ଲକ୍ଷ୍ନୌ:ଚଳିତ ସାଧାରଣ ନିର୍ବାଚନରେ ଜାତୀୟ ରାଜନୀତିରେ ବଡ ମୁଦ୍ଦା ଭାବେ ସାମ୍ନାକୁ ଆସିଛି ସଂରକ୍ଷଣ ବ୍ୟବସ୍ଥା । ବିଜେପି ସରକାର ପୁଣି ଥରେ କେନ୍ଦ୍ରରେ ସରକାର ଗଠନ କଲେ ବିଭିନ୍ନ ସାମାଜିକ ବର୍ଗକୁ ମିଳୁଥିବା ସଂରକ୍ଷଣ ସୁବିଧା ବନ୍ଦ କରିଦେବ ବୋଲି କହିଛନ୍ତି ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି କେଜ୍ରିଓ୍ବାଲ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଲକ୍ଷ୍ନୌରେ ମିଳିତ ପ୍ରେସମିଟ କରି ବିଭିନ୍ନ ପ୍ରସଙ୍ଗରେ ମୋଦି ନେତୃତ୍ବାଧୀନ ବିଜେପି ସରକାର ଉପରେ ଭୀଷଣ ବର୍ଷିଛନ୍ତି ।
ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ କେନ୍ଦ୍ରୀୟ ସଂସ୍ଥା ‘ଇଡି’ ଦ୍ବାରା ଗିରଫ ହୋଇ ମାସାଧିକ କାଳ ଜେଲରେ ରହିବା ପରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ବେଲରେ ଆସିଥିବା କେଜ୍ରିଓ୍ବାଲ ଏହି ସଂରକ୍ଷଣ ବ୍ୟବସ୍ଥା ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଏକାଧିକ ସଙ୍ଗୀନ ଅଭିଯୋଗ ସହ କେଜ୍ରିଓ୍ବାଲ କହିଛନ୍ତି, ବିଜେପି ସବୁବେଳେ ସଂରକ୍ଷଣ ବ୍ୟବସ୍ଥାର ବିରୋଧୀ । ସେମାନେ ଚଳିତ ନିର୍ବାଚନରେ କ୍ଷମତା ହାସଲ କରିବା ପରେ ସମ୍ବିଧାନ ପରିବର୍ତ୍ତନ କରିବା ପାଇଁ କାମ କରିବେ । ପୂର୍ବରୁ ଦେଶରେ ଲାଗୁ ରହିଥିବା ସଂରକ୍ଷଣ ବ୍ୟବସ୍ଥାକୁ ସମାପ୍ତ କରିଦେବେ । ଆଉ ଏକ ସଙ୍ଗୀନ ଦାବି ମଧ୍ୟ କରିଛନ୍ତି କେଜ୍ରିଓ୍ବାଲ । ବିଜେପି ଏଥର ନିର୍ବାଚନରେ କ୍ଷମତାକୁ ଆସିବା ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୌକିରୁ ଯୋଗୀ ଆଦିତ୍ୟନାଥଙ୍କୁ ହଟାଇବ ।
ସେହିପରି ଉତ୍ତର ପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତ ସାଧାରଣ ନିର୍ବାଚନ ଲଢୁଥିବା ‘ସପା’ ସୁପ୍ରିମୋ ଅଖିଳେଶ କହିଛନ୍ତି, ବିଜେପି ଚଳିତ ନିର୍ବାଚନରେ ପରାସ୍ତ ହେବାକୁ ଯାଉଛି । ଏବେ ସୁଦ୍ଧା ଦେଶରେ 4ର୍ଥ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଯେତିକି ଆସନରେ ମତଦାନ ଶେଷ ହୋଇଛି, ସେଥିରେ ଭାରତୀୟ ଜନତା ପାର୍ଟି ଅଧିକାଂଶ ଆସନରେ ପରାସ୍ତ ହୋଇସାରିଲାଣି ।