ଭୁବନେଶ୍ବର:ସାମ୍ବାଦିକ ସମ୍ମିଳନୀ କରି ଚାଷୀ ପ୍ରସଙ୍ଗ ଉଠାଇଲା ବିଜେଡି । ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ କହିଛନ୍ତି, "ଚାଷୀଙ୍କ ପାଇଁ ସ୍ବତନ୍ତ୍ର କୃଷି ବଜେଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କା ବଜେଟ ହୋଇ ଖର୍ଚ୍ଚ ହୋଇଛି । କାଳିଆ ଯୋଜନାରେ ୬୪ ଲକ୍ଷ ଚାଷୀଙ୍କୁ ୧୧ ହଜାର ୫୦୦ କୋଟି ସହାୟତା ପ୍ରଦାନ କରାଯାଇଛି । ସାରା ଦେଶକୁ PDSକୁ ଚାଉଳ ଯୋଗାଣରେ ତୃତୀୟ ବୃହତ୍ ଯୋଗଦାନକାରୀ ରାଜ୍ୟ ଭାବେ ଓଡ଼ିଶା ପରିଗଣିତ ହୋଇଛି । ୪ ବର୍ଷରେ ଚାଷୀଙ୍କୁ ବିନା ସୁଧରେ ୧.୪୫ ଲକ୍ଷ କୃଷି ଋଣ ଦିଆଯାଇଛି । ଗତ ୫ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯାଇଛି । ଆଗାମୀ ୧୦ ବର୍ଷରେ ୨୦ ଲକ୍ଷ ହେକ୍ଟର ଜଳସେଚନ କରାଯିବ।"
"କୃଷକଙ୍କ ଆୟ ଦ୍ଵିଗୁଣିତ କରାଯାଇଛି । ଅନ୍ୟ ରାଜ୍ୟ ତୁଳନାରେ ଦ୍ରୁତ ଗତିରେ ବଢୁଛି ଚାଷୀଙ୍କ ଆୟ । ଚାଷୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଇସ୍ତାହାରରେ ଘୋଷଣା କରିଛି ବିଜେଡି । ଚାଷୀଙ୍କ ଝିଅ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା ବ୍ୟବସ୍ଥା କରାଯାଇଛି । ନୂଆ ମଣ୍ଡି ଖୋଲିବା ଓ ପୁରୁଣା ମଣ୍ଡିର ଆଧୁନିକୀକରଣ କରଣ ପାଇଁ ପ୍ରତିବର୍ଷ ଖର୍ଚ୍ଚ ହେବ ୫୦୦ କୋଟି ଟଙ୍କା । ଫସଲ ବୀମା ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶା ଚାଷୀଙ୍କୁ ଅବହେଳା କରିଛନ୍ତି । କିନ୍ତୁ ରାଜ୍ୟ ସରକାର ପ୍ରିମିୟମ ଛାଡ କରିଛନ୍ତି । ଆଗକୁ ବି ଏହା ଜାରି ରହିବ । ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । MSP ୨ ହଜାର ୯୩୦ ଟଙ୍କା କରିବାକୁ ୨୦୧୭ରେ ଓଡ଼ିଶା ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ବି ଦିଲ୍ଲୀରେ ସ୍ୱର ଉଠାଇଥିଲେ । ବିଜେଡି ସାଂସଦ ବି ସଂସଦ ଭିତରେ ଓ ବାହାରେ ପ୍ରସଙ୍ଗ ଉଠାଇଥିଲେ ବି କେନ୍ଦ୍ର ସରକାର ଶୁଣି ନାହାନ୍ତି । ବିଜେପି ଜାତୀୟ ଇସ୍ତାହାରରେ MSP ବାବଦରେ ପଦୁଟିଏ ବି କହିନାହାନ୍ତି ।