ଯାଜପୁର : ଦିନକୁ ଦିନ ବଢୁଛି ଦୁର୍ଘଟଣା । ବଢୁଛି ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା । ଗାଡ଼ି ଚାଳନା ସମୟରେ ଡ୍ରାଇଭରର ଅସାବଧାନତା ହେଉ କିମ୍ବା ଅନ୍ୟ କିଛି କାରଣ, ପ୍ରତିଦିନ ଘଟୁଛି ଏକାଧିକ ଦୁର୍ଘଟଣା ଏବଂ ଯାଉଛି ଲୋକଙ୍କ ଜୀବନ । ଅନେକ ସମୟରେ ଏପରି ହେଉଛି ଯେ, ଦୁର୍ଘଟଣାଗ୍ରସ୍ତଙ୍କ ନିକଟରେ ତତକ୍ଷଣାତ ପହଞ୍ଚି ପାରୁନାହିଁ ସହାୟତା । ସଠିକ ସମୟରେ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ, ଉଦ୍ଧାରକାରୀ ଟିମ୍, ଅଗ୍ନିଶମ ଟିମ୍, ପୋଲିସ କିମ୍ଭା ସ୍ଥାନୀୟ ପ୍ରଶାସନ । ଫଳରେ ଘଣ୍ଟା ଘଣ୍ଟା ଧରି ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥାନ୍ତି ଆହତ । ବେଳେ ବେଳେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ଘଟିବାରୁ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ଚାଲିଯାଏ । ଅନ୍ୟପକ୍ଷରେ ରାସ୍ତାରେ ଯାଉଥିବା ପଥଚାରୀମାନେ ମଧ୍ୟ ଭୟରେ ଆହତଙ୍କୁ ହସ୍ପିଟାଲ ନେବାକୁ ଡରିଥାନ୍ତି ।
ଏପରି ପରିସ୍ଥିତିରେ ସାହସ ଜୁଟାଇ ଦୁର୍ଘଟଣାରେ ଶିକାର ଆହତମାନଙ୍କୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚାଇଥାନ୍ତି କିଛି ଯୁବକ । ଆମେ କହୁଛୁ ଯାଜପୁରର କିଛି ଉଦ୍ୟମୀ ଯୁବକଙ୍କ କଥା । ଯେଉଁମାନେ ସ୍ବେଚ୍ଛାକୃତ ଭାବେ, ବିନା ପାରିଶ୍ରମିକରେ ଦୀର୍ଘ ୬ ବର୍ଷ ହେଲା ମାନବ ସେବାରେ ନିୟୋଜିତ ହୋଇଛନ୍ତି । କେବଳ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ସହାୟତା ନୁହେଁ, ସେମାନେ ନିସ୍ବାର୍ଥପର ଭାବେ ଅସହାୟ ମଣିଷ ଏବଂ ପଶୁଙ୍କ ସେବା ମଧ୍ୟ କରୁଛନ୍ତି । ଏହାସହ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ କାମ ମଧ୍ୟ କରୁଛନ୍ତି ।
ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର ''ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ" । ଦୁର୍ଘଟଣା ସମୟରେ ଲୋକଙ୍କ ପାଇଁ ଦେବଦୂତ ସାଜୁଛି ଏହି ଗ୍ରୂପ । ପୋଲିସ ପହଞ୍ଚିବା ପୂର୍ବରୁ ଏମାନେ ପହଞ୍ଚି ଲୋକଙ୍କ ଜୀବନ ବଞ୍ଚାଇଥାନ୍ତି । ଜନସେବା ମନୋଭାବ ପାଇଁ ଅନେକ ସ୍ଥାନରୁ ସମ୍ମାନିତ ହେବା ସହ ପ୍ରଶଂସା ମଧ୍ୟ ସାଉଁଟିଛି ସଂଗଠନର ସଦସ୍ୟ ।
ଅସହାୟଙ୍କ ସାହା 'ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ":
ଯାଜପୁର ଜିଲ୍ଲାର 20 ନମ୍ବର ଓ 16 ନମ୍ବର ଜାତୀୟ ରାଜପଥ । ରାଜପଥରେ ଅନେକ ସମୟରେ ବଡ଼ ବଡ଼ ଗାଡ଼ି ଦୁର୍ଘଟଣା ଯୋଗୁଁ ନିରିହ ମଣିଷ ଓ ପଶୁଙ୍କର ମୃତ୍ୟୁ ଘଟୁଛି । ଦୁର୍ଘଟଣାକୁ ଦେଖି ଦେଖି ଅତିଷ୍ଟ ହୋଇ 2018 ମସିହାରେ ୧୦ ଜଣ ଯୁବକଙ୍କୁ ନେଇ ଗଠିତ ହୋଇଥିଲା 'ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ' । ଦୁର୍ଘଟଣା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ, ସେବାକୁ ନିଜର ବ୍ରତ ଭାବି ସେବା କରିଥାନ୍ତି ଗ୍ରୁପର ସଦସ୍ୟ । ଦିନ ହେଉ କି ରାତି, ଖରା ହେଉ କି ବର୍ଷା, ଶୀତ ହେଉ କି କାକର କୌଣସି ଦୁର୍ଘଟଣା ଖବର ପାଇଲେ, ଦୁର୍ଘଟଣାସ୍ଥଳରେ ପହଞ୍ଚିଯାଆନ୍ତି ।
ମାନସିକ ବିକାରଗ୍ରସ୍ତଙ୍କ ସେବା କରୁଛନ୍ତି ଗ୍ରୁପ ସଦସ୍ୟ:
ଖାଲି ସେତିକି ନୁହେଁ ଅନେକ ମାନସିକ ବିକାରଗ୍ରସ୍ତ ଲୋକଙ୍କର ମଧ୍ୟ ସେବା କରୁଛନ୍ତି ଏମାନେ । ଯେଉଁମାନଙ୍କୁ ଦେଖିଲେ ଲୋକେ ଘୃଣା କରନ୍ତି ସେମାନଙ୍କୁ ନିଜ ପରିବାରର ସଦସ୍ୟ ଭଳି ସେବା କରୁଛନ୍ତି । ଏହି ଗ୍ରୁପର କାର୍ଯ୍ୟକୁ ଦେଖି ଧୀରେ ଧୀରେ ଅନୁପ୍ରାଣିତ ହୋଇ ଶହେରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଏଥିରେ ସାମିଲ ହେଲେଣି । ସେପଟେ ଆଗାମୀ ଦିନରେ କିଭଳି ଜାତୀୟ ରାଜପଥ ଉପରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମିବ ତା ଉପରେ ସଂଗଠନ ଅଧିକ ନଜର ଦେବ ବୋଲି କହିଛନ୍ତି ସଂଗଠନର ସଭାପତି ଅଶୋକ କୁମାର ଦାସ ।
ଦୁର୍ଘଟଣା ସମୟରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଥାନ୍ତି:
ଦୁର୍ଘଟଣା ହେଉ କିମ୍ବା ଟ୍ରାଫିକ ସମସ୍ୟା, ବିଭିନ୍ନ ସମୟରେ ପୋଲିସ ସହିତ ମିଶି କାର୍ଯ୍ୟ କରନ୍ତି ଗ୍ରୁପ ସଦସ୍ୟ । ନିଜ ପକେଟ ଖର୍ଚ୍ଚରୁ କିଛି ସଞ୍ଚୟ ଟଙ୍କା ସେବା କାର୍ଯ୍ୟରେ ଲଗାଇ ଖୁସି ଅନୁଭବ କରୁଥିବା କହିଛନ୍ତି କିଛି ସଦସ୍ୟ । ସଂଗଠନ ଉପଦେଷ୍ଟା ସୁବାସ ଧଳ କୁହନ୍ତି, " ଅନେକ ସ୍ବେଚ୍ଛାସେବୀ ସଂଗଠନ ଥିବା ସମୟରେ ଏହି ଗ୍ରୁପର ସେବା କାର୍ଯ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଗ୍ରୁପର ସଦସ୍ୟମାନେ ଅନେକ ସମୟରେ ଦୁର୍ଘଟଣା ସମୟରେ ରୋଗୀଙ୍କ ପାଇଁ ଦେବଦୂତ ସାଜିଥାନ୍ତି । ସଦସ୍ୟଙ୍କ ଯୋଗୁଁ ଅନେକ ସମୟରେ ମୃତ୍ୟୁ ମୁଖରେ ପଡ଼ିଥିବା ବ୍ୟକ୍ତି ସଠିକ ସମୟରେ ଡାକ୍ତରଖାନାରେ ପହଞ୍ଚି ଜୀବନ ମଧ୍ୟ ଫେରି ପାଇଛନ୍ତି । "
ଗ୍ରୁପ ସଦସ୍ୟ ନିଃସ୍ବାର୍ଥପର ଭାବେ ସେବା କରୁଛନ୍ତି:
ଏନଏଚ ପୋଲିସ ପାଟ୍ରୋଲିଂ ଅଧିକାରୀ ଅଶୋକ କୁମାର ବଳ କହିଛନ୍ତି, ''ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୂପ" ସଦସ୍ୟଙ୍କୁ ହୃଦୟରୁ ଧନ୍ୟବାଦ । ସେମାନେ ନିଃସ୍ବାର୍ଥପର ଭାବେ ସେବା କରୁଛନ୍ତି । ସେମାନେ ଆହତମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି । ଲୋକଙ୍କୁ ଅସୁବିଧା ସମୟରେ ସାହାର୍ଯ୍ୟ କରୁଛନ୍ତି । ଯଦି କେଉଁଠି ଦୁର୍ଘଟଣା ଘଟେ, ଖବର ପାଇଲେ ସେଠାରେ ଗ୍ରୁପ ସଦସ୍ୟ ପହଞ୍ଚିଯାଆନ୍ତି । ଏମାନେ ଅସହାୟର ବନ୍ଧୁ । ''
'ପୋଲିସ ପହଞ୍ଚିବା ପୂର୍ବରୁ ପହଞ୍ଚିଯାଆନ୍ତି' :
ଗ୍ରୁପ ସଭାପତି ଅଶୋକ କୁମାର ଦାସ କହିଛନ୍ତି, ''2018ରେ ଏହି ଗ୍ରୁପ ଆରମ୍ଭ ହୋଇଥିଲା । ଯୁବ ବର୍ଗର ପିଲାମାନେ ଏଥିରେ ସାମିଲ ହୋଇଥିଲେ । ରାସ୍ତାରେ ଯେତେବେଳେ ଦୁର୍ଘଟଣା ଘଟେ କେହି ସାହାଯ୍ୟ ସହଯୋଗ କରନ୍ତି ନାହିଁ, ଏନେକ ସମୟରେ ଏପରି ଘଟଣାମାନ ଦେଖିଲୁ । ଏହାପରେ ଆମେ ସାହାଯ୍ୟ କରିବାକୁ ଚିନ୍ତାକଲୁ । 10 ଜଣଙ୍କୁ ନେଇ ଗ୍ରୁପ ଆରମ୍ଭ ହୋଇଥିଲା । ବର୍ତ୍ତମାନ 150 ସଦସ୍ୟ ଗ୍ରୁପରେ ଅଛନ୍ତି । କେଉଁଠି ଦୁର୍ଘଟଣା ହେଲେ ପୋଲିସ ପହଞ୍ଚିବା ପୂର୍ବରୁ ଗ୍ରୁପ ସଦସ୍ୟ ପହଞ୍ଚୁଛନ୍ତି । ''
ଇଟିଭି ଭାରତ, ଯାଜପୁର