ପୁରୀ: ଓଡିଆ ନବ ବର୍ଷ ତଥା ମହାବିଷୁବ ପଣା ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ପୁରୀର ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ଘରେ ପଣା ସଂକ୍ରାନ୍ତିକୁ ମହା ଆଡମ୍ବର ସହ ପାଳନ କରାଯାଉଛି । ଏହି ଅବସରରେ ପୁରୀ ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ପାତ୍ର ଓ ପୁରୀ ବିଧାନସଭା ପାଇଁ ବିଜେପିର ପ୍ରାର୍ଥୀ ହୋଇଥିବା ଜୟନ୍ତ ଷଡ଼ଙ୍ଗୀ ପୁରୀର ସବୁ ଜାଗା ଘର ବୁଲି ମହାବୀରଙ୍କୁ ପ୍ରଣାମ କରିବା ସହ ଛତୁଆ, ପଣା ସେବନ କରିଛନ୍ତି । ଏହି ଅବସରରେ ଆଗାମୀ ନିର୍ବାଚନ ପାଇଁ ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି ସମ୍ବିତ ପାତ୍ର ।
ଜାଗା ଆଖଡ଼ା ଯାଇ ଯୁବପୀଢ଼ିଙ୍କୁ ଓଡିଆ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି ବିଜେପି ପ୍ରାର୍ଥୀ । ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ମଧ୍ୟ ଯୁବପୀଢ଼ିଙ୍କ ନିକଟରେ ପହଞ୍ଚାଉଛନ୍ତି ସମ୍ବିତ ପାତ୍ର । ତେବେ ଲୋକଙ୍କ ସ୍ଵାଗତକୁ ଦେଖି ସମ୍ବିତ ବେଶ୍ ଉତ୍ସାହିତ ଥିବା କହିଛନ୍ତି । ତାଙ୍କୁ ନୁହେଁ, ବରଂ ମୋଦିଙ୍କୁ ଯୁବପୀଢ଼ି ସ୍ଵାଗତ କହୁଥିବା ସମ୍ବିତ କହିଛନ୍ତି । ସେ କହିଛନ୍ତି, "ଅବ୍ କି ବାର୍ ଚାର୍ ସୋ ପାର୍' ନାରା ଦେଉଛନ୍ତି ଯୁବପୀଢ଼ି । ରାମ ମନ୍ଦିର ନିର୍ମାଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକୁ ଯୁବପୀଢ଼ି ଅଧିକ ପ୍ରସଂସା କରୁଛନ୍ତି ।" ଏଣୁ ଆଗାମୀ ନିର୍ବାଚନରେ ବିଜେପି ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିପୁଳ ବିଜୟ ହାସଲ କରିବ ବୋଲି ସମ୍ବିତ କହିଛନ୍ତି । ସେପଟେ ବିଜେଡି ତାଙ୍କ ବିପକ୍ଷରେ ନୂଆ ପ୍ରାର୍ଥୀ ଦେଇଥିବାରୁ କଣ ପ୍ରଭାବ ପଡ଼ିବ ପ୍ରଶ୍ନରେ ପ୍ରତିକ୍ରିୟା ଦେଇ ସମ୍ବିତ କହିଛନ୍ତି, "ମୋର କାହା ଉପରେ କିଛି କହିବାର ନାହିଁ । ମୁଁ କାମରେ ବିଶ୍ବାସ କରେ । ଫଳ ମହାପ୍ରଭୁ ଦେବେ । ମତେ ପୁରୀର ବିକାଶ କିଭଳି ହୋଇପାରିବ ସେହି କାର୍ଯ୍ୟ କରିବାର ଅଛି । ଜନତା ତାହା ବିଚାର କରିବେ ।"