ଜଗତସିଂହପୁର:ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନକୁ ନେଇ ରାଜ୍ୟ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଅନ୍ୟପଟେ ରାଜନୈତିକର ଦଳର କର୍ମକର୍ତ୍ତା ତଥା ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରିଛି । ତେବେ ଗତକାଲି (ମଙ୍ଗଳବାର) ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରକାଶ ପାଇ ସାରିଛି । ମେ 14 ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିବା ବେଳେ ମେ 15 ତାରିଖରେ ନାମାଙ୍କନ ଯାଞ୍ଚ 17 ତାରିଖରେ ନାମାଙ୍କନ ପ୍ରତ୍ୟାହାର ରହିଛି । ତେବେ ସେହିକ୍ରମରେ ଜଗତସିଂହପୁର ଜିଲ୍ଲାରେ ଆଜି ଦ୍ୱିତୀୟ ଦିନରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ନାମାଙ୍କନ ପତ୍ର ଦାଖଲର ଦ୍ୱିତୀୟ ଦିନରେ ସ୍ୱାଧୀନ ପ୍ରାର୍ଥୀ ଭାବରେ 6 ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ଜଗତସିଂହପୁର ବିଧାନସଭା ଆସନରୁ ବହୁଜନ ସମାଜବାଦୀ ପାର୍ଟିର ପ୍ରାର୍ଥୀ କୈଳାସ ଚନ୍ଦ୍ର ମଲିକ ତାଙ୍କ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ପାରାଦ୍ୱୀପ ବିଧାନସଭା ଆସନ ପାଇଁ ନବ ନିର୍ମାଣ କୃଷକ ସଙ୍ଗଠନର ନେତା ଉମାକାନ୍ତ ଭାରତ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ବାଲିକୁଦା ବିଧାନସଭା ଆସନ ପାଇଁ ଆମ ଆଦମୀ ପାର୍ଟିର ପ୍ରାର୍ଥୀ ବରଦା ପ୍ରସନ୍ନ ସାହୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ରବୀନ୍ଦ୍ର ସେଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।