଳେ ସେଠାରୁ ଆମେ ପାଣି ପାଉଛୁ । ଏଭଳି ପରିସ୍ଥିତିରେ ସରକାର ଯଦି ଉପରମୁଣ୍ଡରେ ହିଁ ବ୍ୟାରେଜ/ ଡ୍ୟାମ୍ କରିଦେବେ ଏବଂ ତାର ପାଣି ଶିଳ୍ପକୁ ଦେବେ, ଏହା ପ୍ରଭାବରେ ତଳମୁଣ୍ଡକୁ ପାଣି ଆଉ ଆସିବ ନାହିଁ । ଏପରିକି ଏହାର ପ୍ରଭାବରେ ଜାନିବିଲି ବ୍ୟାରେଜରେ ମଧ୍ୟ ପାଣି କମିଯିବ । ଏପରିକି ବର୍ଷର ମାତ୍ର ୨ରୁ ୩ ମାସ ଛାଡିଦେଲେ ପାଣି ନଥିବା ଦେଖିବାକୁ ମିଳିଥାଏ । ନଦୀରେ ମାତ୍ର ଗୋଟିଏ ଧାର ବହୁଥିବା ଦେଖିବାକୁ ମିଳିଥାଏ । ଏପରିକି ଋଷିକୁଲ୍ୟା ନଦୀରେ ବାଲିର ଅବାଧ ଚାଲାଣ ସହିତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପାଣିରସ୍ତର ବହୁ ମାତ୍ରାରେ କମୁଥିବା ବେଳେ ଏଭଳି ସମୟରେ ପାଣି ଥରେ ଋଷିକୁଲ୍ୟା ନଦୀର ପିପଳପଙ୍କା ଡ୍ୟାମ୍ ହେଲେ ଏହା ସମସ୍ତଙ୍କ ପାଇଁ କ୍ଷତିର କାରଣ ହେବ । ଋଷିକୁଲ୍ୟା ନଦୀ ତାର ସ୍ରୋତ ସଂପୂର୍ଣ୍ଣ ଶୁଖିଲା ହୋଇପଡିବ ।"
ପିପଳପଙ୍କା ଜଳଭଣ୍ଡାର ପ୍ରକଳ୍ପ ପ୍ରତ୍ୟାହାର ଦାବି:
ସରକାରୀ ଅର୍ଥରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ଡ୍ୟାମ୍ ନିର୍ମାଣ କରିବାକୁ ନେଇ ଜିଲ୍ଲାର ଚାଷୀ ସଂଙ୍ଗଠନ ଓ ବୁଦ୍ଧିଜୀବୀମାନେ ତା’ର ଦୃଢ଼ ବିରୋଧ କରିଛନ୍ତି । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ଏକ ଗଣଧାରଣାରେ ଯୋଗଦେଇ ଜିଲ୍ଲାର ସୋରଡ଼ା, ଧରାକୋଟ, ଆସିକା, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର ଓ ଦିଗପହଣ୍ଡି ବ୍ଳକ୍ର ଚାଷୀ ନେତା ଓ ବ୍ରହ୍ମପୁର ସହରର ବୁଦ୍ଧିଜୀବିମାନେ ପ୍ରସ୍ତାବିତ ଡ୍ୟାମ୍କୁ ବାତିଲ କରିବାକୁ ଦାବି କରି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.. ଋଷିକୁଲ୍ୟା ମୁହାଣ ମୁହାଁ ଅଲିଭ ରିଡଲେ କଇଁଛ, ମାଛ ଧରା ଓ ଟ୍ରଲର ଚଳାଚଳରେ କଟକଣା 11 ପ୍ରସ୍ତାବକୁ ମୋହର; ଅନ୍ତୋଦୟ ଗୃହ ଯୋଜନାରେ ଦୁର୍ବଳ ବର୍ଗଙ୍କୁ ପକ୍କାଘର, 314 ବ୍ଲକରେ ବ୍ଲକସ୍ତରୀୟ ଷ୍ଟାଡ଼ିୟମ |
ଗୋଟିଏ ପଟେ ଋଷିକୂଲ୍ୟାରେ ପାଣି ନାହିଁ ବୋଲି କହି ମହାନଦୀର ଜଳକୁ ଆଣି ଋଷିକୂଲ୍ୟାରେ ସଂଯୋଗ କରିବାକୁ ଆଲୋଚନା ହେଉଥିବା ବେଳେ ଋଷିକୂଲ୍ୟାର ହିଁ ଉପର ମୁଣ୍ଡରେ ଡେମ୍ ନିର୍ମାଣ କରି ତା’ର ପାଣିକୁ କମ୍ପାନୀଙ୍କୁ ଯୋଗାଇଦେବାକୁ ଯେଉଁ ଷଡ଼ଯନ୍ତ୍ର କରାଯାଉଥିବା ବେଳେ ଏଥିରୁ କ୍ଷାନ୍ତ ରହିବାକୁ ଚେତାବନୀ ଦିଆଯାଇଛି । ଏପରିକି ପିପଳପଙ୍କାରେ ଡ୍ୟାମ୍ ନିର୍ମାଣ ଫଳରେ ସେ ଅଞ୍ଚଳର ୨ ହଜାର ହେକ୍ଟରରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଘଞ୍ଚ ଜଙ୍ଗଲ ଓ ଏହା ମଧ୍ୟରେ ଥିବା ୨୩ଟି ଗାଁର ଚାଷଜମି ତଥା ଘରବାଡ଼ି ଜଳମଗ୍ନ ହେବ ବୋଲି କହିଛନ୍ତି ରଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି । ଏହାସହ ନଦୀ ଜଳଶୂନ୍ୟ ହୋଇ ତା'ର ଉଭୟ ପାର୍ଶ୍ୱରେ ରହିଥିବା ଶତାଧିକ ଗ୍ରାମର କୃଷି, ପଶୁପାଳନ ଓ ପିଇବା ପାଣିର ବ୍ୟବସ୍ଥା କ୍ଷତିଗ୍ରସ୍ଥ ହେବ । ସରକାର ପିପଳପଙ୍କା ପ୍ରକଳ୍ପ ଫଳରେ ପ୍ରଭାବିତ ହେବାକୁ ଯାଉଥିବା ଜିଲ୍ଲାର ଚାଷୀ, ଆଦିବାସୀ, ମତ୍ସ୍ୟଜୀବି ଓ ବ୍ରହ୍ମପୁର ସହରବାସୀଙ୍କ ମତାମତ ନନେଇ ତଥା ଏହି ପ୍ରକଳ୍ପ ଫଳରେ ହେବାକୁ ଥବା ଅର୍ଥନୈତିକ ଓ ପରିବେଶଗତ କ୍ଷୟକ୍ଷତିର କୌଣସି ବିଜ୍ଞାନ ସମ୍ମତ ଆକଳନ ନକରି ଏକପାଖିଆ ଭାବେ ଡ୍ୟାମ୍ କରିବାକୁ ଯାଉଥିବା ଅଭିଯୋଗ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର