ଓଡିଶା

odisha

ETV Bharat / politics

ଧର୍ମଶାଳା ବିଧାୟକ ଓ ପୋଲିସକୁ ଟାର୍ଗେଟ କଲେ ବିଜେଡି ନେତ୍ରୀ ପ୍ରମିଳା, ହିମାଂଶୁ କହିଲେ.. - DHARMASALA MLA CONTOVERSY

ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ ଶାସକ ଦଳକୁ ଘେରିଲେ ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ପ୍ରତିଉତ୍ତର ରଖିଲେ ହିମାଂଶୁ ।

Attack On Dharmasala MLA
Attack On Dharmasala MLA (ETV Bharat Odisha)

By ETV Bharat Odisha Team

Published : Nov 23, 2024, 6:14 PM IST

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କ ଭାଇ ଭବପ୍ରସାଦ ଦାସ ଗିରଫ ଘଟଣା । ଭବଙ୍କ ସମର୍ଥନରେ ବାହାରି ପ୍ରତିକ୍ରିୟା ରଖିଛି ବିଜେଡି । ଶାସକ ଦଳ ବିଜେପି, ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓ ପୋଲିସକୁ ଘେରିଛନ୍ତି ବିଜେଡି ବିଧାୟକ ପ୍ରମିଳା ମଲ୍ଲିକ । ରାତିରେ ବିଧାୟକ କାହିଁକି ଅଫିସ ଯାଇଥିଲେ । ବିଧାୟକଙ୍କୁ କେଉଁଠି ମାଡ଼ ହୋଇଛି ତାର ଭିଡ଼ିଓ ଦେଖାଅ । ପୋଲିସ ଶାସକ ଦଳର ବୋଲକରା ସାଜିଛି ବୋଲି କହିଛନ୍ତି ପ୍ରମିଳା । ସେପଟେ ବିଜେଡି ବିଧାୟିକାଙ୍କ ଅଭିଯୋଗରେ କଡା ପ୍ରତିକ୍ରିୟା ରଖିଛନ୍ତି ଧର୍ମଶାଳା ବିଧାୟକ । ବିଜେଡିର ଜଣେ ବରିଷ୍ଠ ନେତ୍ରୀ ଏଭଳି କହିବା ନିନ୍ଦା ଜନକ ବୋଲି କହିଛନ୍ତି ହିମାଂଶୁ ।

'ସନ୍ଧ୍ୟା ୭.୪୫ରେ ବିଧାୟକ କୁଆଡେ ଯାଉଥିଲେ':

Attack On Dharmasala MLA (ETV Bharat Odisha)

ବିଜେଡିର ବରିଷ୍ଠ ନେତ୍ରୀପ୍ରମିଳା ମଲ୍ଲିକ କହିଛନ୍ତି, "କାହା ଉପରେ ହିଂସା ହୋଇଛି କ'ଣ ହୋଇଛି ପୋଲିସ ତଦନ୍ତ କରୁଛି । ତଦନ୍ତ ପରେ ଯାହା ଆଇନଗତ ଆକ୍ସନ ନେବା କଥା ନେବେ । ପୋଲିସ ତଦନ୍ତ କରୁଛି ଯେଉଁଠି ଯିଏ ସମ୍ପୃକ୍ତି ଥିବ ଆକ୍ସନ ନେଉନି କିଏ ମନା କଲା । କିନ୍ତୁ ଘଟଣାରୁ ଜଣାପଡ଼ୁଛି ସରକାରୀ ଦଳର ଚାପରେ ପୋଲିସ କାମ କରୁଛି । ପୋଲିସ ବର୍ତ୍ତମାନ ସରକାରୀ ଦଳର ବୋଲକରା ଭାବେ କାମ କରୁଛି । ପୋଲିସ ଠିକ ଭାବେ କିଛି କାମ କରୁନାହିଁ । ଧର୍ମଶାଳା ବିଧାୟକ ଘଟଣାଦିନ ରାତିରେ କୁଆଡ଼େ ଯାଉଥିଲେ । ଅନ୍ଧାରୀ ରାତିରେ କଳା କାରବାର ଚଳାଉଥିଲେ ବିଧାୟକ । ସନ୍ଧ୍ୟା ୭.୪୫ରେ ବିଧାୟକ କୁଆଡେ ଯାଉଥିଲେ । ସରକାରୀ ଅଫିସ କ'ଣ ରାତିରେ ଖୋଲା ଯାଉଛି କି ? ଏଡ଼ିଏମ ଅଫିସରେ ରାତିରେ କ'ଣ କାର୍ଯ୍ୟକ୍ରମ ଥିଲା । ସେଠାରେ କ'ଣ ରାତିରେ କଳା କାରବାର ଚାଲିଛି କି ? ଆନ୍ଦୋଳନ ଭିତରକୁ ଧର୍ମଶାଳା ବିଧାୟକ ଧସେଇ ପଶିବାର ଉଦ୍ଦେଶ୍ୟ କ'ଣ ? ଜାଣିଶୁଣି ସେ ଏହା କରିଛନ୍ତି । ଧର୍ମଶାଳାରୁ କେତେ ଲୋକ ସାଙ୍ଗରେ ଧରି ଆସିଥିଲେ ବିଧାୟକ କୁହନ୍ତୁ ? ଯଦି ଭଲ ଉଦ୍ଦେଶ୍ୟ ଥିଲା ତେବେ ଧର୍ମଶାଳାରୁ କେତେ ଲୋକ ଆସିଥିଲେ ଆଉ କାହିଁକି ଆସିଥିଲେ କୁହନ୍ତୁ ? ବିଧାୟକ ତାଙ୍କ ଲୋକଙ୍କୁ ଧରି ଗଣ୍ଡଗୋଳ କରିବାକୁ ହିଁ ସେଠାକୁ ଯାଇଥିଲେ ।"

'ବିଧାୟକଙ୍କୁ ମାଡ ବେଳର ଭିଜୁଆଲ ଦେଖାନ୍ତୁ':

ପ୍ରମିଳା ଏହା ମଧ୍ୟ କହିଛନ୍ତି, "ଗଣ୍ଡଗୋଳ ବିଧାୟକ କରିଛନ୍ତି । ତାଙ୍କୁ କିଏ ମାରିଛି ଭିଜୁଆଲ ଦେଖାନ୍ତୁ । ସେ ଗାଡ଼ିରେ ଓହ୍ଲାଇ ଥିଲେ କି ? ବିଧାୟକ ଅଯଥା ଅସତ୍ୟ ପ୍ରଚାର କରୁଛନ୍ତି । ତାଙ୍କର ଆତ୍ମ ପ୍ରଚାର କରିବା ପାଇଁ ସେ ଏହା କହିଛନ୍ତି । ଯଦି ରାସ୍ତା ରୋକ ହୋଇଥିଲା ସେ ଅନ୍ୟ ପଟେ ଯାଜପୁର ଯାଇ ପାରିଥାନ୍ତେ । ଯାଜପୁରକୁ ଯିବା ପାଇଁ ଅନେକ ରାସ୍ତା ରହିଛି । ତାଙ୍କୁ ଟାଣିକି ମାରିଛନ୍ତି ବୋଲି ଅଭିଯୋଗ କରିବା ପୂର୍ବରୁ କେଉଁଠି ଭିଜୁଆଲ ଅଛି ବିଧାୟକ ଦେଖାନ୍ତୁ । ତାଙ୍କ ଚେନ ଛିଣ୍ଡେଇ ନେବାର ଭିଜୁଆଲ କେଉଁଠି ଅଛି ଦେଖାନ୍ତୁ । ଧର୍ମଶାଳାରୁ ୨୦୦ ଲୋକ ନେଇ କାହିଁକି ଆସିଥିଲେ ବିଧାୟକ ପ୍ରଥମେ ଜବାବ ରଖନ୍ତୁ ।"

'ସରକାର ପୋଲିସକୁ ହାତ ବାରିସୀ କରିଛି':

ପ୍ରମିଳା ଆହୁରି ମଧ୍ୟ କହିଛନ୍ତି, "ମୁଁ ଜଣେ ୨୯ ବର୍ଷର ବିଧାୟକ । ସରକାରୀ ଅଧିକାରୀଙ୍କୁ ସର୍କିଟ ହାଉସକୁ ଡାକି ଆଲୋଚନା କରିପାରିବୁ । ଅଫିସରଙ୍କ ଘରେ ଯାଇ ଆଲୋଚନା କରିପାରିବୁ । କିନ୍ତୁ ତାଙ୍କ ଅଫିସକୁ ରାତିରେ ଯାଇପାରିବୁ ନାହିଁ । ସରକାରୀ ଦଳ ବିଜେପି ଚାପରେ ବୋଲକରା ସାଜିଛି ପୋଲିସ । ବିଜେପି ସରକାରଙ୍କ ହାତବାରିସୀ ସାଜି ବିଜେଡି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗିବାକୁ ଉଦ୍ୟମ କରୁଛି ପୋଲିସ । ପୋଲିସ ସଠିକ ଢଙ୍ଗରେ କାର୍ଯ୍ୟ କରୁନାହିଁ । ସରକାର ପୋଲିସକୁ ହାତ ବାରିସୀ କରି ବିଜେଡି ଲୋକଙ୍କୁ ହଇରାଣ କରୁଛନ୍ତି । ପ୍ରତିହିଂସା ପରାୟଣ ହୋଇ ବିଜେଡି ନେତା ଓ କର୍ମୀଙ୍କ ଉପରେ ପୋଲିସ ଜରିଆରେ ବିଜେପି ଆକ୍ସନ ନେଉଛି । ବାତ୍ୟା 'ଦାନା' ସମୟରେ ବିଂଝାରପୁରରେ ଜଣେ ବିଜେଡି ସମର୍ଥିତ ସରପଞ୍ଚକୁ ମାଡ଼ ମରାଗଲା । ସେ ଏତଲା ଦେଲେ, କାର୍ଯ୍ୟାନୁଷ୍ଠାନ ହେଲାନାହିଁ । କିନ୍ତୁ ଅପରପକ୍ଷର କାଉଣ୍ଟର ଏତଲାର କାର୍ଯ୍ୟାନୁଷ୍ଠାନ ନିଆଗଲା । ବିଜେଡି ଶାସନରେ ଏମିତି ହେଉନଥିଲା । ବିଜେପି ଶାସନରେ ପୋଲିସ ବୋଲକରା ସାଜିଥିବାରୁ ଏପରି ହୋଇଛି । ପୋଲିସ କେବେ ବିଜେଡିର ବୋଲକରା ହୋଇ କାମ କରୁନଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନେତା ବବି ଦାସଙ୍କ ଭାଇ ଭବପ୍ରସାଦ ଗିରଫ

ଏହା ମଧ୍ୟ ପଢ଼ନ୍ତୁ...ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ, ୧୦ ଗିରଫ

ପ୍ରମିଳାଙ୍କୁ ଜବାବ ଦେଲେ ହିମାଂଶୁ:

ସେପଟେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଅଭିଯୋଗରେ କଡା ପ୍ରତିକ୍ରିୟା ରଖି ଧର୍ମଶାଳା ବିଧାୟକ ହିମାଂଶୁ ସାହୁ କହିଛନ୍ତି, "ବିଧାୟିକା ବୋଧେ ଜାଣି ନାହାନ୍ତି ସରକାରୀ କାର୍ଯ୍ୟାଳୟ ଖୋଲା ରହେ କି ନାହିଁ । ଆଉ ଯଦି ସନ୍ଦେହ ଅଛି ଏଡିଏମଙ୍କୁ ପଚାରି ବୁଝି ଦିଅନ୍ତୁ । ଜଣେ ବିଧାୟକଙ୍କୁ ମାଡ଼ ହେଲେ ସମ୍ବେଦନ ପ୍ରକାଶ ନକରି ଓଲଟା ପାଲଟା କହିବା ନିନ୍ଦା ଜନକ । ଦଳ ନିର୍ବିଶେଷରେ ଜଣେ ଜନ ପ୍ରତିନିଧିକୁ ଆକ୍ରମଣ ସମ୍ବେଦନଶୀଳ । କିନ୍ତୁ ତାଙ୍କ ଭଳି ବରିଷ୍ଠ ନେତ୍ରୀ ଏମିତି କହିବା ନିନ୍ଦା ଜନକ । ଯାଜପୁରକୁ ଯିବା ପାଇଁ ଯଦି ଅଲଗା ରାସ୍ତା ଅଛି ତାହେଲେ ତାଙ୍କ ପରାମର୍ଶଦାତା ପଠାନ୍ତୁ । ସେ କେମିତି ଦେଖିଲେ ୨୦୦ ଲୋକ ନେଇକି ଯାଇଥିଲି । ମୁଁ ମାଡ଼ ଖାଇବାରୁ ଅନେକ ଲୋକ ରୁଣ୍ଡ ହେଲେ । ୩୦୦ ମିଟର ଦୂରରୁ ତାଙ୍କ କର୍ମୀମାନେ ହୋ ହାଲ୍ଲା କଲେ । ତାଙ୍କ ନେତାଙ୍କ ନାଁ ନେଇ ଗାଳିଗୁଲଜ କଲେ । ବିଜେଡି କ'ଣ ଏହା ଶିକ୍ଷା ଦେଉଛି । ଯଦି ମୋତେ ଆକ୍ରମଣ ହୋଇନି ତାହେଲେ ମୋ ଗାଡି କେମିତି ଭାଙ୍ଗିଲା । ମୁଁ କ'ଣ ଭିଡିଓ କରି ପ୍ରମିଳା ମାଡାମଙ୍କୁ ପଠାଇଥାନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details