ଭୁବନେଶ୍ବର:ବହୁଚର୍ଚ୍ଚିତ କଟକ ବାରବାଟୀ ବିଧାନସଭା ଆସନ ଲାଗି ବିଜୁ ଜନତା ଦଳ ପ୍ରାର୍ଥୀ ଘୋଷଣା କରିଛି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା ପ୍ରକାଶ ବେହେରାଙ୍କୁ ଦଳ ଭରସା କରିଛି । ବାରବାଟୀ ବ୍ୟାଟେଲକୁ ପ୍ରକାଶଙ୍କୁ ଓହ୍ଲାଇଛି ବିଜେଡି । ଟିକେଟ ମିଳିବା ପରେ ଆଜି ନବୀନ ନିବାସ ଆସିଥିଲେ ପ୍ରକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି ପ୍ରକାଶ । ପ୍ରକାଶଙ୍କ ସହ ସାଲେପୁର ବିଧାୟକ ତଥା ଚଳିତ ଥର ସେଠାରୁ ପ୍ରାର୍ଥୀ ହୋଇଥିବା ପ୍ରଶାନ୍ତ ବେହେରା ମଧ୍ୟ ନବୀନ ନିବାସରେ ପହଞ୍ଚିଥିଲେ । ବିଜେଡି ସଭାପତିଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରକାଶ ।
ପ୍ରକାଶ କହିଛନ୍ତି ଯେ, ମୋ ପାଇଁ କଟକ ବାରବାଟୀ ନୂଆ ନୁହେଁ । ଗତ 20 ବର୍ଷ ହେବ ମୁଁ ଏଠାରେ ରାଜନୀତି କରୁଛି । ବିଭିନ୍ନ ରାଜନୈତିକ ଦାୟିତ୍ବ ଓ ପଦପଦବୀରେ ଏଠାରେ ଥିଲି । କିନ୍ତୁ ସିଧାସଳଖ ଭାବେ କେବେ କଟକ ବାରବାଟୀରୁ ନିର୍ବାଚନ ଲଢ଼ି ନାହିଁ । କଟକରେ ମୋର ଓ ଦଳର ସଂଗଠନ ରହିଛି । ଦଳର ରାଜନୈତିକ କାର୍ଯ୍ୟକ୍ରମ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏକ ସମ୍ମାନସ୍ପଦ ସ୍ଥାନରେ ପ୍ରାର୍ଥୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋ ଉପରେ ଯେଉଁ ଆଶା ଓ ଆକାଂକ୍ଷା ରଖିଛନ୍ତି, ତାକୁ ପୂରଣ କରିବାକୁ ଚେଷ୍ଟା କରିବି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସମେତ ସାରା ରାଜ୍ୟରେ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ କରିଥିବା ବିକାଶ କାର୍ଯ୍ୟ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ଲଢେଇକୁ ଓହ୍ଲାଇବି । ଲଢେଇକୁ ସଫଳ କରିବି । କଟକ ବାରବାଟୀରେ ଏଥର ଏକ ଭଲ ଲଢେଇ ନିଶ୍ଚୟ ହେବ । ମୁଖ୍ୟମନ୍ତ୍ରୀ କିଛି ପରାମର୍ଶ ଦେଇଛନ୍ତି । ଦଳୀୟ ନେତା ଓ କର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଲୋକଙ୍କ ଯାହା ଆବଶ୍ୟକତା ରହିଛି ତାହା ବୁଝି ଠିକ ଫୋରମରେ ପହଞ୍ଚେଇବୁ ।
ଏହା ବି ପଢନ୍ତୁ- ବିଜେଡିରେ ମିଶିଲେ ପ୍ରକାଶ ବେହେରା, ସାଲେପୁରରୁ ସେବା ପାଇଁ ଦେଲେ ସଂକେତ