ଭୁବନେଶ୍ୱର:ରାଜ୍ୟରେ ବିଜେଡି-ବଜେପି ମେଣ୍ଟ ଚର୍ଚ୍ଚାରେ ଲାଗୁନି ବ୍ରେକ । ଏହାରି ମଧ୍ୟରେ ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ମେଣ୍ଟ ନେଇ ମନା କରୁଥିବା ବେଳେ ଏବେ ନାହିଁ ମଧ୍ୟ କରୁନାହାନ୍ତି । ମେଣ୍ଟ ହେବା ନେଇ ଖୋଲା ଖୋଲି କହିନଥିଲେ ମଧ୍ୟ ଇସାରେ ଦେଇଛନ୍ତି ମନମୋହନ । ''ସବୁ ଠିକ୍ ଚାଲିଛି, ଆମର ଯାହା କିଛି ପ୍ରକ୍ରିୟା ତାହା କରାଯାଉଛି । ସବୁ ବିଷୟରେ ବିଚାର ଆଲୋଚନା କରାଯାଉଛି'' ବୋଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାରେ ଏପରି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ।
ଏହା ମଧ୍ୟ ପଢନ୍ତୁ-ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ! ମନା କଲେ ମନମୋହନ, ରାଜ୍ୟରେ ଏକାକୀ ଲଢିବ ବିଜେପି
ଗତ ଫେବୃଆରୀ ୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଚଳିତ ମାସ ୫ ତାରିଖରେ ମୋଦିଙ୍କ ଚଣ୍ଡିଖୋଲ ଗସ୍ତପରେ ମେଣ୍ଟ ଚର୍ଚ୍ଚା ଅଧିକ ଘନେଇଥିଲା । ମେଣ୍ଟ ଚର୍ଚ୍ଚା ନେଇ କିନ୍ତୁ ଉଭୟ ଦଳ ଖଣ୍ଡନ କରିଥିଲେ । ଗଣମାଧମୟରେ ନାହିଁ ନାହିଁ କରୁଥିବା ଦୁଇ ଦଳର ନେତା ବାରମ୍ବାର ଦିଲ୍ଲୀ ଗସ୍ତ କରି ବୈଠକ କରୁଥିଲେ । ଦିଲ୍ଲୀରେ ଘନ ଘନ ବୈଠକ ବସୁଥିଲେ ମଧ୍ୟ ଆସନ ବୁଝାମଣା ହୋଇପାରୁ ନଥିବାରୁ ଆଜି ପର୍ଯ୍ୟନ୍ତ ମେଣ୍ଟ ଚର୍ଚ୍ଚାରେ ବିରାମ ଲାଗିପାରୁନି । ଅନ୍ୟପଟେ ଲୋକସଭା ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲେ ବି ଏଥିରେ ଓଡିଶା ସାମିଲ ନାହିଁ । ଯାହା ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାକୁ ଆହୁରି ଦୃଢ଼ିଭୂତ କରିଛି ।