ହାଇଦ୍ରାବାଦ:ଏବେବି ରାଜଧାନୀ ଦିଲ୍ଲୀ ଅତି ଖରାପ ବାୟୁ ଗୁଣବତ୍ତା ସହ ଦେଶର ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ରହିଛି । ଯେପରି ଗତ କିଛି ବର୍ଷ ହେବ ଶୀତ ଋତୁ ଆରମ୍ଭରୁ ସ୍ଥିତି ଦେଖାଯାଉଥିଲା, ଏଥର ଏକାଧିକ ପ୍ରତିରୋଧୀ ପନ୍ଥା ଗ୍ରହଣ ସତ୍ତ୍ବେ ମଧ୍ୟ ପ୍ରଦୂଷଣ ନିୟନ୍ତ୍ରଣକୁ ଆସିପାରିନି । ଏହି ବର୍ଷ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ପ୍ରାୟତଃ ଅତି ଚିନ୍ତାଜନକ ସ୍ଥିତିରେ ରହିଛି । ଯାହା ରାଜଧାନୀ ଦିଲ୍ଲୀକୁ ଏକ ବିଷାକ୍ତ ଗ୍ୟାସ ଚାମ୍ବରରେ ପରିଣତ କରିଛି ।
- ଅନୁସନ୍ଧାନ କରୁଛନ୍ତି ଏକାଧିକ ସଂସ୍ଥା:-
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ସମେତ ଅନେକ ଗବେଷଣାଭିତ୍ତିକ ଶୀର୍ଷ ଅନୁଷ୍ଠାନ ଏହି ପ୍ରସଙ୍ଗରେ ଗବେଷଣା ଜାରି ରଖିଛନ୍ତି । ଶୀତଦିନେ ରାଜଧାନୀରେ ବାୟୁ ପ୍ରଦୂଷଣର କାରଣ ଓ ଏହାର ପ୍ରତିରୋଧ ପାଇଁ ପ୍ରଭାବୀ ପନ୍ଥା ଆବିଷ୍କାର କରିବା ପାଇଁ ପ୍ରୟାସ ଜାରି ରହିଛି । ମୁଖ୍ୟତଃ ମାନବୀୟ କାର୍ଯ୍ୟକଳାପ ଦ୍ୱାରା ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ ଫଳରେ ଦିଲ୍ଲୀରେ ଏପରି ସ୍ଥିତି ଦେଖିବାକୁ ମିଳେ ବୋଲି ମୌଳିକ ଅନୁସନ୍ଧାନରେ ସ୍ପଷ୍ଟ ହୋଇଛି । କୋଇଲା, ପେଟ୍ରୋଲ, ଡିଜେଲ, ଗ୍ୟାସ୍, କୋଇଲାଭିତ୍ତିକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ସୃଷ୍ଟି ହେଉଥିବା ବିଷାକ୍ତ ଗ୍ୟାସ ଏବେ ଦିଲ୍ଲୀ ବାୟୁମଣ୍ଡଳକୁ ବିଶେଷ ଭାବେ ପ୍ରଦୂଷିତ କରିଛି । ଏହା ବ୍ୟତୀତ ଯାନବାହାନରୁ ଗ୍ୟାସ ବା ଧୂଆଁ ନିର୍ଗମନ, ବୃହତ ନିର୍ମାଣ କାର୍ଯ୍ୟ, ଅଗ୍ନି ନିର୍ବାପକ ଓ ଫସଲ ଅମଳ ପରେ କ୍ଷେତରେ ଲଗାଯାଉଥିବା ନିଆଁ ଓ ସେଥିରୁ ସୃଷ୍ଟି ହେଉଥିବା ଧୂଆଁ ମଧ୍ୟ ପ୍ରଦୂଷଣର ପ୍ରମୁଖ କାରଣ ।
- ଦିଲ୍ଲୀ ବାୟୁରେ ଏକାଧିକ ମାରାତ୍ମକ କଣିକା;-
ସଲଫର ଡାଇଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ନାଇଟ୍ରୋଜେନ-ଡାଇଅକ୍ସାଇଡ ଭଳି ବିଷାକ୍ତ ଗ୍ୟାସ ବ୍ୟତୀତ ଧୂଳି କଣିକା, ଫ୍ଲାଏ ଆଶ (ପ୍ଲାଣ୍ଟରେ ଦହନ ପରେ ସୃଷ୍ଟି ହେଉଥିବା ଉଡନ୍ତା ପାଉଁଶ) ପରି ମାରାତ୍ମକ କଣିକା ପ୍ରମୁଖ ପ୍ରଦୂଷକ ଉପାଦନ ଭାବେ ଚିହ୍ନଟ ହୋଇଛି । ଏହି କଣିକାର ଆକାର ମାଇକ୍ରୋସ୍କୋପିକ ହୋଇଥାଏ, ଯାହା ଅତିକ୍ଷୁଦ୍ରତର । ଫଳରେ ଏହା ଶାସକ୍ରିୟାରେ ଫୁସଫୁସରେ ପ୍ରବେଶ କରି ସଂକ୍ରମଣ କରେ ଓ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରେ ।
ପୂର୍ବ ବର୍ଷଗୁଡିକ ପରି ଗତ କିଛି ମାସ ମଧ୍ୟରେ ଦିଲ୍ଲୀର ବାୟୁ ପ୍ରଦୂଷଣ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଗମ୍ଭୀର ତଥା ଚିନ୍ତାଜନକ ପ୍ରସଙ୍ଗରେ ବୁଦ୍ଧିଜୀବୀମାନେ ମୁଖ୍ୟତଃ ତିନୋଟି ସମାଧାନମୂଳକ ପରାମର୍ଶ ଦେଇଛନ୍ତି । ସେଗୁଡିକ ହେଲା ପଡୋଶୀ ରାଜ୍ୟରେ ଫସଲ ଅମଳ ପରେ ନିଆଁ ଲଗାଇବା ରୋକିବା, ପରିବହନ କ୍ଷେତ୍ରରେ ପ୍ରମୁଖ ପରିବର୍ତ୍ତନ ଆଣି ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରିବା ଓ ବୈଦ୍ୟୁତିକ ଯାନଗୁଡିକ ବ୍ୟବହାର ବୃଦ୍ଧି କରିବା ।
- ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟର ଭୂମିକା:-
ତେବେ ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛି ଦିଲ୍ଲୀରେ ଥିବା ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ ପ୍ଲାଣ୍ଟ । ଦିଲ୍ଲୀର ପ୍ରଦୂଷଣ ମଧ୍ୟରେ ଏହି ପ୍ଲାଣ୍ଟ ବ୍ୟବସ୍ଥା ବର୍ତ୍ତମାନ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଦିଲ୍ଲୀ ପରି ଜନସଂଖ୍ୟାବହୁଳ ସହରରେ ବର୍ଜ୍ୟବସ୍ତୁ ପରିଚାଳନାର ଏକ ପ୍ରଭାରୀ ସମାଧାନ ଭାବରେ ଏହି ପ୍ଲାଣ୍ଟ-ସିଷ୍ଟମ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ବର୍ଜ୍ୟବସ୍ତୁକୁ ଜଳାଯାଇ ବାଷ୍ପ ଉତ୍ପାଦନ କରାଯାଏ, ଏହି ବାଷ୍ପ ସାହାଯ୍ୟରେ ଟରବାଇନ୍ ଘୂରାଇ ବିଜୁଳି ଉତ୍ପାଦନ କରାଯାଏ । ଗୋଟିଏ ପଟେ ଦିଲ୍ଲୀ ପରି ସହରର ବର୍ଜ୍ୟବସ୍ତୁର ସଫଳ ପରିଚାଳନା ସହ ବିଜୁଳି ମଧ୍ୟ ଉତ୍ପାଦନ କରାଯାଇପାରୁଥିବାରୁ ଏହି ପ୍ଲାଣ୍ଟ ବ୍ୟବସ୍ଥା ପୂର୍ବରୁ ପ୍ରଶଂସିତ ମଧ୍ୟ ହୋଇଛି । ହେଲେ ଏବେ ଏହାକୁ ନେଇ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଛି ।
- ମଣିଷ ପାଇଁ ଘାତକ ଫ୍ଲାଏ-ଆଶ (ଉଡାନ୍ତ ପାଉଁଶ)
ଏହି ପ୍ଲାଣ୍ଟଗୁଡିକ ବିଦ୍ୟୁତ୍ ଉତ୍ପାଦନ କରନ୍ତି, କିନ୍ତୁ ସେମାନେ ଦୁଇ ପ୍ରକାରର ପାଉଁଶ ମଧ୍ୟ ଉତ୍ପାଦନ କରନ୍ତି । ବଟମ୍ ଆଶ ଏବଂ ଫ୍ଲାଏ ଆଶ । ଜାଳିବା ପରେ ଯାହା ରହିଥାଏ ତାହା ହେଉଛି ବଟମ ଆଶ । ଯାହା ମୂଳ ବର୍ଜ୍ୟବସ୍ତୁର ପ୍ରାୟ 20-30% ପରିମାଣର ହୋଇଥାଏ । ଏହା ଅପେକ୍ଷା ଅଧିକ ହାନୀକାରକ ହେଉଛି ଫ୍ଲାଏ-ଆଶ ବା ଉଡନ୍ତା ପାଉଁଶ । ଏହା ପୂରା ପରିବେଶକୁ ଦୂଷିତ କରିବା ସହ ବହୁଳମାତ୍ରାରେ ହୃଦରୋଗରେ ସଂକ୍ରମିତ କରେ ।