ଓଡିଶା

odisha

ETV Bharat / politics

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ - Samir Dash Resigned - SAMIR DASH RESIGNED

Samir Dash resigned from BJD: ବିଜେଡି ଛାଡିଲେ ବରିଷ୍ଠ ନେତା ସମୀର ଦାଶ । ଟିକଟ ନମିଳିବା ପରେ ଥିଲେ ଅସନ୍ତୁଷ୍ଟ । ନିଜେ ଭିଡିଓ ଜାରି ଦେଲେ ଇସ୍ତଫା । ଅଧିକ ପଢନ୍ତୁ

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକେଟ ଦେଇନଥିଲା ଦଳ
ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକେଟ ଦେଇନଥିଲା ଦଳ (ETV Bharat Odisha)

By ETV Bharat Odisha Team

Published : May 19, 2024, 7:40 AM IST

Updated : May 19, 2024, 12:04 PM IST

ବିଜେଡି ଛାଡିଲେ ସମୀର ଦାସ (ETV Bharat Odisha)

ଭୁବନେଶ୍ବର:ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫାପତ୍ର ପଠାଇଥିବା ସୂଚନା । ନିମାପଡାରୁ ଏଥର ସମୀରଙ୍କୁ ଟିକଟ ନଦେଇ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଯାହାକୁ ନେଇ ସମୀର ତୀବ୍ର ଅସନ୍ତୁଷ୍ଟ ଥିବା ସହ ନିଷ୍ପତ୍ତି ପରିବର୍ତ୍ତନ କରିବାକୁ ସମର୍ଥକଙ୍କ ମାଧ୍ୟମରେ ପରୋକ୍ଷରେ ଚାପ ପକାଇ ଆସୁଥିଲେ । ଆଜି ସେ ଦଳରୁ ଇସ୍ତଫା ଦେଇଥିବା ଜଣାପଡିଛି । ନିଷ୍ପତ୍ତି ସମ୍ପର୍କରେ ନିଜେ ସମୀର ସୋସିଆଲ ମିଡିଆରେ ଭିଡିଓ ଜାରି କରିଛନ୍ତି ।

ବିଜେଡି ଛାଡିଲେ ସମୀର ଦାଶ, ଏଥର ଟିକଟ ଦେଇନଥିଲା ଦଳ (ETV Bharat Odisha)

ଭିଡିଓରେ ସମୀର କହିଛନ୍ତି, ‘‘2006 ମସିହାରୁ ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି । ଆଜିର ଦିନରେ ଦଳର ନେତା ମୋ ଉପରେ ଆସ୍ଥା ହରାଇଛନ୍ତି । ନିମାପଡା-ଗୋପ ବିଜୁ ଜନତା ଦଳ ସଂଗଠନ ଉପରେ ଆସ୍ଥା ହରାଇଛନ୍ତି । ଯେତେବେଳେ ନେତା ମୋ ଉପରେ ଆସ୍ଥା ହରାଇଛନ୍ତି, ତେଣୁ ଦଳରେ ରହିବା ମୋ ପାଇଁ ସମୀଚିନ ହେଉନାହିଁ । ଏଥିପାଇଁ ଦଳର ପ୍ରାଥମିକ ସଭ୍ୟ ପଦରୁ ଆଜି ଇସ୍ତଫା ଦେଉଛି । ମୋ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠେଇ ଦେଇଛି ।’’

ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀରୁ ଏକାଧିକ ଥର ବିଜେଡି ଟିକଟରେ ବିଜୟୀ ହୋଇଥିବା ସମୀର ଗଣଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ । 2009, 2014 ଓ 2019ରେ କ୍ରମାଗତ ବିଧାୟକ ଭାବେ ବିଜୟୀ ହୋଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଥିଲା ସମୀରଙ୍କ ଭୂମିକା । ସେତେବେଳେ ଏହାକୁ ନେଇ ରାଜନୀତି ଜୋର ଧରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି ।

ଏହା ମଧ୍ୟ ପଢନ୍ତୁ:- EXCLUSIVE: 'ବିଜେପି ବିଜେଡି ନୁହେଁ କଂଗ୍ରେସକୁ ଓଡ଼ିଶାବାସୀ ଜିତାଇ କ୍ଷମତାକୁ ଆଣିବେ' - ETV BHARAT EXCLUSIVE

ଦଳ ଚଳିତଥର ତାଙ୍କୁ ଟିକଟ ନଦେଇ ତାଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଟିକଟ ନମିଳିବା ପରେ ସେ ଏହା ବିରୋଧରେ ଗଣମାଧ୍ୟମରେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ । ନିକଟରେ ସମୀରଙ୍କ ଶତାଧିକ ସମର୍ଥକ ମଧ୍ୟ ଦଳରୁ ସମୂହ ଇସ୍ତଫା ଦେଇ ସମୀରଙ୍କ ପ୍ରତି ଆନୁଗତ୍ୟତା ଦେଖାଇବାକୁ ପ୍ରୟାସ କରିଥିଲେ । ହେଲେ ତମାମ ଚାପ ସତ୍ତ୍ବେ ମଧ୍ୟ ପ୍ରାର୍ଥୀ ପରିବର୍ତ୍ତନ କରିବାରେ ସଫଳ ହୋଇନଥିଲେ ସମୀର । ଏବେ ସେ ଇସ୍ତଫା ଦେବା ପରେ ତାଙ୍କର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି କ’ଣ ହେବ, ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ଅନ୍ୟପଟେ ଦଳ ବିଜେଡିର କୌଣସି ନେତାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନି ।

ଇଟିଭି ଭାରତ, ଭୁନେଶ୍ବର

Last Updated : May 19, 2024, 12:04 PM IST

ABOUT THE AUTHOR

...view details