BJP reacted on Rahul Gandhi Statement ଭୁବନେଶ୍ବର: ଓଡ଼ିଶାରେ ଜାରି ରହିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ତେବେ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ବା ଅଘୋଷିତ ମେଣ୍ଟ ରହିଥିବା କଂଗ୍ରେସ ସବୁବେଳେ ଅଭିଯୋଗ କରିଆସୁଛି । ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଏହି ନ୍ୟାୟ ଯାତ୍ରା ସମୟରେ ଉଭୟ ଦଳକୁ ଟାର୍ଗେଟ କରିଛନ୍ତି । ବିଜେପି ଓ ବିଜେଡିର ପାର୍ଟନରସିପ୍ରେ ଓଡ଼ିଶାରେ ଶାସନ ଚାଲିଥିବା ରାହୁଲ ଅଭିଯୋଗ ଲଗାଇଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ । ବିଜେଡି ସହ ବିଜେପିର ନୁହେଁ, ବରଂ କଂଗ୍ରେସର ଅନେକ ଭିତିରି ବୁଝାମଣା ରହିଥିବା ସେ କହିଛନ୍ତି ।
ବିଜେପି ବିଧାୟକ ନାଉରୀ କହିଛନ୍ତି, "ସ୍ବାଧୀନତା ପରବର୍ତ୍ତୀ ସମୟରୁ ୨୦୧୪ ମସିହା ପର୍ଯ୍ୟନ୍ତ ସର୍ବାଧିକ ସମୟ ଧରି ଶାସନ କ୍ଷମତାରେ ଥିଲା କଂଗ୍ରେସ । କଂଗ୍ରେସ ଓଡିଶା ତଥା ଓଡିଶାବାସୀଙ୍କ ପାଇଁ କ’ଣ କରିଛନ୍ତି ? ଓଡିଶାର ବିକାଶ ପାଇଁ 'ଟଙ୍କା କଣ ଗଛରେ ଫଳେ' ବୋଲି କହୁଥିବା କଂଗ୍ରେସ ଦଳ ଆଜି ଅନ୍ୟକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ବକ୍ତବ୍ୟ ସମୟରେ କାହିଁକି ଚୁପ ରହିଥିଲେ ରାହୁଲ ଗାନ୍ଧୀ ? ୨୦୦୪ରୁ ୨୦୧୪ ୟୁପିଏ ସରକାର ଅମଳର ୧୦ ବର୍ଷରେ ମାତ୍ର ୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସିଥିଲା । ମୋଦି ସରକାରଙ୍କ ଗତ ୯ ବର୍ଷ ଶାସନରେ ଓଡିଶାକୁ ୧୮.୮୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିସାରିଛି ।"
ସେ ଆହୁରି କହିଛନ୍ତି, "ବାଜପେୟୀ ସରକାର ଥିବାବେଳେ ଓଡ଼ିଶାରେ ଟଙ୍କାର ଅଭାବ ରହିବ ନାହିଁ ବୋଲି କହିଥିଲେ । ଯାହାକୁ ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟାନ୍ବିତ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ମୋଦି ସଂକଳ୍ପବଦ୍ଧ । ମୋଦି ଗ୍ୟାରେଣ୍ଟିକୁ ଓଡିଶାବାସୀ ଆପଣାଇଛନ୍ତି । ରେଳପଥ, ରାଜପଥ, ଜଳପଥ, ଶିକ୍ଷା, ସାମାଜିକ ସୁରକ୍ଷା, ମହିଳା ସଶକ୍ତୀକରଣ, ସଂସ୍କୃତି, ମାନ୍ୟତା ଆଦି ପ୍ରସଙ୍ଗରେ ଓଡିଶାକୁ ମୋଦି ସରକାରଙ୍କ ଅବଦାନ କଂଗ୍ରେସ ଦଳ ପାଇଁ 'ଚିନ୍ତାର ବାହାରେ' । ନିଜ ଅସ୍ତିତ୍ବ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଦଳ ଏବଂ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀ, ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ନୈତିକତା ହରାଇ ସାରିଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଚାଲିଛି ବିଜେଡି-ବିଜେପି ପାର୍ଟନରସିପ୍ ସରକାର: ରାହୁଲ ଗାନ୍ଧୀ
ଗତ ୨ ଦିନ ହେଲାଣି ରାହୁଲ ଗାନ୍ଧୀ ଓଡିଶାରେ ଅଛନ୍ତି ଏବଂ ଆସନ୍ତାକାଲି ମଧ୍ୟ ଓଡିଶାରେ ରହିବେ । ନିଜ ଅପାରଗତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଥିବା ରାହୁଲ ଗାନ୍ଧୀ ଓଡିଶା ଗସ୍ତ ଶେଷ କରିବା ପୂର୍ବରୁ ଓଡିଶାବାସୀଙ୍କୁ ଗପ ନଶୁଣାଇ ଓଡିଶା ପାଇଁ କଂଗ୍ରେସ ଦଳ କ’ଣ କରିଛି, ତାହା ସ୍ପଷ୍ଟ କରିବାକୁ ସେ କହିଛନ୍ତି । ଓଡିଶାରେ ଶାସକ ବିଜେଡିର ସମସ୍ତ ଜନବିରୋଧୀ ନୀତି ଓ କାର୍ଯ୍ୟ ପାଇଁ ବିରୋଧୀ ଦଳ ହିସାବରେ ବିଜେପି ସବୁବେଳେ ପ୍ରତିବାଦ, ଆନ୍ଦୋଳନ ଓ ଲଢ଼େଇ କରୁଥିବାବେଳେ କଂଗ୍ରେସ କାହିଁକି ଚୁପ ରହିଛି ତାହା ରାହୁଲ ସ୍ପଷ୍ଟ କରନ୍ତୁ ବୋଲି ନାଉରୀ କହିଛନ୍ତି ।
ତେବେ ଓଡ଼ିଶା ଛାଡିବା ପୂର୍ବରୁ ଓଡ଼ିଶାବାସୀଙ୍କ ୫ଟି ପ୍ରଶ୍ନର ଉତ୍ତର ଦେଇଯାଆନ୍ତୁ ବୋଲି କହିଛନ୍ତି ନାଉରୀ । ସେ ପଚାରିଛନ୍ତି, "ରାଜ୍ୟରେ ୨୦୦୯ ମସିହାରେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ସେତେବେଳେ ବିଜେଡିର କିଏ ସହାୟକ ହୋଇଥିଲେ ? ତାହା ଜବାବ ରଖିବେ କି ରାହୁଲ । ସେହିପରି ରାଜ୍ୟରେ ପାର୍ଟନରସିପ ସରକାର ଚାଲିଛି ବୋଲି ରାହୁଲ କହୁଛନ୍ତି । ହେଲେ ଉତ୍ତର ରଖିବେ କି, ଆପଣଙ୍କ ବିଧାୟକମାନେ ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦ ନକରି କଣ ପାଇଁ ଗୃହରୁ କକ୍ଷତ୍ୟାଗ କରୁଛନ୍ତି ? ଏହା କଣ ପ୍ରମାଣିତ କରୁନାହିଁ କି ଶାସକ ବିଜେଡି ଦଳ ସହିତ କଂଗ୍ରେସ ଅଛି ? ଓଡ଼ିଶାରେ ଘୃଣାର ବଜାର କେଉଁଠି କେଉଁଠି ଅଛି ଓ ପ୍ରେମର ଦୋକାନ କେଉଁଠି କେଉଁଠି ଖୋଲିବାର କଂଗ୍ରେସ ଦଳର ଯୋଜନା ଅଛି ?" ଏସବୁ ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ରାହୁଲ ବୋଲି ସେ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ବେକାରୀ, ଦରବୃଦ୍ଧି ଓ ଇଭିଏମ୍ ପ୍ରସଙ୍ଗ; କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଜୟରାମ ରମେଶ
ସେ ଆହୁରି ପଚାରିଛନ୍ତି, "କଂଗ୍ରେସ ଅମଳରେ ଓଡ଼ିଶାରୁ କେତେ ଶ୍ରମିକ ଦାଦନ ଖଟିବାକୁ ବାହରକୁ ଯାଇଥିଲେ ? ଆଉ କଂଗ୍ରେସ ସରକାର ରାଜ୍ୟରେ କେତେ ରୋଜଗାର ସୃଷ୍ଟି କରିଥିଲା ତାହାର ତଥ୍ୟ ଓଡ଼ିଶାବାସୀଙ୍କ ଆଗରେ ଟିକେ ରଖିବେ କି ରାହୁଲ । ବିଗତ ନିର୍ବାଚନ ଗୁଡିକରେ କଂଗ୍ରେସ ରାଜ୍ୟରେ ଦ୍ବିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଛି । ଯଦି ରାହୁଲ କହୁଛନ୍ତି ବିଜେଡି-ବିଜେପି ସାଙ୍ଗରେ ଅଛନ୍ତି, ତେବେ ବିଜେପି ତାର ଭୋଟ ବଢ଼ାଇ ଚାଲିଥିବାବେଳେ କଂଗ୍ରେସର ଭୋଟ କେଉଁଠି ଲୀନ ହେଉଛି । କାହିଁକି କଂଗ୍ରେସ ଦଳ ବିଗତ ସାଧାରଣ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ବିଧାନସଭା ଉପନିର୍ବାଚନ ଗୁଡିକରେ ଲୋପ ପାଇବାରେ ଲାଗିଛି । କଂଗ୍ରେସ ଦଳର ଭୋଟ ବିଜେଡିରେ ବିକ୍ରି ହେଉନି ତ ?" ତଥ୍ୟ ଜାଣିବାକୁ ଚାହିଁଲେ ବିଗତ କିଛି ଉପନିର୍ବାଚନର ଫଳାଫଳ ଉପରେ ନଜର ରଖି ରାହୁଲ ଓଡ଼ିଶାବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ନାଉରୀ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର