ଭୁବନେଶ୍ବର: ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀ ପରେ ଆରମ୍ଭ ହୋଇଯାଇଛି ରାଜନୀତି । ପ୍ରଶାନ୍ତଙ୍କ ସମର୍ଥନରେ ବାହାରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଯାହାକୁ ନେଇ ବିଜେପି ଓ ଅପରାଜିତାଙ୍କ ଉପରେ ବର୍ଷିବା ସହ ବିଜେପି କ୍ରିମିନାଲଙ୍କୁ ସମର୍ଥନ କରି ଆସୁଛି ବୋଲି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି । ବାରମ୍ବାର ଗୁଣ୍ଡାଗର୍ଦ୍ଦି କରୁଥିବା ପ୍ରଶାନ୍ତଙ୍କୁ ବିଜେପି ସମର୍ଥନ କରିଥିବାରୁ ଏନେଇ ସମ୍ବାଦିକ ସମ୍ମିଳନୀ କରି କଡ଼ା ସମାଲୋଚନା କରିଛି ବିଜେଡି ।
କ୍ରିମିନାଲଙ୍କୁ ସମର୍ଥନ କରି ଆସୁଛି ବିଜେପି (ETV Bharat Odisha) ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, "ସେ ଜଣେ ଗୁଣ୍ଡା, ଯାହାଙ୍କ ନାଁ ହେଉଛି ପ୍ରଶାନ୍ତ ଜଗଦ୍ଦେବ । ସେ ଜଣେ ବିଧାୟକ ଓ ବିଜେପିର ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ । ଏହି ଗୁଣ୍ଡା 2ଦିନ ତଳେ ଗିରଫ ହୋଇ ଜେଲ ଯାଇଛନ୍ତି । ପ୍ରଶାନ୍ତ ଗିରଫ ହୋଇ ଜେଲ ଯିବା ପରେ ବିଜେପି ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଛି । କିଏ କିଏ କେତେ ଥର ମିଡିଆରେ ଆସି ଜଣେ ଗୁଣ୍ଡାଙ୍କୁ ସମର୍ଥନ ଦେଇପାରିବେ । ଏପରି ଜଣେ ଗୁଣ୍ଡାକୁ ବଞ୍ଚେଇବାକୁ ଚେଷ୍ଟା କରିବେ । ଯେମିତି କି ଏହି ଗୁଣ୍ଡା ନିର୍ଦ୍ଦୋଷ । କାଲି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ଆଜି ଭୁବନେଶ୍ୱର ସାଂସଦ ପ୍ରଶାନ୍ତଙ୍କ ଗୁଣଗାନ କରିଛନ୍ତି ।"
ସସ୍ମିତ ଏହା ମଧ୍ୟ କହିଛନ୍ତି, "ଇଏ ହେଉଛନ୍ତି ସେହି ପ୍ରଶାନ୍ତ ଜଗଦ୍ଦେବ, ଯିଏ କି ବାଣପୁରରେ ବିଜେପି କର୍ମୀଙ୍କ ଉପରେ ମଦ ପିଇ ଗାଡି ଚଢ଼ାଇ ଦେଇଥିଲେ । ବିଜେପିର ବାଲୁଗାଁ ଟାଉନ ସଭାପତିଙ୍କୁ ମାଡ଼ ମାରିଥିଲେ । ସେ ସମୟରେ ବିଜେପିର ନେତାମାନେ କେତେ କଥା କହିଥିଲେ । ଏପରିକି ନିଜେ ଅପରାଜିତା ଷଡ଼ଙ୍ଗୀ କହିଥିଲେ, ଜଣେ ଲୋକ ପ୍ରତିନିଧି କେଉଁ ପରିପ୍ରେକ୍ଷୀରେ ଲୋକଙ୍କ ଉପରେ ଗାଡି ଚଢ଼େଇ ଦେଲେ । ପ୍ରଶାନ୍ତ ଜଗଦ୍ଦେବଙ୍କ ସ୍ଥାନ ଜେଲରେ ଅଛି ବୋଲି ସେତେବେଳେ ସେ କହିଥିଲେ । ଏବେ ତାଙ୍କୁ ପୁଣି କେଉଁ ମୁହଁରେ ଅପରାଜିତା ସମର୍ଥନ କରୁଛନ୍ତି ? ଆଜି ପ୍ରଶାନ୍ତଙ୍କୁ କର୍ମଠ ଓ କର୍ମବୀର ବୋଲି ଅପରାଜିତା କହୁଛନ୍ତି ।"
ଏହା ମଧ୍ୟ ପଢ଼ନ୍ତୁ...ଆସାମ ମୁଖ୍ୟମନ୍ତ୍ରୀଙ୍କ ହାସ୍ୟାସ୍ପଦ ମତ ଓ ଅବାନ୍ତର କଥା ବିଜେପି ପ୍ରାର୍ଥୀଙ୍କୁ ହରାଇବ: ବିଜେଡି
ସେ ଆହୁରି ମଧ୍ୟ କହିଛନ୍ତି, "ଏଭଳି କାର୍ଯ୍ୟ ଲାଗି ବିଜେଡି ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର କରିଥିଲା । ବିଜେପି ଓ ଅପରାଜିତା ପ୍ରଶାନ୍ତଙ୍କୁ ଉତ୍ତରୀୟ ଓ ଫୁଲ ମାଳ ପକାଇ ଦଳକୁ ପାଛୋଟି ନେଲେ । ଖୋର୍ଦ୍ଧାରୁ ପ୍ରାର୍ଥୀ ମଧ୍ୟ କଲେ । ପ୍ରଶାନ୍ତଙ୍କୁ NSAରେ ଗିରଫ କରିବାକୁ ସେତେବେଳେ ଦାବି କରିଥିଲେ ବିଜେପି ନେତା ପୃଥ୍ବୀରାଜ ହରିଚନ୍ଦନ । ମୋହନ ମାଝୀ ବି ପ୍ରଶାନ୍ତଙ୍କୁ ଗିରଫ କରିବାକୁ ଦାବି କରିଥିଲେ । ବିଜେଡି ବହିଷ୍କାର କରିଥିଲା । କିନ୍ତୁ ବିଜେପି ପ୍ରଶାନ୍ତଙ୍କୁ କୋଳେଇ ନେଇ ବିଧାୟକ ଟିକଟ ଦେଇଛି । ଏବେ ପୁଣି ତାଙ୍କର ହିଂସାକାଣ୍ତ ସତ୍ତ୍ବେ ବିଜେପି ସମର୍ଥନ କରୁଛି । ଓଡିଶା ବିଜେପିର ଅପରାଧୀଙ୍କ ପ୍ରତି ଟିକେ ଅଧିକ ଭଲ ପାଇବା ରହିଛି । କଟକର ଗ୍ୟାଙ୍ଗଷ୍ଟାର ଧଳ ସାମନ୍ତ ଭାଇଙ୍କୁ ବିଜେପି ନେତା ବାଇମୁଣ୍ଡି ବୋଲି କହିଥିଲେ । ଗ୍ୟାଙ୍ଗଷ୍ଟାର ଟିଟୋକୁ ପେଟ୍ରୋଲ ପମ୍ପ ଦେଇଥିଲେ । ସେହିପରି ଜମି ଦଖଲ, ବାହାମାସ ସ୍କାଣ୍ଡାଲରେ ସଂପୃକ୍ତ ଥିବା ବୈଜୟନ୍ତ ପଣ୍ଡା ଓ ଟାଟାରେ ଚାକିରି କରାଇ ଦେବାକୁ କହି ଗଞ୍ଜାମର ଯୁବକଙ୍କୁ ଠକିଥିବା ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି ପୋଷ୍ଟର ବୟ କରିଛି । ଏଥିପାଇଁ ବିଜେପିକୁ ଲଜ୍ଜା ଲାଗିବା କଥା । ଏଥିପାଇଁ ବିଜେପି ଓଡ଼ିଶାରେ ବାରମ୍ବାର ହାରୁଛି ।"
ଇଟିଭି ଭାରତ, ଭୁବନେଶ୍ବର