ଭୁବନେଶ୍ବର:ନିର୍ବାଚନ ଜାରି ରହିଥିବାବେଳେ ନିର୍ବାଚନୀ ହିଂସା ଅଭିଯୋଗ ଆଣିଲା ବିଜେଡି । କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ସିଇଓଙ୍କ ନିକଟରେ ବିଜେଡି ଫେରାଦ ହୋଇଛି । ବିଜେଡି ମୁଖପାତ୍ର ଓମ ପ୍ରକାଶ ସାହୁ କହିଛନ୍ତି, "ପରାଜୟ ଆଶଙ୍କାରେ ବିଜେପି ଘଟାଉଛି ହିଂସାକାଣ୍ଡ । ଚିକିଟି ବିଧାନସଭା କ୍ଷେତ୍ରରେ ବିଜେଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ଚିକିଟିରେ ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ସମର୍ଥନରେ ଆକ୍ରମଣ ହୋଇଛି । ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାରେ ହିଂସାର ସ୍ଥାନ ନାହିଁ । କିନ୍ତୁ ପରାଜୟ ଆଶଙ୍କାରେ ବିଜେପିର ଚିକିଟି ଅଞ୍ଚଳରେ ହିଂସାକାଣ୍ଡ ଘଟାଇଛନ୍ତି । ବିଜେଡିର ଦୁଇ କର୍ମୀଙ୍କ ଉପରେ ଆକ୍ରମଣ କରାଯାଇଛି । ପୋଲିଂ ଆରମ୍ଭ ହେବାର ଘଣ୍ଟାଏ ପରେ ଏହି ଆକ୍ରମଣ ହୋଇଛି" ବୋଲି ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେଡି ।
ଚିକିଟି ବିଧାନସଭା କ୍ଷେତ୍ରର ପାତ୍ରପୁର ବ୍ଲକ ପଦଗିରି ଗ୍ରାମପଞ୍ଚାୟତରେ ବିଜେଡି କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀ ସୂର୍ଯ୍ୟ ନାରାୟଣ ପାଢ଼ୀଙ୍କ ଉପରେ ବିଜେପିର ଦୁଇ ଜଣ କର୍ମୀ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦଳ ଅଭିଯୋଗ ଆଣିଛି । ସେମାନଙ୍କର ରକ୍ତମୁଖା ଚେହେରା ନିର୍ବାଚନର ପ୍ରଥମ ପ୍ରହରରୁ ଦେଖିବାକୁ ପାଉଛୁ । ଗତକାଲି (ରବିବାର) ରାତିରେ ବିଜେପିର ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ବିରୋଧରେ ବିଜେଡି ଅଭିଯୋଗ କରିଥିଲା । ଆଜି ପୁନର୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି ।