ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଏନ୍ଏସିରେ ଶୁକ୍ରବାର ପୁଣି ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି । ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ ଗ୍ରହଣ କରାଯିବାର ରହିଥିଲା । ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି । ବାରମ୍ବାର ଅନାସ୍ଥା ଭୋଟ ସ୍ଥଗିତ ହେବାରୁ ସମସ୍ତ କାଉନସିଲର ସୁପ୍ରିମକୋର୍ଟ ଯିବେ ବୋଲି କହିଛନ୍ତି ।
ପୁଣି ସ୍ଥଗିତ ଜୁନାଗଡ଼ NACରେ ଅନାସ୍ଥା ଭୋଟ; ଆସିଲେନି ଅତିରିକ୍ତ ଜିଲ୍ଲାପାଳ (Junagarh NAC Voting Issue) ଅନାସ୍ଥା ଭୋଟ ଦିନ ଆସୁନାହାନ୍ତି ଅତିରିକ୍ତ ଜିଲ୍ଲାପାଳ:-
ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଏବେ କଳାହାଣ୍ଡି ଜିଲ୍ଲାପାଳ ଦାୟିତ୍ବରେ ରହିଥିବାରୁ ସେ ଆସି ପାରି ନଥିବା ସ୍ଥାନୀୟ ଏନଏସି ଅଧିକାରୀ ପ୍ରମୋଦ କୁମାର ଖିଲ୍ଲୋ ସୂଚନା ଦେଇଛନ୍ତି । ଗତ ୧ ତାରିଖ ମଧ୍ୟ ଏଠାରେ ଅନାସ୍ଥା ଭୋଟ୍ ହେବାର ଥିଲା ହେଲେ ଉକ୍ତ ଦିନ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ସ୍ବାସ୍ଥ୍ୟବସ୍ଥା କାରଣରୁ ଆସିନଥିଲେ । ଯାହାଫଳରେ ସେହି ଦିନ ମଧ୍ୟ ଅନାସ୍ଥା ଭୋଟ୍ ସ୍ଥଗିତ ରହିଥିଲା । ୨ ଥର ଏପରି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏପରିକି ଗଣତାନ୍ତ୍ରିକ ପଦ୍ଧତିକୁ ଜିଲ୍ଲା ପ୍ରଶାସନ ଏପରି ଅବହେଳା କରି ହତ୍ୟା କରୁଛି ବୋଲି ଘଟଣା ସ୍ଥଳରେ ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକାଶ କରିଛନ୍ତି ।
'ସରକାରୀ କଳର ଦୁରୂପଯୋଗ କରୁଛି ବିଜେପି'
ଜୁନାଗଡ଼ ଏନ୍ଏସିର ମୋଟ୍ କାଉନ୍ସିଲରଙ୍କ ସଂଖ୍ୟା ୧୨ ଥିବା ବେଳେ ସେମାନଙ୍କ ଭିତରୁ ବିଜେଡିର ୧୦ ଓ ଭାରତୀୟ ଜନତା ପାର୍ଟିର ମାତ୍ର ୨ଜଣ କାଉନସିଲର ରହିଛନ୍ତି । ଯାହାଫଳରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେଡି କାଉନସିଲରଙ୍କ ସଂଖ୍ୟା ଅଧିକ ରହିଥିବାରୁ ସିଧାସଳଖ ନିର୍ବାଚିତ ହୋଇଥିବା ମୁକେଶଙ୍କ ବିପକ୍ଷରେ ଭୋଟ ଯିବାର ଆଶଙ୍କା ରହିଥିଲା । ଫଳରେ ବିଜେପି ସରକାରୀ କଳର ଦୁରୂପଯୋଗ କରୁଥିବା ବିଜେଡି କାଉନସିଲରମାନେ ପ୍ରକାଶ କରିଛନ୍ତି ।
'ହାଇକୋର୍ଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢେଇ କରିବୁ'
ବାରମ୍ବାର ଅନାସ୍ଥା ଭୋଟ୍ ସ୍ଥଗିତ ରହିଥିବାରୁ ଅସନ୍ତୋଷ ବ୍ୟକ୍ତ କରି ଜୁନାଗଡ଼ NAC ଉପାଧ୍ୟକ୍ଷା ହିମାଦ୍ରି ନାଏକ କହିଛନ୍ତି, " ବାରମ୍ବାର ଅନାସ୍ଥା ଭୋଟ୍ ସ୍ଥଗିତ ରଖାଯାଉଛି । ଏହା ବିଜେପି ସରକାରର ଚାପ । ସବୁବେଳେ ଅତିରିକ୍ତ ଜିଲ୍ଲାପାଳ ଅନୁପସ୍ଥିତ ରହିବାର କାରଣ କଣ ? ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ବିଜେପି ଓ ବିଜେଡି ଉଭୟଙ୍କ ଅନାସ୍ଥା ହେଉଥିଲା । ଏବେ କଣ ପାଇଁ ହେଉନାହିଁ ? ସରକାର ସବୁବେଳେ ଜନତାଙ୍କୁ ସମର୍ଥନ କରିବା କଥା । ଯଦି ଏପରି ହୁଏ ତେବେ ଆମେ ହାଇକୋର୍ଟ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଲଢେଇ କରିବୁ । ଏହା ଗଣତନ୍ତ୍ରର ହତ୍ୟା ।"
କଣ କୁହେ ଓଡ଼ିଶା ପୌରପାଳିକା ଆଇନ ?
ଅନାସ୍ଥା ଭୋଟିଂ ପାଇଁ ପଦବୀ ଧାରଣ କରିଥିବା କାଉନସିଲରମାନଙ୍କୁ ପ୍ରସ୍ତାବିତ ପ୍ରସ୍ତାବର ସୂଚନା ତିନିଦିନ ଆଗରୁ ଦେବେ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ କିମ୍ବା ସେ ଯଦି ଯୋଗଦାନ କରି ନ ପାରନ୍ତି ତାହେଲେ ତାଙ୍କ ଦ୍ବାରା ବିଶେଷ ଭାବେ କ୍ଷମତା ପ୍ରାପ୍ତ ଏବଂ ପୌରପାଳିକାର କାର୍ଯ୍ୟନିର୍ବାହୀ ଉଚ୍ଚ କର୍ମଚାରୀଙ୍କ ଊର୍ଦ୍ଧ୍ବ ସ୍ତରର କୌଣସି ଗେଜେଟେଡ଼୍ ଅଫିସର୍ ଉକ୍ତ ବୈଠକରେ ସଭାପତିତ୍ବ କରିବେ । ଯଦି ବୈଠକରେ ଉପସ୍ଥିତ କାଉନ୍ସିଲରଙ୍କ ସଂଖ୍ୟା ସମୁଦାୟ କାଉନ୍ସିଲର ସଂଖ୍ୟାର ଦୁଇ-ତୃତୀୟାଂଶରୁ କମ୍ ହୋଇଥାଏ, ତାହେଲେ ଉକ୍ତ ପ୍ରସ୍ତାବ ରଦ୍ଦ ହୋଇଯିବ।
ଏହା ବି ପଢନ୍ତୁ- ଅନାସ୍ଥା ଭୋଟ ସ୍ଥଗିତ ପରେ ତାତିଲେ କାଉନସିଲର, ଜିଲ୍ଲାପାଳଙ୍କୁ ଜଣାଇଲେ ଦାବି
ଉପ ଦଫାରେ ନିର୍ଦ୍ଦିଷ୍ଟ ଅନୁଯାୟୀ ଯଦି ଉକ୍ତ ପ୍ରସ୍ତାବ ଆବଶ୍ୟକ ସଂଖ୍ୟକ କାଉନ୍ସିଲରଙ୍କ ଦ୍ବାରା ସମର୍ଥିତ ହୁଏ, ତାହେଲେ ସଭାପତିତ୍ଵ କରୁଥିବା ଉଚ୍ଚ କର୍ମଚାରୀ ଏପରି ବୈଠକର ସମସ୍ତ ମୂଳ ପ୍ରତିଲିପି ସହ ନଥିପତ୍ର ତତକ୍ଷଣାତ୍ ରାଜ୍ୟ ସରକାରଙ୍କ ନିକଟକୁ ପ୍ରେରଣ କରିବେ ଏବଂ ରାଜ୍ୟ ସରକାର ଉପଦଫା (୧)ର ବ୍ୟବସ୍ଥାବଳୀ ଅନୁଯାୟୀ ତାହା ତତକ୍ଷଣାତ୍ ପ୍ରକାଶନ କରିବେ । ଯେଉଁ କ୍ଷେତ୍ରରେ କୌଣସି ଗେଜେଟେଡ୍ ଅଫିସର ଏପରି ବୈଠକରେ ସଭାପତିତ୍ବ କରନ୍ତି, ପ୍ରକରଣ (ଜ)ରେ ଥିବା ବ୍ୟବସ୍ଥାବଳୀରେ କୌଣସି ପକ୍ଷପାତ ନକରି ଉକ୍ତ ବୈଠକର ଏକ ପ୍ରସ୍ତାବ ଏବଂ ଏହାର ବିବରଣୀର ନକଲ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଗୋଚରାର୍ଥେ ପ୍ରେରଣ କରିବେ, ଯେପରି ଆବଶ୍ୟକ । ହେଲେ ପ୍ରଶାସନ ଏହି ଆଇନକୁ ଖୁଲମଖୁଲା ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆଣିଛନ୍ତି ବିଜେଡି କାଉନସିଲର ।
ଇଟିଭି ଭାରତ, କଳାହାଣ୍ଡି