ଓଡିଶା

odisha

ETV Bharat / politics

ପ୍ରଣବ ଲକ୍ଷେ ଓ ମୁଁ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବୁ: ରୋହିତ - ODISHA ASSEMBLY POLLS 2024 - ODISHA ASSEMBLY POLLS 2024

Odisha Assembly Election: ରେଢ଼ାଖୋଲରୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ବିଧାୟକ ରୋହିତ ପୂଜାରୀ । ଟିକଟ ମିଳିବା ପରେ ସେ ରେଢ଼ାଖୋଲରୁ ୪୦ ହଜାରରୁ ଅଧିକ ମାର୍ଜିନରେ ଜିତିବେ ଏବଂ ପ୍ରଣବ ପ୍ରକାଶ ଦାସ ମଧ୍ୟ ଲକ୍ଷାଧିକ ଭୋଟରେ ବିଜୟୀ ହେବେ ବୋଲି ଦମ୍ଭୋକ୍ତି କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 12, 2024, 7:27 AM IST

Updated : Apr 12, 2024, 10:55 AM IST

ପ୍ରଣବ ଲକ୍ଷେ ଓ ମୁଁ ୪୦ ହଜାର ଭୋଟ ବ୍ୟବଧାନରେ ଜିତିବୁ: ରୋହିତ

ଭୁବନେଶ୍ବର: ''ଆସନ୍ତା ନିର୍ବାଚନରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜୟ ହେବେ । ମୁଁ ରେଢ଼ାଖୋଲରୁ ୪୦ ହଜାରରୁ ଅଧିକ ମାର୍ଜିନରେ ଜିତିବି ।'' ଗୁରୁବାର ବିଜେଡିର ଚତୁର୍ଥ ପର୍ଯ୍ୟାୟ ଟିକଟ ଘୋଷଣା ପରେ ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ । ଦଳ ତାଙ୍କ ଉପରେ ପୁଣିଥରେ ଭରସା କରିଥିବାରୁ ସେ ସଭାପତି ନବୀନ ପଟ୍ଟନାୟକ, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହ ନିଜର ଏବଂ ସମ୍ବଲପୁରରେ ପ୍ରବଣଙ୍କ ବିଜୟକୁ ନେଇ ଦୃଢୋକ୍ତି କରିଛନ୍ତି ।

ଗୁରୁବାର ପ୍ରକାଶ ପାଇଛି ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ରେଢ଼ାଖୋଲରୁ ପୁନର୍ବାର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରୋହିତ ପୂଜାରୀ । ରୋହିତଙ୍କ ନିର୍ବାଚନ ମଣ୍ଡଳୀ ବଦଳିବ ବୋଲି ଚର୍ଚ୍ଚା ଲାଗି ରହିଥିଲା । ଏଥର ରେଢ଼ାଖୋଲରୁ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ରେଢ଼ାଖୋଲରେ ପ୍ରସନ୍ନଙ୍କୁ ବାରମ୍ବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟଙ୍କ ପକ୍ଷରୁ ଶବ୍ଦ ମାଡ଼ ହେଉଥିଲା । ତେଣୁ ରୋହିତଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରିବା ଲାଗି ଦଳ ଯୋଜନା କରୁଥିଲା । କିନ୍ତୁ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଗୋଷ୍ଠୀଙ୍କ ପକ୍ଷରୁ ରୋହିତଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । ରାସେଶ୍ୱରୀ ପାଣିଗ୍ରାହୀଙ୍କ ଗୋଷ୍ଠୀଙ୍କୁ ମ୍ୟାନେଜ କରିବା ଲାଗି ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁର ପ୍ରାର୍ଥୀ କରିଥିବା କଥା କୁହାଯାଉଛି । କିନ୍ତୁ ଏଥିରେ ପ୍ରସନ୍ନ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ: ଗୋଟିଏ ଲୋକସଭା ଓ 9 ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କଲା BJD, ବାଲେଶ୍ବରରୁ ଲେଖାଶ୍ରୀ - BJD Announces Candidates



ସେପଟେ ଟିକେଟ ମିଳିବା ପରେ ରୋହିତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଅର୍ପଣ କରିବି । ନିରନ୍ତର ଭାବେ ମୁଖ୍ୟମନ୍ତ୍ରୀ ମୋତେ ବିଭିନ୍ନ ଦାୟିତ୍ୱ ଦେଇ ଆସୁଛନ୍ତି । ଏଥର ମଧ୍ୟ ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି । ରେଢ଼ାଖୋଲରୁ ପୁନର୍ବାର ମୋତେ ପ୍ରାର୍ଥୀ କରିଛନ୍ତି । ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଧନ୍ୟବାଦ ଦେବି । ସେମାନେ ମୋତେ ବଡ଼ ସୁଯୋଗ ଦେଇଛନ୍ତି । ବହୁତ ବଡ଼ ବ୍ୟବଧାନରେ ଆମେ ଏଥର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀରୁ ଜିତିବୁ । ଲୋକସଭା କ୍ଷେତ୍ରରେ ପ୍ରଣବ ପ୍ରକାଶ ଦାସ ମଧ୍ୟ ବହୁ ବ୍ୟବଧାନ ଭୋଟରେ ଜୟଯୁକ୍ତ ହେବେ ।


ରୋହିତ କହିଛନ୍ତି ଯେ, ସମ୍ବଲପୁରର ଯିଏ ବିଜେପିର ସାଂସଦ ଓ ବିଧାୟକ, ତାଙ୍କୁ ଗତ ୫ ବର୍ଷ ହେଲା କେହି ଦେଖିବାକୁ ପାଇନଥିଲେ । ଲୋକେ ଅତିଷ୍ଠ ହୋଇ ଅଛନ୍ତି । ପଶ୍ଚିମ ଓଡିଶାରେ ବିଜେପିର ଯେଉଁ ସାଂସଦ ଥିଲେ ସେମାନେ କୌଣସି ଆଖିଦୃଶିଆ କାମ କରିନାହାନ୍ତି । ବିଶେଷ କରି ସମ୍ବଲପୁର ଜିଲ୍ଲାରେ କୌଣସି ଗୋଟେ ନୂଆ ପ୍ରକଳ୍ପ ହୋଇନାହିଁ । ପେଟ୍ରୋଲିୟମ, ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ କିଛି କାମ ହୋଇନାହିଁ । ପ୍ରଣବ ପ୍ରକାଶଙ୍କ ବାପା ଅଶୋକ ଦାସଙ୍କୁ ସମ୍ବଲପୁରର ପୁଅ କହିଲେ ଭୁଲ ହେବନାହିଁ । ସମ୍ବଲପୁରର ବିଭିନ୍ନ ପରିବାର ସହିତ ତାଙ୍କର ସମ୍ପର୍କ । ପ୍ରଣବଙ୍କୁ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ବିଜୟ କରାଇବେ ।


'ପ୍ରସନ୍ନ ମୋତେ ଓ ମୁଁ ପ୍ରସନ୍ନଙ୍କୁ ସହଯୋଗ କରିବୁ'

ଯେତେବେଳେ ନିର୍ବାଚନ ଆସେ ସେତେବେଳେ ବହୁ ଲୋକ ଆଶାୟୀ ହୁଅନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଟିକଟ ମିଳିଛି । ମୁଁ ତାଙ୍କୁ ସମ୍ବଲପୁର ଓ ସେ ମୋତେ ରେଢ଼ାଖୋଲରେ ସାହାଯ୍ୟ କରିବେ । କିଛି ଅସୁବିଧା ନାହିଁ । ଆମେ ଦୁଇ ଜଣ ମ୍ୟାନେଜ କରିବୁ । ସେ ମୋର ପିତୃ ତୁଲ୍ୟ । ତାଙ୍କୁ ଜିତେଇବା ଲାଗି ଆମର ସବୁ ପ୍ରକାର ସାହାଯ୍ୟ ରହିବ । ସେ ବି ମୋତେ ସାହାଯ୍ୟ କରିବେ । ଉଭୟ ବହୁ ଭୋଟ ବ୍ୟବଧାନରେ ବିଜୟ ହେବୁ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ସମସ୍ତ ୭ ବିଧାନସଭା ବିଜେଡି ଖାତାକୁ ଯିବ ବୋଲି କହିଛନ୍ତି ରୋହିତ ପୂଜାରୀ ।


'ନିର୍ବାଚନ ଲଢ଼ିବାକୁ ଚାହୁଁନଥିଲେ ରାସେଶ୍ୱରୀ ନାନୀ'

ସେ ଆହୁରିମଧ୍ୟ କହିଛନ୍ତି ଯେ, ରାସେଶ୍ୱରୀ ନାନୀଙ୍କର ଆମ ପ୍ରତି ବହୁତ ଭଲ ପାଇବା ଅଛି । ନିର୍ବାଚନ ଲଢ଼ିବାକୁ ଚାହୁଁନାହାନ୍ତି ବୋଲି ସେ ନିଜେ ମନା କରିଥିଲେ । କିନ୍ତୁ ସେ ନିର୍ବାଚନ ଲଢନ୍ତୁ ବୋଲି ତାଙ୍କ କର୍ମୀ ଚାହୁଁଥିଲେ । ବିଶ୍ୱାସ ଅଛି ସେ ମୋତେ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୂର୍ଣ୍ଣ ସହଯୋଗ କରିବେ । କିନ୍ତୁ ଏନେଇ ରାସେଶ୍ୱରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କିଛି ଦିନ ପୂର୍ବରୁ ରାସେଶ୍ୱରୀ ପାଣିଗ୍ରାହୀଙ୍କ ସମର୍ଥକଙ୍କ ଭିଡିଓ ଭାଇରାଲ ହୋଇଥିଲା । ସେମାନେ ରୋହିତଙ୍କୁ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ସେହିପରି ପ୍ରଣବ ପ୍ରକାଶ ସମଲେଶ୍ବରୀଙ୍କୁ ଦର୍ଶନ କରି ରାସେଶ୍ୱରୀଙ୍କୁ ଭେଟିବାକୁ ଯାଇଥିଲେ । ସେଠାରେ ତାଙ୍କ ସମର୍ଥକ ରୋହିତଙ୍କୁ ବିରୋଧ କରିଥିବା କଥା କୁହାଯାଇଥିଲା ।


୨୦୧୯ ନିର୍ବାଚନରେ ସମ୍ବଲପୁର ଲୋକସଭା ଓ ଏହା ଅନ୍ତର୍ଗତ ସମ୍ବଲପୁର ଓ ରେଙ୍ଗାଲି ବିଧାନସଭା କ୍ଷେତ୍ର ବିଜେପି କ୍ଷେତ୍ରକୁ ଯାଇଥିଲା । ବାକି ଆସନ ବିଜେଡ଼ି ଖାତାକୁ ଯାଇଥିଲା । ଏଥର ସମ୍ବଲପୁର ଲୋକସଭା କ୍ଷେତ୍ରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପ୍ରାର୍ଥୀ ହୋଇଛନ୍ତି । ସେହିପରି ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ମୈଦାନକୁ ଓହ୍ଲାଇଛନ୍ତି ବିଜେପି ଭେଟରାନ ଜୟ ନାରାୟଣ ମିଶ୍ର ।

Last Updated : Apr 12, 2024, 10:55 AM IST

ABOUT THE AUTHOR

...view details