ଭୁବନେଶ୍ବର: ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରେ ଓଡି଼ଶା ଶାସନ ଓ ଶାସକ ଥିବା ନେଇ ଅଭିଯୋଗ ଆଣିଲା ବିଜେପି । ତେଣୁ ରାଜ୍ୟକୁ ଏଥିରୁ ମୁକ୍ତ କରିବାକୁ ମୁକୁଳାଇବା ପାଇଁ ଭୋଟରଙ୍କୁ ଅପିଲ କରିଛି ଦଳ । ରାଜ୍ୟ ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, " ବର୍ତ୍ତମାନ ବିଚିତ୍ର ଅବସ୍ଥା ଦେଇ ରାଜ୍ୟ ଗତି କରୁଛି । ଯାହାକୁ ନିର୍ବାଚିତ କରି ଓଡ଼ିଶାବାସୀ ଦାୟିତ୍ଵ ଦେଇଛନ୍ତି ସେ ଲୋକମାନଙ୍କ ପାଖରେ ଦେଖା ଯାଉନାହାନ୍ତି । କେବଳ ଭିଡିଓରେ ଦେଖାଯାଉଛନ୍ତି । ବିଜେଡି ଗୋଟିଏ ସମୟରେ ଓଡ଼ିଶାରେ ଗଣତାନ୍ତ୍ରିକ ଆନ୍ଦୋଳନର ମୁଖ୍ୟ ଅନୁଷ୍ଠାନ ଥିଲା । ଏହି ଅନୁଷ୍ଠାନରେ ନିର୍ବାଚନରେ ସଂସଦୀୟ ବୋର୍ଡ ଦଳର ପ୍ରାର୍ଥୀ ସ୍ଥିର କରନ୍ତି । ସଂସଦୀୟ ବୋର୍ଡର ବୈଠକ ହୁଏ ଏବଂ ନିଷ୍ପତ୍ତି ହୁଏ । କିନ୍ତୁ ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀମାନେ କ୍ୟାବିନେଟ ବୈଠକରେ ନଥାଇ ମଧ୍ୟ ନିଷ୍ପତ୍ତି ହୋଇଯାଉଛି । ବର୍ତ୍ତମାନ କେବଳ ଭିଡିଓରେ ଦୁଇ ଜଣ ଦେଖାଯାଉଛନ୍ତି ।"
ସେ ଆହୁରି କହିଛନ୍ତି, "ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିରେ ଉପରୁ ତଳ ଯାଏଁ ପିସି କାରବାର ଚାଲିଛି । ମାଫିଆ ରାଜ ଚାଲିଛି । ରାଜ୍ୟରେ ଯେକୌଣସି କାର୍ଯ୍ୟ ପାଇଁ କୌଣସି ଟେଣ୍ଡର ହେଉନାହିଁ । ମୋଟାମୋଟି ଭାବେ ରାଜ୍ୟ ସରକାର ଦଳର ନେତା କି ମନ୍ତ୍ରୀଙ୍କୁ ନେଇ ଶାସନ ଚଳାଇ ନାହାନ୍ତି । ସେ ଜଣେ ଅଣଓଡ଼ିଆ ଅଧିକାରୀଙ୍କର ବନ୍ଧନରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ପ୍ରରୋଚନାରେ ରାଜ୍ୟ ଶାସନ ହେଉଛି । ବାହାର ରାଜ୍ୟରୁ ଆସୁଥିବା ନେତାମାନେ ମଧ୍ୟ ଏହା ହୃଦୟଙ୍ଗମ କରୁଛନ୍ତି । ତେଣୁ ଓଡ଼ିଶାକୁ ଏଥିରୁ ମୁକୁଳେଇବା ପାଇଁ ବିଜେପି ଭୋଟରମାନଙ୍କୁ ନିବେଦନ କରୁଛି । ଏଥିରୁ ମୁକୁଳିଲେ ହିଁ ବିକଶିତ ଓଡ଼ିଶା ଗଠନ ହୋଇପାରିବ ।"
"ବିଜେପି କୌଣସି ଯୋଜନା ବନ୍ଦ କରେ ନାହିଁ । ଯୋଜନା ଗୁଡିକ କେମିତି ଅଧିକ ବିକଶିତ ଏବଂ କ୍ରିୟାଶୀଳ ହେବ, ସେଥିପାଇଁ ବିଜେପି କାର୍ଯ୍ୟ କରେ । ବିଜେପି ବିକାଶରେ ବିଶ୍ୱାସ କରେ । କିଛି ଲୋକ ମାଗଣା ଦେବାରେ ବିଶ୍ୱାସ କରନ୍ତି । 'ମୋଦି ସୂର୍ଯ୍ୟ ଘର ଯୋଜନା 'ମାଧ୍ୟରେ ସୁଲଭ ମୂଲ୍ୟରେ ବିଜୁଳି ମିଳି ପାରିବ । ମାଆମାନଙ୍କୁ ଆର୍ଥିକ ସ୍ୱଚ୍ଛଳ କରିବା ପାଇଁ ବିଜେପି 'ସୁଭଦ୍ରା ଯୋଜନା' ଆଣିଛି । କେନ୍ଦ୍ର ପାଖରୁ ଅନେକ ଯୋଜନା ପାଇଁ ତାଙ୍କ ଆସିଛି, ହେଲେ ଧାନ ମଣ୍ଡି ହୋଇନାହିଁ । ଶୀତଳ ଭଣ୍ଡାର ହୋଇନାହିଁ । ରାଜ୍ୟର ଏଭଳି ସ୍ଥିତିରେ ବିଜେପି ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପିଛା ୩ ହଜାର ୧୦୦ ଟଙ୍କା ଦେବ ଓ ୧ ଲକ୍ଷ ଯୁବକଙ୍କୁ ରୋଜଗାର ଦେବ" ବୋଲି କହିଛନ୍ତି ବିଜେପି ମୁଖପାତ୍ର ।
"ଓବିସିମାନଙ୍କୁ ସଂରକ୍ଷଣରୁ ବଞ୍ଚିତ ରଖୁଛନ୍ତି ରାଜ୍ୟ ସରକାର । ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି ବାଧିତ ହୋଇଛି । ପଛୁଆ କମିଶନ, ଅର୍ଥ ନିଗମରେ କିଛି କାମ ହେଉନାହିଁ । ଓଡ଼ିଶା ସରକାର ଅର୍ଥ ସରକାର ଚାଲିଛି । ଆର୍ଥକ ଦୃଷ୍ଟିରୁ ଅନଗ୍ରସର ଥିବା ବ୍ୟକ୍ତିଙ୍କୁ 10 ପ୍ରତିଶତ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ଓଡ଼ିଶା ସରକାର ଏଥିରେ ବାଧକ ସାଜିଲେ" ବୋଲି କହିବା ସହ ଅଣଓଡ଼ିଆ ଅଧିକାରୀଙ୍କ ବନ୍ଧନରୁ ଓଡି଼ଶା ଶାସନ ଓ ଶାସକ, ମୁକୁଳାଇବା ପାଇଁ ଭୋଟରଙ୍କୁ ବିଜେପି ଅପିଲ କରିଛି ।
ଏହା ବି ପଢନ୍ତୁ...ମୁଖ୍ୟମନ୍ତ୍ରୀଙ୍କୁ ବନ୍ଧକ ରଖାଯାଇଛି, ମୁକ୍ତ କରାଯାଉ: ବିଜେପି - BJP Targets BJD