କାନ୍ଦୁଛି ଗୋପପୁର, ବିଦାୟ ନେଲେ କୃଷ୍ଣ-ବଳରାମ - BARGARH DHANU YATRA 2025
🎬 Watch Now: Feature Video
Published : Jan 12, 2025, 3:32 PM IST
ବରଗଡ଼: ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାର ନବମ ଦିନରେ କୃଷ୍ଣବଳରାମ ବେନି ଭାଇଙ୍କୁ ମନ୍ତ୍ରୀ ଅକ୍ରୁର ମଥୁରା ଅଭିମୁଖେ ଯାତ୍ରା କରିଥିବା ବେଳେ ଗୋପପୁରରେ ଶୋକାକୂଳ ପରିବେଶ ଖେଳିଯାଇଛି । ଶ୍ରୀକୃଷ୍ଣ ବଳରାମଙ୍କୁ ଛାଡ଼ିବା ପାଇଁ ନନ୍ଦରାଜା, ଯଶୋଦା,ଗୋପୀ ଓ ରାଧା ବାଟ ଓଗାଳି ବା ସହ ବିଦାୟ ଦେଇଛନ୍ତି । ସେପଟେ କଂସ ମହାରାଜ ନଗର ଭ୍ରମଣ କରି ଆମ୍ରବନରେ ମୁନିଋଷିମାନଙ୍କୁ ଆକ୍ରମଣ କରି ବନ୍ଦୀ କରିଛନ୍ତି ।
ଧନୁଯାତ୍ରାର ନବମ ଦିନରେ,କୃଷ୍ଣ-ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜା କଂସଙ୍କ ଆୟୋଜିତ ଛଳନାର ଧନୁଯାତ୍ରା ଦେଖିବା ପାଇଁ, ନିମନ୍ତ୍ରଣ ଧରି ପହଞ୍ଚିଥିବା ମନ୍ତ୍ରୀ ଅକ୍ରୁରଙ୍କ ସହ ବହାରି ପଡ଼ିଛନ୍ତି କୃଷ୍ଣ ବଳରାମ ବେନି ଭାଇ । ହେଲେ ନନ୍ଦ ରାଜା ଓ ଯଶୋଦାକୁ ବୁଝାଇବ କିଏ ? ପୁତ୍ର ପ୍ରେମରେ ଅନ୍ଧ ହୋଇପଡ଼ିଛନ୍ତି ମାତା ଯଶୋଦା । କୃଷ୍ଣ-ବଳରାମ ଧନୁଯାତ୍ରା ଦେଖି ଫେରି ଆସିବାକୁ କଥା ଦେଇଛନ୍ତି ।
ଏପଟେ ବାଟରେ ରାଧା ସମେତ ଗୋପାଙ୍ଗନାମାନେ କୃଷ୍ଣଙ୍କ ବାଟ ଓଗାଳିଛନ୍ତି । ଯାହା ହେଉ ପଛେ କୃଷ୍ଣଙ୍କୁ ମଥୁରା ଯିବାକୁ ଦେବୁ ନାହିଁ, ଏହି ଭାବନାରେ ରାଧା ମୁର୍ଛିତ ହୋଇପଡ଼ୁଛନ୍ତି । ଗୋପାଙ୍ଗନାଙ୍କ କାନ୍ଦରେ ଗୋପଦାଣ୍ଡ ଫାଟି ଉଠୁଥିବା ବେଳେ ଧନୁଯାତ୍ରା ଦେଖି ଚାରି ଦିନରେ ଫେରି ଆସିବାକୁ କଥା ଦେଉଛନ୍ତି କୃଷ୍ଣ । କୃଷ୍ଣବଳରାମଙ୍କ ବିଦାୟ ପରେ ସାରା ଗୋପପୁର ଲାଗୁଛି ଖାଁ ଖାଁ । ସମସ୍ତ ଗୋପିଗୋପାଙ୍ଗନା ମାନଙ୍କ ଆଖିରୁ ଅଜସ୍ର ଲୁହ ଝରି ପଡ଼ୁଥିବା ବେଳେ ଏହାକୁ ସ୍ୱ-ଚକ୍ଷୁରେ ଦେଖି ଭାବବିହ୍ୱଳ ହୋଇପଡ଼ିଛନ୍ତି ଦର୍ଶକ ।
ଯେତେବେଳେ କୃଷ୍ଣ ବଳରାମ ଦୁଇଭାଇ ଗୋପପୁରରୁ ମଥୁରାକୁ ଗମନ କରିଛନ୍ତି ସମସ୍ତଙ୍କ ଆଖିରୁ ଲଗାତାର ଝରିଯାଉଛି ଲୁହ । ଖାଁ ଖାଁ ଲାଗୁଛି ପୁରା ଗୋପପୁର । ଭଜନ କୀର୍ତ୍ତନ, ରାଧା କୃଷ୍ଣଙ୍କ ପ୍ରେମ ଏବଂ ଗୋପୀ ଗୋପାଙ୍ଗ ମାନଙ୍କର ଖେଳକୁଦ ତଥା ଭଗବାନ କୃଷ୍ଣଙ୍କର ବାଲ୍ୟଲୀଳା ଦେଖିବାକୁ ଦର୍ଶକଙ୍କ ସୁଅ ଛୁଟୁଥିବା ଏହି ଗୋପପୁର ଗ୍ରାମ ଏବେ ସୁନସାନ ହୋଇପଡିଛି । ସେହି ଭଗବାନଙ୍କୁ ପାଇବାକୁ ଆଉ ଗୋଟେ ବର୍ଷର କରିବାକୁ ପଡିବ ଅପେକ୍ଷା । ଗୋଟେ ବର୍ଷ ପରେ ପୁଣି ହେବ ଧନୁଯାତ୍ରା ଏବଂ ପୁଣି ଗୋପପୁରବାସୀ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ଗହଣରେ ପାଇବେ ।
ଇଟିଭି ଭାରତ, ବରଗଡ଼