ଓଡିଶା

odisha

ETV Bharat / politics

ଲୋକସଭା ନିର୍ବାଚନ: ଫର୍ମୁଲା ରିପିଟ୍ କରିବ ବିଜେଡି, 'ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦିଆଯିବ'

BJD To Reserve Seats For Women: ଲୋକସଭା ଆସନ ପାଇଁ ମହିଳା ସଂରକ୍ଷଣ କଥା କହିଛନ୍ତି ଭିକେ ପାଣ୍ଡିଆନ । ଗତଥର ଭଳି ଚଳିତ ଥର ମଧ୍ୟ ମହିଳା କାର୍ଡ ଖେଳିବ ବିଜେଡି । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ଟିକେଟ୍
ଲୋକସଭା ନିର୍ବାଚନ ଟିକେଟ୍

By ETV Bharat Odisha Team

Published : Mar 8, 2024, 5:56 PM IST

ଲୋକସଭା ନିର୍ବାଚନ ଟିକେଟ୍

ଭୁବନେଶ୍ବର:ଦିଲ୍ଲୀରୁ ଫେରି ଦଳର ମହିଳା ସମାବେଶରେ ସାମିଲ ହେଲେ 5T ଅଧ୍ୟକ୍ଷ । ଲୋକସଭା ଆସନ ପାଇଁ ମହିଳା ସଂରକ୍ଷଣ କଥା କହିଛନ୍ତି ଭିକେ ପାଣ୍ଡିଆନ । ସେ କହିଛନ୍ତି, "ବିଜେଡି ଏକ ରାଜନୈତିକ ଦଳ ନୁହେଁ, ଏହା ଏକ ସାମାଜିକ ଆନ୍ଦୋଳନ । ଏହା ମହିଳା ସଶକ୍ତିକରଣ ପାଇଁ କାମ କରେ । ବିଜୁ ପଟ୍ଟନାୟକ ପଞ୍ଚାୟତ ନିର୍ବାଚନରେ ୩୩% ମହିଳା ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ଓ ଲୋକସଭାରେ ୩୩% ସଂରକ୍ଷଣ କଥା ଉଠାଇଥିଲେ । ଗତ ଥର ପରି ଚଳିତ ଲୋକସଭା ନିର୍ବାଚନରେ ମଧ୍ୟ ୩୩% ଅର୍ଥାତ ଏକ ତୃତୀୟାଂଶ ମହିଳାଙ୍କୁ ଟିକେଟ୍ ଦେବ ବିଜେଡି ।"

ସେ ଆହୁରି ମଧ୍ୟ କହିଛନ୍ତି, "ମହିଳା ଘରୁ ବାହାରି ସ୍ୱାବଲମ୍ବୀ ହେବାକୁ ବିଜୁ ପଟ୍ଟନାୟକ ଏଭଳି କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇଛନ୍ତି । ପଞ୍ଚାୟତିରାଜ ବ୍ୟବସ୍ଥାରେ ୫୦% ସଂରକ୍ଷଣ କରିଛନ୍ତି । ଏଥିପାଇଁ କେହି ତାଙ୍କୁ ବାଧ୍ୟ କରି ନଥିଲେ । ହେଲେ ମହିଳାଙ୍କୁ ଆହୁରି ସଶକ୍ତ କରିବାକୁ ସେ ଏହି ସଂରକ୍ଷଣ କଲେ । ବିଧାନସଭା ଓ ଲୋକସଭାରେ ୩୩% ସଂରକ୍ଷଣ କଥା ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନେକ ଲୋକ ନ ଚାହିଁବାରୁ ଏହା ବିଳମ୍ବ ହେଲା । ହେଲେ ମୁଖ୍ୟମନ୍ତ୍ରୀ ନିଜ ଆଡୁ ୩୩% ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲେ । ଜିତାଇବାକୁ କହିଥିଲେ । ଏଥିର ବି ସେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବେ । ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସଶକ୍ତିକରଣ, ରୋଜଗାରକ୍ଷମ, ପିଲାମାନଙ୍କ ଭଲ ପାଠ ପଢ଼ା ପାଇଁ ୭୦% ମହିଳାଙ୍କୁ ଜିଲ୍ଲା ପରିଷଦ ସଭାନେତ୍ରୀ କରିଛନ୍ତି । ମହିଳାଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି ।"

"ମମତା ଯୋଜନା ଆରମ୍ଭ ହେବାର ବି କାରଣ ଅଛି । ମୁଁ ୨୦୧୨ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ସମୟରେ ଜଣେ ମହିଳା ଆଇଏଏସ ପ୍ରସବ ଜନିତ ଛୁଟି ପାଇଁ ଆବେଦନ କରିଥିଲେ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲି । କାହାକୁ କାହାକୁ ପ୍ରସବ ଜନିତ ଛୁଟି ମିଳୁଛି ବୋଲି ମୋତେ ପଚାରିଥିଲେ । ମୋଠୁ ଉତ୍ତର ଶୁଣିବା ପରେ ଶ୍ରମିକ ଓ କୃଷିଜୀବୀ ମହିଳାଙ୍କୁ ପ୍ରସବ ଜନିତ ଛୁଟି କେମିତି ମିଳିବ ବ୍ୟବସ୍ଥା କରିବାକୁ କହିଥିଲେ । ଯଦି ସରକାରୀ ଅଧିକାରୀ ପାଉଛନ୍ତି, ତାହାଲେ ସମସ୍ତେ ପାଇବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ସେବେଠାରୁ ଗର୍ଭବତୀ ମହିଳାଙ୍କ ପାଇଁ ମମତା ଯୋଜନା ଆରମ୍ଭ ହୋଇଥିଲା । ଗର୍ଭବତୀଙ୍କୁ ମମତା ଯୋଜନା ଜରିଆରେ ୫ ହଜାର ଟଙ୍କା ଦିଆଗଲା । ଯାହା ଏବେ 10 ହଜାର ଟଙ୍କା ହୋଇଛି "ବୋଲି କହିଛନ୍ତି ପାଣ୍ଡିଆନ ।
ଏହା ମଧ୍ୟ ପଢନ୍ତୁ...ପୁଣି ଏକାଠି ହେବେ ପୁରୁଣା ସାଥୀ ! ୨୦୦୯ରେ ଭାଙ୍ଗିଥିଲା ୧୧ ବର୍ଷର ବିଜେପି-ବିଜେଡି ସମ୍ପର୍କ

"ମମତା ଯୋଜନା ଆରମ୍ଭର ଦେଢ଼ ବର୍ଷ ପରେ ତତ୍କାଳୀନ କେନ୍ଦ୍ର ସରକାର ଇନ୍ଦିରା ଗାନ୍ଧୀଙ୍କ ନାଁରେ ଏପରି ଗୋଟେ ଯୋଜନା ଆରମ୍ଭ କଲେ । ଅର୍ଥାତ ଓଡ଼ିଶାର ଯୋଜନାକୁ କେନ୍ଦ୍ର ଓ ଅନ୍ୟ ରାଜ୍ୟ ଅନୁସରଣ କରନ୍ତି । ମିଶନ ଶକ୍ତି ମାଆ ମାନଙ୍କୁ ୧୦ ଲକ୍ଷ ଯାଏଁ ବିନା ସୁଧରେ ଋଣ ମିଳୁଛି । ୮୦୦ ମା' ଦୁବାଇ ଓ ସିଙ୍ଗାପୁର ଗଲେଣି । ଆହୁରି ଅଧିକ ଯିବେ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଏଯାଏଁ ୧୫ ହଜାର କୋଟି ଋଣ ନେଲେଣି ମହିଳା । ଯାହା ଆଉ କିଛି ଦିନ ପରେ ୨୦ ହଜାର କୋଟିରେ ପହଞ୍ଚିବ । ତେଣୁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ସ୍ୱଚ୍ଛତାର ସହ ନିର୍ବାହ କରନ୍ତୁ । ଯେଉଁ ମହିଳା ନିର୍ବାଚନ ଜିତିଛନ୍ତି, ସେମାନେ ନିଜେ ନିଷ୍ପତ୍ତି ନିଅନ୍ତୁ । ସ୍ୱାମୀ, ପୁଅ, ସମ୍ପର୍କୀୟଙ୍କ ଉପରେ ଦାୟିତ୍ୱ ଛାଡ଼ନ୍ତୁ ନାହିଁ । ଏପରି ହେଲେ ଓଡ଼ିଶା ସଶକ୍ତ ହେବ । ନୂଆ ଓଡ଼ିଶା ଗଠନ ହେବ" ବୋଲି କହି ଆହ୍ୱାନ କରିଛନ୍ତି ପାଣ୍ଡିଆନ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details