ଭୁବନେଶ୍ବର: ରାଜ୍ୟ ରାଜନୀତିରେ ହଟଚମଟ । ଗୋଟିଏ ପଟେ ବିଜେପି ନେତୃତ୍ବ ଦିଲ୍ଲୀ ଗସ୍ତ କରିଥିବାବେଳେ ଅନ୍ୟପଟେ ରାଜ୍ୟରେ ବସିଲାଣି ବିଜେପିର ଆଉ ଏକ ବୈଠକ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ଘରେ ବିଜେପି ବିଧାୟକଙ୍କ ମେଳି ହୋଇଛି । ମୋହନ ମାଝୀ, କୁସୁମ ଟେଟେ, ସନାତନ ବିଜୁଳି, ଭାସ୍କର ମଢ଼େଇ, କେ ନାରାୟଣ ରାଓ ପ୍ରମୁଖ ଉପସ୍ଥିତ ରହିଛନ୍ତି । 5 ବିଧାୟକଙ୍କ ଉପସ୍ଥିତ ସୂଚନା ରହିଛି । ବୈଠକ ଚାଲୁ ରହିଥିବାବେଳେ କେଉଁ ପ୍ରସଙ୍ଗ ପାଇଁ ସେମାନେ ଏକାଠି ହୋଇଛନ୍ତି ତାହା ଜଣାପଡିନାହିଁ । ଏ ସମ୍ପର୍କରେ ମୋହନ ମାଝୀ କହିଛନ୍ତି, "ବ୍ୟକ୍ତିଗତ ଭାବରେ ବିଧାୟକମାନେ ଦେଖା କରିବାକୁ ଆସିଥିଲେ । ସେମିତି କିଛି ଆଲୋଚନା ପାଇଁ ନୁହେଁ ।" ତେବେ ମେଣ୍ଟ ଚର୍ଚ୍ଚା ଭିତରେ ବିଜେପି ବିଧାୟକଙ୍କ ବୈଠକ ସନ୍ଦେହ ଘେରକୁ ଆସିଛି ।
ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଜୋର ଧରିଛି । ହେଲେ ଏଯାଏଁ ଉଭୟ ଦଳ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳୁନାହିଁ। ଏହାରି ଭିତରେ ଦିଲ୍ଲୀରେ ବସୁଛି ଘନ ଘନ ବୈଠକ । କେତେବେଳେ ବିଜେପି ତ ଆଉ କେତେବେଳେ ବିଜେଡି ନେତାମାନେ ଦିଲ୍ଲୀ ଗସ୍ତ କରୁଥିବା ସୂଚନା ମିଳିଛୁ । ବର୍ତ୍ତମାନ ପୁଣି ଥରେ ରାଜ୍ୟ ବିଜେପିର ଏକ ଟିମ୍ ଦିଲ୍ଲୀ ଗସ୍ତରେ ରହିଛନ୍ତି । ଏପରି ସ୍ଥିତିରେ ମେଣ୍ଟ ଚର୍ଚ୍ଚା ଆହୁରି ବଢିଥିବାବେଳେ ଗତକାଲି (ରବିବାର) ପୁଣି ଦିଲ୍ଲୀ ରାଜ୍ୟ ବିଜେପି ସଭାପତି ଓ ଟିମଙ୍କୁ ଦିଲ୍ଲୀରୁ ଡାକରା ଆସିଥିଲା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଏବଂ ବିଜେପି ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି ଦିଲ୍ଲୀ ଗସ୍ତ କରିଛନ୍ତି ।